କନକ ବ୍ୟୁରୋ: ସରକାରୀ ଚାକିରିରେ କୋଟି କୋଟି କଳା ଟଙ୍କା ଅର୍ଜନ କରିଥିବା କୁବେର ବାବୁଙ୍କ ମୁଖା ଖୋଲୁଛନ୍ତି ମୋହନ ସରକାର । କେଉଁଠି ପ୍ଲଟ୍ ତ କେଉଁଠି ଫ୍ଲାଟ୍, ଆଉ କେଉଁଠି ରାଜମହଲ ଭଳି ଘର ଓ ଦାମୀ କାର୍ । ଏଭଳି ଅନେକ ସମ୍ପତ୍ତି ନିଜ ଚାକିରି କାଳରେ ଦୁର୍ନୀତି କରି ହଡ଼ପ କରିଥିବା ବାବୁଙ୍କୁ ବାନ୍ଧି ଜେଲ୍ ପଠାଉଛି ବିଜେପି ସରକାର । ନିକଟରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କ ୧୨୩ ପ୍ଲଟ୍ ଥିବା ଜାଣିବାକୁ ଖବର ପାଇଥିଲେ ସରକାର । ଏହାପରେ ଭିଜିଲାନ୍ସ ଦ୍ବାରା ଚଢ଼ଉ କରି ତାଙ୍କୁ ଗିରଫ କରାଯାଇଥିଲା । ଏହାର ଦିନକ ପରେ ବିଏମସିର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ମଧ୍ୟ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜେଲ୍ ଯିବାକୁ ପଡ଼ିଛି ।
ରାଜ୍ୟ ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ରାଜ୍ୟର ବିଭିନ୍ନ ବିଭାଗରେ ମାଳମାଳ ଜମିଦାରୀ ବାବୁ ରହିଛନ୍ତି । ଏତେ ମାତ୍ରାରେ ଜମି କିଭଳି ସରକାରୀ ଅଧିକାରୀ ହାତଉଛନ୍ତି, ତାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଜୁଲାଇ ୨୦ ତାରିଖରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ନିକଟରୁ ସୁନା ଅଳଙ୍କାର ସହ ଅସ୍ତ୍ରଶସ୍ତ୍ର, ୪ ଚକିଆ ଗାଡ଼ି ଓ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି । ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ୧୨୩ଟି ପ୍ଲଟ୍ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ବୋଲି ଜଣାପଡ଼ିଛି । ତେବେ ଏତେ ମାତ୍ରାରେ ପ୍ଲଟ୍ କିଭଳି ଭାବେ ସେ କରିଲେ, ତାକୁ ନେଇ ଏବେ ଭିଜିଲାନ୍ସ ବିଭାଗ ଖୋଳତାଡ଼ ଆରମ୍ଭ କରିଛି । ଏପରିକି ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଜୁବ ହୋଇଯାଇଥିଲେ ।
ସବୁଠାରୁ ବଡ଼କଥା ହେଲା ଜଙ୍ଗଲ ବିଭାଗଠୁ ଆରମ୍ଭ କରି ଅବକାରୀ ବିଭାଗ । ପୁଣି ଯନ୍ତ୍ରୀଙ୍କ ଠାରୁ ଖଣି ଉପନିର୍ଦ୍ଦେଶକ । ପ୍ରାଶାସନିକ ଅଧିକାରିଣୀଙ୍କଠାରୁ ଯୋଗାଣ ଅଧିକାରୀ, ସବୁଠି ଦୁର୍ନୀତି ସାଙ୍ଗକୁ ମାଳମାଳ ଅସାଧୁ ଅଧିକାରୀ । କାହା ପାଖରେ ଆୟ ଠାରୁ ଅଧିକ ସମ୍ପରି ତ ଆଉ କାହା ନାଁରେ ଏକାଧିକ ପ୍ଲଟ୍ । ସେହି ଅସାଧୁ ସରକାରୀ ବାବୁଙ୍କୁ ଧରୁଛି ଭିଜିଲାନ୍ସ । ଏସବୁ ପରେ ବି ଦୁର୍ନୀତି ପେଡ଼ି ବଢ଼ି ଚାଲିଛି । ବର୍ଷକ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ୨୪ ଜଣ ଜମିଦାର ବାବୁଙ୍କୁ ଧରି ସାରିଲାଣି । ସେମାନଙ୍କ ନିକଟରେ ୬ଟି ପ୍ଲଟରୁ ଆରମ୍ଭ କରି ୧୨୩ଟି ପ୍ଲଟ୍ ରହିଛି । ସେଥିମଧ୍ୟରୁ ଜଣେ ଅଧିକାରୀଙ୍କ ନିକଟରୁ ୮୪ ଏକର ଜମି ଠାବ କରାଯାଇଛି । ବର୍ଷକ ମଧ୍ୟରେ ରାଜ୍ୟରେ ଜମିଦାରୀ ବାବୁଙ୍କ ନିକଟରୁ ୭୦୭ଟି ପ୍ଲଟ୍ ଜବତ କରାଗଲାଣି ।
