କନକ ବ୍ୟୁରୋ: ଚିଠି ଚିଠି... ଚିଠି ନିଅ ଚିଠି...’ ନିଛାଟିଆ ଖରାବେଳେ ସାଇକଲେ ଘଣ୍ଟି ବଜାଇ ଆଉ ଏମିତି ଡାକିବନି ଡାକବାଲା କି ଆସିବନି ସେ ଆବେଗ କିମ୍ବାର ଅପେକ୍ଷାର ଚିଠି । ମନରେ ହିଁ ମରିଯିବ ଅନେକଙ୍କ ମନକଥା । ସମାଧି ନେଇଯିବ ଅନେକଙ୍କ ସ୍ମୃତି ।
ମୁଁ ଡାକବାକ୍ସ ! ମ ଦେହ ଟିଣରେ ତିଆରି, ମୋ ରଙ୍ଗ ଲାଲ । ମୁଁ ଝୁଲୁଥାଏ ଡାକଘର କାନ୍ଥରେ, ଟଙ୍ଗା ହୋଇଥାଏ କେଉଁ ଛକର ବିଜୁଳି ଖୁଣ୍ଟରେ । କଲେଜ ହେଉ କି କଚେରୀ, ହସ୍ପିଟାଲ ହେଉ କି ହଷ୍ଟେଲ । ସବୁଠି ମୁଁ ବସିଥାଏ, ଝୁଲୁଥାଏ । ତମ ଚିଠିକୁ ଅପେକ୍ଷା କରିଥାଏ, ଖବରକୁ ଖୋଜୁଥାଏ... ଆଉ ତମେ ଆସ ମୋ ପାଟି ବାଟେ ପେଟରେ ଲୁଚାଇ ଦିଅ ବାର୍ତ୍ତାର ବତୁରା ଚିଠି...
ଅନେକ ଲୋକଙ୍କ ଭବିଷ୍ୟତର ବାଟ ପୋଷ୍ଟଅଫିସରୁ ହିଁ ଲମ୍ବିଥାଏ । ଚାକିରି ଆଶାୟୀଙ୍କ ନିଯୁକ୍ତି ପତ୍ର ଆସିଥାଏ, କଲେଜରୁ ଇଂଟିମେସନ କାର୍ଡ ମଧ୍ୟ ଆସିଥାଏ ଏହି ଡାକଘର ଜରିଆରେ । ଆଧାର କାର୍ଡ, ପାନ୍ କାର୍ଡ ଭଳି ଜରୁରୀ ପତ୍ର ଆସିବାର ମାଧ୍ୟମ ମଧ୍ୟ ସେହି ଡାକଘର ହୋଇଥାଏ । ଯେବେ ଚିଠିର ଜମାନା ଥିଲା ଏଇ ନାଲି ବାକ୍ସ ଉପରେ ଥିଲା ସମସ୍ତଙ୍କ ନଜର । ଡାକବାକ୍ସରେ କିଏ ଚୁପିଚୁପି ପ୍ରେମର ପତ୍ର ପକାଉଥିଲା ତ କିଏ ହାତକାଟି ଲେଖି ପଠାଉଥିଲା । ସ୍ତ୍ରୀ ଲେଖେ ଦୂରରେ ଥିବା ତା’ ସ୍ୱାମୀ ପାଖକୁ, ପୁଅ ଲେଖେ ବାପା ପାଖକୁ । ଗାଁ ଡାକଘରକୁ ସୀମା ସେପାରିରୁ ଆସେ ପ୍ରେମର ସନ୍ଦେସ, ସାଧବ ଝିଅ ପାଇଁ ସହରରୁ ଆସେ ପ୍ରୀତିର ପତ୍ର । ଓଃ ଚିଠିର ସେ ନିଜରପଣ, ସେ ଆତ୍ମୀୟତା କଣ ଆଉ କେଉଁଥିରେ ମିଳିବ ?
ମାଟି କାନ୍ଥର ଡାକଘରେ ଟଙ୍ଗା ହୋଇଥାଏ ଡାକବାକ୍ସ । ଧୂଳିଧୂସର ପଡି ସେ ମଇଳା ହେଇଯାଉ ପଛେ କିନ୍ତୁ ଚିଠି ଦେଇଥିବା ଲୋକର ମନର କଥାକୁ ସାଇତି ରଖିବାରେ ସେ କେବେ ବି ହେଳା କରେନି । ଦୁର୍ଗମ ଇଲାକାରେ ଡାକବାଲାର ପହଞ୍ଚିବା ଯଦି ଡେରି ହୁଏ ତେବେ ନିଜକୁ ତାଲା ପକାଇ ଲୋକଙ୍କ ସ୍ନେହ, ପ୍ରେମ, ଆବେଗ, ଅସୁବିଧାକୁ ସେମିତି ସୁରକ୍ଷିତ କରି ରଖିଥାଏ ଏ ଟିଣର ତିଆରି ଡାକବାକ୍ସ । ଡାକବାକ୍ସ ଦୁଃଖର ସାଥୀ ହୁଏ ସୁଖର ସାଥୀ ବି ସାଜେ । ବିରହ, ବେଦନାର ମୁକସାକ୍ଷୀ ପାଲଟେ । ଖାଲି ପ୍ରେମ ନୁହେଁ ଏମିତି କେତେ କେତେ କାହାଣୀ, କେତେ କେତେ ସୁଖଦୁଃଖ ମୁହୂର୍ତ୍ତର ମୁକସାକ୍ଷୀ ସାଜିଥାଏ ଏଇ ଡାକବାକ୍ସ...
ସମୟ ସହ ତାଳ ଦେଇ ଆଜିର ମେସେଞ୍ଜର ଓ ହ୍ବାଟ୍ସଆପ୍ ଭରା ଜମାନାରେ ଜୀବନ ହାରିବାକୁ ଯାଉଛି ଡାକବାକ୍ସ । ସେପ୍ଟେର ପହିଲାରୁ ହିଁ ଆଉ ଶୁଭିବନି ସେ ଡାକବାଲାର ଡାକ । ଆଉ ସେ ପ୍ରଶ୍ନ ନିଜକୁ ପଚାରିଲେ, ତାର ଉତ୍ତର ଆମେ ଆଉ ଆମ ଆଧୁନିକ ଚାଲିଚଳନି ହିଁ ଦାୟୀ ବୋଲି କହିବା ସ୍ବୀକାର କରିବାକୁ ପଡ଼ିବ ।