କନକ ବ୍ୟୁରୋ : ସମୟ ସହ ରାଜ୍ୟ ଆଗକୁ ବଢୁଛି । ଓଡ଼ିଶାର ଜନସଂଖ୍ୟା ମଧ୍ୟ ବେଶ ବଢିଛି । କିନ୍ତୁ ରାଜ୍ୟରେ ଗରିବୀ ଦୂରିକରଣ କ୍ଷେତ୍ରରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ । ପଛୁଆ ଜିଲ୍ଲାରେ ଆଜିବି ସବୁ ଲୋକେ ଭଲରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା ଅସମ୍ଭବ କହିଲେ କିଛି ଭୁଲ୍ ହେବନି । ତେବେ ଓଡିଶାର ଦାରିଦ୍ରତାକୁ ନେଇ ୮୭ ବର୍ଷ ତଳେ ଚିନ୍ତା ପ୍ରକଟ କରିଥିଲେ ଜାତିର ଜନକ । ଓଡ଼ିଶା ଗସ୍ତ ବେଳେ ମହାତ୍ମା ଗାନ୍ଧୀ ଯାହା କହିଥିଲେ, ଆଜି ଗାନ୍ଧୀ ଜୟନ୍ତୀରେ ବାପୁଙ୍କ କଥାକୁ ପୁଣି ଆମ ଲୋକଙ୍କ କାନରେ ପକାଇବା ଜରୁରୀ ହୋଇପଡ଼ିଛି ।
ଯୁଗ ବଦଳିଛି, ହେଲେ ଓଡିଶାର ଦାରିଦ୍ର୍ୟ ନିରାକରଣରେ ଆଖିଦୃଶିଆ ସଫଳତା ପାଇ ନାହିଁ । ୧୯୩୮ ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ଯାହା କହିଥିଲେ ତାହାର ପ୍ରାସଙ୍ଗିକତା ଆଜି ବି ରହିଛି । ଓଡ଼ିଶାର ଦାରିଦ୍ର୍ୟ ପାଇଁ ମୁଖ୍ୟତଃ ୩ଟି କାରଣକୁ ଦାୟୀ କରିଥିଲେ ମହାତ୍ମା ଗାନ୍ଧୀ । ସେଗୁଡିକ ହେଉଛି, ନିଶା, ଆଳସ୍ୟ ଓ ଜଡ଼ତା ।
ଓଡ଼ିଶାର ଦାରିଦ୍ର୍ୟକୁ ନେଇ ୮୭ ବର୍ଷ ପୂର୍ବେ ଜାତିର ପିତା ମହାତ୍ମା ଗାନ୍ଧୀ ଯାହା କହିଯାଇଛନ୍ତି । ତାହାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି । ନିଶା ଏବେ ଯୁବପିଢିଙ୍କୁ ଅବାଟକୁ ଟାଣି ନେଉଛି । ଆଳସ୍ୟ ଓ ଜଡ଼ତା ମଧ୍ୟ ସମାଜରେ ପରିଲଖିତ ହେଉଛି ।
ଆଜକୁ ୮ ଦଶନ୍ଧି ପୂର୍ବେ ଓଡ଼ିଶାରେ ଅଫିମର ବ୍ୟବହାର ଅଧିକ ହେଉଥିଲା । ଦେଶୀ ମଦ, ଗଞ୍ଜେଇର ପ୍ରଚୁର ବ୍ୟବହାର ମଧ୍ୟ କରୁଥିଲେ ଲୋକ । ହେଲେ ଏବେ ଓଡ଼ିଶାରେ ନିଶାର ପ୍ରସାର ପୂର୍ବପେକ୍ଷା ଅଧିକ ହୋଇଛି । ଗଞ୍ଜେଇ, ମଦ ଓ ବ୍ରାଉନସୁଗାର ବେପାର ବେଧଡ଼କ ଚାଲିଛି । ଏହାଛଡା ଜଡ଼ତା ବା ନିଷ୍କ୍ରିୟତା ଆମକୁ ପଛରେ ପକାଉଥିବା ଗାନ୍ଧୀଙ୍କ ସହ ବିଶେଷଜ୍ଞ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଓଡ଼ିଆ ଅଧିକ ସହନଶୀଳ, ହକ୍ ପାଇଁ ଲଢ଼େଇ କରିବା ମନବୃତ୍ତି ଆଜି ଦେଖାଯାଏ ନାହିଁ । ପ୍ରତିବାଦ ନକରିବା ଅର୍ଥ ହିଂସାକୁ ପ୍ରଶୟ ଦେବା ବୋଲି ଗାନ୍ଧୀ କହୁଥିଲେ । ଆଳସ୍ୟ ନେଇ ଗାନ୍ଧୀଜୀ ଯେଉଁ ମନ୍ତବ୍ୟ ଦେଇଥିଲେ, ଆଜି ବି ଆମ ସମାଜରେ ରହିଛି ବୋଲି କୁହାଯାଏ । ଯେମିତି କି ଭୋଟ୍ ବେଳେ ନିଜ ଅଧିକାରକୁ କେଇଟା ପଇସା ପାଇଁ ବିକ୍ରି କରିବା, ନେତାଙ୍କ ମାଗଣା ପ୍ରତିଶ୍ରୁତିକୁ ପ୍ରଶୟ ଦେବା, ଏସବୁ ନିଜର ଆଳସ୍ୟତାକୁ ପ୍ରମାଣିତ କରେ ।
ସେହିପରି ମହାତ୍ମା ଗାନ୍ଧୀ ପୁରୀର ବେରବୋଇ ଅଧିବେଶନରେ କହିଥିଲେ, ଖାଦ୍ୟ ଓ ଖଦିର ଭଣ୍ଡାର କଲେ ରାଜ୍ୟ ସମୃଦ୍ଧ ହେବ । ଏହାଛଡା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଥିଲେ ଗାନ୍ଧୀ । ତାଙ୍କରି ନିର୍ଦ୍ଦେଶରେ ବେରବୋଇରେ ଆୟୋଜିତ ସେବା ସଂଘ ଅଧିବେଶନରେ ବ୍ୟବହୃତ ସମସ୍ତ ସାମଗ୍ରୀ ୧୦ କିଲୋମିଟର ପରିଧି ଭିତରୁ ଅଣାଯାଇଥିଲା । ସମୟ ବଦଳିଛି, ଦେଶ ବଦଳିଛି । ଡିଜିଟାଲ କ୍ରାନ୍ତିରେ ପାଦ ଥୋଇ ଭାରତ ବିକାଶ ପଥରେ ଆଗେଇ ଯାଉଛି । ହେଲେ ଗାନ୍ଧୀଙ୍କ ବିଚାର, ଦେଶକୁ ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ ମୌଳିକ ଉପାୟ ହୋଇ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ ।