କନକ ବ୍ୟୁରୋ : ମଣିମା...ତୁମେ ବ୍ରହ୍ମାଣ୍ଡର ପ୍ରଭୁ ନା ! କେହି କେହି କୁହନ୍ତି ଯେ ତୁମେ କୁଆଡ଼େ ହୃଦୟର ସ୍ପନ୍ଦନ l ନିରାଶାର ଆଶା । ତୁମେ, ଆମକୁ ଜୀବିତ ରଖୁଥ‌ିବା ନିଶ୍ଵାସ । ଥରେ ତୁମର କମଳ ଆଖରେ ଆଖ୍ ମିଶାଇଦେଲେ, ଅନୁଭବ ହୁଏ ଯେ ସମଗ୍ର ବ୍ରହ୍ମାଣ୍ଡ ଆମକୁ ଆଲିଙ୍ଗନ କରୁଛି । ସବୁବେଳେ ମନକୁ ଆସେ ; ତୁମେ ଗରିବଙ୍କ ବନ୍ଧୁ, ଦୁଃଖୀଙ୍କ ଆଶ୍ରୟସ୍ଥଳ ।

Advertisment

କିନ୍ତୁ ଠାକୁରେ, ସିଂହଦ୍ଵାରରେ ଠିଆହୋଇ ଏବେ ଯାହାସବୁ ଦେଖିଲି, ମୋର ମନ ଭାଙ୍ଗିଯାଇଛି । ପେଟରେ ମୋର ଏବେ ପେଟେ ଅଭିମାନ । ତୁମ ଉପରେ ଭୀଷଣ ରାଗ ବି ଲାଗୁଛି । ତୁମକୁ ଆଜି ବହେ ଗାଳିଦେବାକୁ ଇଚ୍ଛା ହେଉଛି । କାହିଁକି ଜାଣିଛ ? ତୁମକୁ ଟିକେ ଦେଖ‌ିବାକୁ କାହିଁ କେଉଁ ଆଡୁ ଆସୁଥ‌ିବା ଭକ୍ତମାନଙ୍କ ସହିତ ଆଜିକାଲି କିଛି ଠିକ୍ ଠାକ୍ ଘଟୁନି । ହଁ, ଏସବୁ ପୁଣି ଆଉ କେଉଁଠି ନୁହେଁ, ତୁମ ଦୁଆରେ, ତୁମ ଅଗଣାରେ ହିଁ ଘଟୁଛି । ତୁମେ ଜାଣିପାରୁନ ... ନା... ଜାଣି ଅଜଣା ଭଳି ହେଉଛ ?

କହିଲ ଦେଖ୍, ତୁମକୁ କ’ଣ ଭକ୍ତଙ୍କ କଷ୍ଟ ଆଜିକାଲି ଆଉ ଛୁଉଁନି ? ତୁମକୁ ବିଚଳିତ ଲାଗୁନି ? ହଁ, ଏକଥା ସତ ଯେ ତୁମର ନିରବତା ସତ୍ତ୍ଵେ ଭକ୍ତର ବିଶ୍ବାସ ଦୁର୍ବଳ ହୋଇନି କି କମିନି.... । ତା’ ବୋଲି, ତୁମେ କଣ ଚୁପଚାପ୍ ବସିଯିବ ଠାକୁରେ ? 

ଜାଣିଛ...
ଆଜିକାଲି ଭକ୍ତ ଯେବେ ତୁମ ଶ୍ରୀମନ୍ଦିର ପାଖରେ ପହଞ୍ଚୁଛନ୍ତି, ତୁମର ଦର୍ଶନର ଦ୍ବାର ପୂର୍ବ ଅପେକ୍ଷା ଅଧ‌ିକ ଦୂର ମନେହେଉଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ତୁମେ ତ ଜାଣ ! ଦର୍ଶନ ପରେ ମହାପ୍ରସାଦ ଟିକେ ପାଇବେ ବୋଲି ସେମାନେ ଖାଲି ପେଟରେ ଆସିଥାନ୍ତି । ତୁମେ ତ ବେଳା ଦେଖି ପେଟେ ଲେଖାଏଁ ଖାଉଛ । ତୁମକୁ କାହିଁକି କ’ଣ ଲାଗିବ ? ଆଚ୍ଛା ! କହିଲ ? ମାଆମାନେ ଭିଡ଼କୁ ଭୟ କରି ସେମାନଙ୍କ ପିଲାମାନଙ୍କୁ କେତେ ସମୟ କାଖରେ ରଖିପାରିବେ ? ସେମାନଙ୍କୁ କଷ୍ଟ ହେବନି ?

