କନକ ବ୍ୟୁରୋ: ମାଆ... ଆମ ଘର ଏଇଠି ତ ଥିଲା... କୁଆଡେ ଗଲା? ଦେଖୁନ ସବୁ କେମିତି ପଡ଼ିଆ ଭଳି ଦିଶୁଛି । ରହ ଧନ ବ୍ୟସ୍ତ ହଅନି, ଚାଲେ ମୋ ସହ... ଏଇ ଆଗରେ ଥିବ ମ ଆମ ଘର । ହେ ଭଗବାନ... ସତରେ କ’ଣ ଆମ ଘର ମାଟିରେ ମିଶିଯାଇଛି!! ଜୁଆଡେ ଦେଖିଲେ ଖାଲି ଗଛର ଗଣ୍ଡି ଦିଶୁଛିି, କାଲି ଥିଲା ଜଙ୍ଗଲ ଆଜି କିନ୍ତୁ ମରିଯାଇଛି । ଆମ ଭଳି କଥା କହିନପାରିଲେ ବି ଶୁଣ୍ଢ ହଲାଇ ଆଖିକୁ ଛଳ ଛଳ କରି, ଜଙ୍ଗଲ ଭିତରେ ନିଜ ବାସସ୍ଥାନ ଖୋଜୁଛନ୍ତି ହାତୀ ପହ୍ଲ ।

Advertisment

ଖାଦ୍ୟ ଅନ୍ୱେଷଣ ପାଇଁ ଜଙ୍ଗଲର ଆରପଟକୁ ଯାଇଥିଲା ଏହି ହାତୀ ଦଳ । ହେଲେ ଫେରିବା ପରେ ସେମାନଙ୍କ ରହିବା ସ୍ଥାନ ଯେମିତି ଶ୍ମଶାନ ପାଲଟି ଯାଇଛି । ମାଟିର ବୁକୁରେ ମାଳ ମାଳ ଛୋଟ ବଡ଼ ଗଛର ମୃତ୍ୟୁ ଘଟିଛି  । ହାତୀ ଚୋବାଉଥିବା ଚାରା ଗୁଡ଼ିକ ଭୂଇଁର ଜୁଇରେ ଜଳିଯାଇଛି । ସେଥିପାଇଁ ତ ନିଜ ପରିବାରକୁ ଧରି ଖାଁ ଖାଁ ହୋଇପଡ଼ିଥିବା ଜୀବନହୀନ ଜଙ୍ଗଲରେ ଜୀଇଁବାକୁ ଏଣେତେଣେ ବୁଲୁଛନ୍ତି ହାତୀ ପହ୍ଲ ।

ଜେଏସଡବ୍ଲୁ କମ୍ପାନୀ ସୁନ୍ଦରଗଡ଼ କୋଇଡ଼ା ବନଖଣ୍ଡ ନାରାୟଣପୋଷ ଅଞ୍ଚଳରୁ ଜଙ୍ଗଲ ଉଜାଡ଼ିଦେବା ପରେ ଅନେକ ପ୍ରଶ୍ନ ଉଠିଛି । କାରଣ ଜେଏସଡବ୍ଲୁ ଖଣି ପାଇଁ ସଫା ହୋଇଥିବା ଜଙ୍ଗଲ ଏହି ହାତୀ ପହ୍ଲର ଘର ଥିଲା । ଅନେକ ଜୀବଜନ୍ତୁ ଗଛଲତାର ଶିରେ ଶିରେ ଏକ ସୁନ୍ଦର ସଂସାର ଗଢ଼ି ତୋଳିଥିଲେ । ହେଲେ ସକାଳେ ଦିଶୁଥିବା ସବୁଜିମା ସଞ୍ଜରେ ଅସଞ୍ଜତ ଅବସ୍ଥାରେ ପଡ଼ିଥିବାର ଦେଖି ପଶୁ ବି ମଣିଷ ଜାତିକୁ ପ୍ରଶ୍ନ କରୁଛି । ବିକାଶ ନାଁରେ ବିନାଶ କାହିଁକି କରୁଛ? ଆମ ଘର ସଂସାରକୁ କାହିଁକି ଉଜାଡିବାରେ ଲାଗିଛ? ଆମ ଜଙ୍ଗଲର ଜୀବନ ନେଲେ ଆମେ ଜିଇଁବୁ କେମିତି? ରହିବୁ କେଉଁଠି? ତୁମେ ଆମର ସର୍ବନାଶ କରିବା ପରେ... ହାତୀ ମାତିଛି, ଦଳିଦେଲା ଦନ୍ତା, ଗୋଡ଼ାଇଲା ଗଜରାଜ ଏମିତି କାହିଁକି କହି ବୁଲୁଛ? ଆମ ଘର ଭାଙ୍ଗି ତୁମେ କି ଖୁସି ପାଉଛ? ଏହା କ’ଣ ତମ ବିକାଶ?

#ଏକ_ଜଙ୍ଗଲର_ହତ୍ୟା_କାହାଣୀ #ମଣିଷ_ଭାଙ୍ଗିଦେଲା_ହାତୀର_ହୃଦୟ ଭୋକ ମାରିବାକୁ ଜଙ୍ଗଲର ଆରପଟକୁ ଯାଇଥିଲା ହାତୀ ପହ୍ଲ । ଫେରିଲାବେଳକୁ କାଳରୂପୀ...

Posted by Kanak News on Thursday, October 17, 2024

ସତରେ ବିକାଶର ବାହାନାରେ ବିନାଶ କରୁଥିବା ମଣିଷର ଦୋମୁହାଁ ନୀତି ଯୋଗୁଁ ପରିବେଶ ଆଜି ପରିଚୟ ହରାଉଛି । ଜନବସତିମୁହାଁ ହେଉଛନ୍ତି ହାତୀ ଓ ଜୀବଜନ୍ତୁ, ଆଉ ମଣିଷ ହାଟରେ ଲାଗୁଛି ହାତୀ-ମଣିଷର ହାର-ଜିତର ଲଢ଼େଇ । କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର ମୃତ୍ୟୁ ହେଉଛି । ବେଳହୁଁ ସାବଧାନ ହୋଇ ଏସବୁ ଘଟଣାକୁ ଗମ୍ଭୀରତାର ସହ ନନେଲେ, ହାତୀ ପାଦତଳେ ଆମେ, ନହେଲେ ଲୌହଦାନବର ଚକତଳେ ଏମିତି ଜୀବନ ଯାଉଥିବ, ଯୁଦ୍ଧ ଚାଲିଥିବ ।