ସେହିପରି କେନ୍ଦୁଝରରେ କାର୍ଯ୍ୟ କରିଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ବାଲେଶ୍ବର ଜିଲ୍ଲାକୁ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ବଦଳି ହୋଇଯାଇଥିଲେ । ଏହି ସମୟରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ତାଙ୍କର ସମ୍ପତ୍ତି ଜବତ କରିବା ସମୟରେ ଭିଜିଲାନ୍ସ ବିଭାଗ ୧୦୫ଟି ପ୍ଲଟ୍ ରହିଥିବା ଜାଣିବାକୁ ପାଇଥିଲା । ସେହିଭଳି ଭୁବନେଶ୍ବରରେ କାର୍ଯ୍ୟରତ ଥିବା ଅବକାରୀ ବିଭାଗର ଯୁଗ୍ମ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ୫୨ଟି ପ୍ଲଟ ବିଭାଗ ଠାବ କରିଥିଲା । ସେହିଭଳି ଓଡ଼ିଶା ବ୍ରିଜ ଓ କନଷ୍ଟ୍ରକସନ କର୍ପୋରେସନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କର ୫୦ଟି ପ୍ଲଟ୍ ଭିଜିଲାନ୍ସ ବିଭାଗ ଠାବ କରିଛି । ବଲାଙ୍ଗୀରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁଶୀଲ କୁମାର ରାଉତଙ୍କର ୩୪ଟି ପ୍ଲଟ୍ ବିଭାଗ ଠାବ କରିଥିଲା ।
କେନ୍ଦୁଝରର ବୈତରଣୀ ଅବବାହିକା ମୁଖ୍ୟ ଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କର ମଧ୍ୟ ୨୮ଟି ପ୍ଲଟ ଭିଜଲାନ୍ସ ବିଭାଗ ଠାବ କରିଥିଲା । ସେହିଭଳି ଅନୁଗୁଳ ଆଠମଲ୍ଲିକ ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କର ୨୨ଟି ପ୍ଲଟ ରହିଥିବା ତଦନ୍ତ ସମୟରେ ଜଣାପଡ଼ିଛି । ସୁବର୍ଣ୍ଣପୁର ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ୧୯ଟି ପ୍ଲଟ୍ ରହିଥିବା ଜଣାପଡ଼ିଥିଲା । ସେହିଭଳି କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଓ ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ତଦନ୍ତ ଚାଲିଥିବା ସମୟରେ ୧୮ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା । କେନ୍ଦୁଝରର ଉପ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ୧୫ଟି ପ୍ଲଟ୍ ଠାବ ହୋଇଥିଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଚଢ଼ଉ କରିବା ଜବତ ପରେ ତାଙ୍କର ୧୪ଟି ପ୍ଲଟ୍ ରହିଥିବା ଜଣାପଡ଼ିଛି । ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଧରିବା ପରେ ତାଙ୍କର ୧୧ଟି ପ୍ଲଟ ବିଭିନ୍ନ ସ୍ଥାନରେ ରହିଥିବା ଜଣାପଡ଼ିଥିଲା । ରାଜ୍ୟ ପରିବହନ ପ୍ରାଧୀକରଣ କାର୍ଯ୍ୟାଳୟର ଯୁଗ୍ମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କର ୧୧ଟି ପ୍ଲଟ୍ ରହିଥିବା ଜଣାପଡ଼ିଥିଲା ।