ବୃଦ୍ଧବୃଦ୍ଧା ଜାଣନ୍ତି ଯେ ସେମାନଙ୍କର ଦୁର୍ବଳ ଶରୀର ଠେଲା ଏବଂ ଟଣାଘୋଷରା ସହ୍ୟ କରିପାରିବ ନାହିଁ । ତଥାପି ବାଡ଼ି ଭରସାରେ ଠିଆ ହୋଇ ରହୁଛନ୍ତି ।  ତୁମର ଦର୍ଶନ ତାଙ୍କ ଜୀବନ ଅପେକ୍ଷା ଅଧିକ ମୂଲ୍ୟବାନ, କେବଳ ଏଇଥପାଇଁ । ହେଲେ ତୁମେ...ବେଶ୍ ନିର୍ଭୟ । ଏଡେ ଏଡେ ଆଖି କରିଛ, ପୁଣି ପତା ନାହିଁ । ଏସବୁ କଣ ତୁମକୁ ଦିଶୁନି ?

ହେ ପ୍ରଭୁ, ତୁମର ଭକ୍ତମାନେ କ'ଣ ଭଲରେ ଟିକେ ତୁମ ଦର୍ଶନ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ? ଯେଉଁ ଭକ୍ତ ଶତାବ୍ଦୀ ଧରି ତୁମର ମନ୍ଦିରର ପବିତ୍ରତାକୁ ବଜାୟ ରଖିବା ପାଇଁ ନିଜର ଝାଳ ଏବଂ ରକ୍ତ ଦେଇଛନ୍ତି, ସେମାନେ ଏବେ ଆଖିରେ ଲୁହ ନେଇ ଫେରୁଛନ୍ତି । ସେମାନଙ୍କୁ ଠେଲାପେଲା କରାଯାଉଛି । ଅଶ୍ଳୀଳ ଶବ୍ଦରେ ପଞ୍ଝାଏ ଚିତ୍କାର କରୁଛନ୍ତି । କାନରେ ଶୁଣିହେବନି । ଆଉ ଯେବେ ତୁମ ସାମ୍ନାକୁ ଆସିବାର ବେଳ ପହଞ୍ଚୁଛି, ସେଯାଏଁ ଶୃଙ୍ଖଳିତ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉନଥ‌ିବା ଖାକି ପିନ୍ଧା ବାବୁ ଝାମ୍ପି ନେଉଛନ୍ତି । ତୁମ ଆଖିରେ ତ ଆଖି ମିଶୁନି । ତୁମ ଆଶୀର୍ବାଦ ମିଳୁଛି କି ନାହିଁ, କେହି ଜାଣନ୍ତିନି ।

ଠାକୁରେ ! ତୁମ ଦୁଆରକୁ ଭକ୍ତ କାହିଁକି ଯାଏଁ କହିଲ ? ଟିକେ ଭଲରେ ଦର୍ଶନ କରିବ ।  ତାର ଦୁଃଖ ଜଣାଇବ । ଜୀବନ ଯନ୍ତ୍ରଣା ଲାଘବ ପାଇଁ ନିବେଦନ ରଖିବ । ହେଲେ ତା’ ସହିତ ଠିକ୍ ଓଲଟା ହେଉଛି । ଏମିତି କାହିଁକି ହେଉଛି ? ତୁମ ଭକ୍ତର ସମ୍ମାନ କ'ଣ ତୁମ ସମ୍ମାନ ନୁହେଁ ?

ଅବଶ୍ୟ ଏସବୁ ଆଶ୍ଚର୍ଯ୍ୟ ଲାଗୁନି ।
କାରଣ, ଭକ୍ତର ଯନ୍ତ୍ରଣା ଠୁ ବେଳେବେଳେ ଲାଗୁଛି ତୁମ ଯନ୍ତ୍ରଣା ବଳେଇଯାଉଛି । ନିୟମିତ ତୁମ ମନ୍ଦିରରେ ବିଶୃଙ୍ଖଳା । ବେଳେ ବେଳେ ମନେହେଉଛି, ତୁମର ଉଠିବା, ଖାଇବା ସମୟକୁ ଆଉ କିଏ ଇତି ମଧ୍ୟରେ ନିୟନ୍ତ୍ରଣ କରିବା ଆରମ୍ଭ କଲାଣି । ତୁମର ରଥଯାତ୍ରା ତ ଯାହା ଯେମିତି ହେଲା ଦୁନିଆ ଦେଖିଲା । ହଁ, ତୁମ ମହିମା ପ୍ରଚାର ଅପେକ୍ଷା ତୁମ ଘରର ଅଘଟଣ ଆଜିକାଲି ଗଣମାଧ୍ୟମରେ ବେଶି ବାଜୁଛି ।