ଖାଲି ଏତିକି ନୁହେଁ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡିଭିଜନ- ୧ର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ୧୧ଟି ପ୍ଲଟ ରହିଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜଟଣୀ ପୌରପାଳିକା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ଭିଜିଲାନ୍ସ ଧରିବା ପରେ ତାଙ୍କର ୧୧ଟି ପ୍ଲଟ୍ ରହିଥଥିଲା । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ୧୦ଟି ପ୍ଲଟ୍ ରହିଥିବା ଜଣାପଡ଼ିଥିଲା । ସେହିଭଳି ବ୍ରହ୍ମପୁର ଡିଭିଜନର ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା, ନୂଆପଡ଼ା ଜିଲା ଖରିଆର ପୂର୍ବ ବିଭାଗର ଅତିରିକ୍ତ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ, ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝି ଭିଜିଲାନ୍ସ ଜାଲରେ ପଡ଼ିବା ପରେ ସମସ୍ତଙ୍କର ୯ଟି ଲେଖାଏଁ ପ୍ଲଟ୍ ରହିଥିବା ଠାବ କରାଯାଇଥିଲା ।
ଏପଟେ ଢେଙ୍କାନାଳ ବନ ବିଭାଗ ରେଞ୍ଜ ଅଧିକାରୀ ବିଭୂଦାନନ୍ଦ ମିଶ୍ରଙ୍କ ଠାରୁ ୮ଟି ପ୍ଲଟ୍ ଠାବ କରାଯାଇଛି । ସେହିଭଳି ରାୟଗଡ଼ାର ପୂର୍ବତନ ଜଳାଶୟ ପିଡି ଦୟାନିଧି ବାଗଙ୍କୁ ଭିଜିଲାନ୍ସ ଧରିବା ପରେ ତାଙ୍କର ୮୪ ଏକର ଜମି ଥିବା ଜାଣିବାକୁ ପାଇଥିଲା । ଓଡ଼ିଶା ରାସ୍ତା ଓ କୋଠାବାଡ଼ି ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଏବଂ ଭୁବନେଶ୍ବର ଆରଡବ୍ଲୁ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ନିକଟରୁ ୭ଟି ପ୍ଲଟ୍ ଠାବ କରାଯାଇଥିଲା । ସେହିଭଳି ଗଞ୍ଜାମ ଜିଲ୍ଲା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କର ୬ଟି ପ୍ଲଟ୍ ଥିବା ଜଣାପଡ଼ିଛି । ତେବେ ଏତେ ସଂଖ୍ୟାରେ ଜମି, ଗାଡ଼ି, ଘର, ଅଳଙ୍କାର ଏବଂ ଟଙ୍କା କିଭଳି ଠୁଳ କରୁଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ, ଏପଟେ ଦୁର୍ନୀତି ଏବେର ନୁହେଁ ବରଂ ପୂର୍ବ ବିଜେଡି ସରକାର ସମୟର ବୋଲି ବିଜେପି କହିଛି । ବର୍ଷକ ଭିତରେ ବନ୍ଧା ହୋଇଥିବା ମାର୍କାମରା କୁବେର ବାବୁ ମାନେ ବିଜେଡି ସରକାର ସମୟରେ ଦୁର୍ନୀତିର ପାହାଡ଼ ଉପରେ ବସିଥିଲେ । ଏବଂ ସେମାନଙ୍କ ମୁଖା ଖୋଲୁଛନ୍ତି ମୋହନ ସରକାର ବୋଲି ବୟାନବାଜି ଜାରି ରଖିଛନ୍ତି ବିଜେପି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/24/06-2025-07-24-17-10-32.jpg)