କନକ ବ୍ୟୁରୋ: ଆଜିର ସମୟରେ ରାଜନୀତି କହିଲେ ଆମ ଆଖି ଆଗକୁ ଆସେ କ୍ଷମତା, ଗାଡ଼ି ଏବଂ ସୌଖୀନ ବାସଭବନ  । କିନ୍ତୁ ଓଡ଼ିଶାର ଇତିହାସରେ ଏମିତି ଜଣେ ନେତା ଥିଲେ, ଯିଏ ଶାସନର ଶୀର୍ଷରେ ଥାଇ ମଧ୍ୟ ମାଟିକୁ ଭୁଲି ନଥିଲେ । ସେ ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ । ସେ କେବଳ ମୁଖ୍ୟମନ୍ତ୍ରୀ ନଥିଲେ, ସେ ଥିଲେ ଏକ ବିଚାରଧାରା ।

Advertisment

ଆହୁରି ପଢ଼ନ୍ତୁ: ସେତେବେଳର ଲାହୋର ଏବେର ପାକ୍ ମାଟିରେ

୧୯୫୦ ମସିହାରୁ ୧୯୫୬ । ଓଡ଼ିଶାର ଶାସନ ଗାଦିରେ ବସି ସେ ରାଜ୍ୟର ବିକାଶ ପାଇଁ ଅନେକ ଐତିହାସିକ କାମ କରିଥିଲେ । ହୀରାକୁଦ ବନ୍ଧ ହେଉ ବା ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ, ତାଙ୍କର ଦୂରଦୃଷ୍ଟି ଥିଲା ଅଦ୍ଭୁତ । କିନ୍ତୁ ଏତେ ବଡ଼ ପଦବୀରେ ଥାଇ ମଧ୍ୟ ତାଙ୍କ ପୋଷାକ ଥିଲା ଅତି ସାଧାରଣ । ଖଦି ପୋଷାକ ଆଉ ହାତରେ ଏକ ଝୋଲା ବ୍ୟାଗ୍ - ଏଇଆ ଥିଲା ତାଙ୍କ ପରିଚୟ । ସଚିବାଳୟର କାମ ସରିଲେ ସେ ନିଜେ ନିଜ କାମ କରିବାକୁ ଭଲ ପାଉଥିଲେ ।

୧୯୫୬ ମସିହାରେ ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ସେତେବେଳେ ରାଜନୈତିକ କରିଡରରେ ଚର୍ଚ୍ଚା ହେଲା ଯେ ଏବେ ନବ ବାବୁ କ'ଣ କରିବେ? କିନ୍ତୁ ନବ ବାବୁଙ୍କ ମନରେ କୌଣସି ଦ୍ୱିଧା ନଥିଲା । କାରଣ ସେ କ୍ଷମତାର ମୋହକୁ ଗୋଟିଏ ମୁହୂର୍ତ୍ତରେ ତ୍ୟାଗ କରି ସିଧା ଚାଲିଗଲେ ନିଜ ଗାଁ ଜଗତସିଂହପୁରର ଖେରାସକୁ । ତାଙ୍କ ପାଇଁ ଶାସନ ଥିଲା ଏକ ସେବା, ଆଉ ସେବା ଶେଷ ହେବା ପରେ ସେ ପୁଣି ସାଧାରଣ ମଣିଷ ପାଲଟିଗଲେ ।

ଦିନକର ଘଟଣା । ଭୁବନେଶ୍ୱରରୁ କିଛି ବଡ଼ ଅଧିକାରୀ ଏବଂ ଜଣେ ରାଜନେତା ନବ ବାବୁଙ୍କୁ ଦେଖା କରିବାକୁ ତାଙ୍କ ଗାଁରେ ପହଞ୍ଚିଲେ । ସେମାନେ ଭାବିଥିଲେ ବୋଧହୁଏ ମୁଖ୍ୟମନ୍ତ୍ରୀ କୌଣସି ବଡ଼ ଘରେ ବିଶ୍ରାମ ନେଉଥିବେ । କିନ୍ତୁ ଯେତେବେଳେ ସେମାନେ କ୍ଷେତ ନିକଟରେ ପହଞ୍ଚିଲେ, ସେମାନଙ୍କ ଆଖି ଖୋସି ହୋଇଗଲା । କାଦୁଅରେ ଜୁଡ଼ୁବୁଡ଼ୁ ଅବସ୍ଥାରେ, ହାତରେ ହଳ ଧରି, ବିଲରେ ବଳଦଙ୍କୁ ହାକୁଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ । ଅଧିକାରୀମାନେ ପଚାରିଲେ - "ଆଜ୍ଞା, ଆପଣ ଏଠି? ଏ କାମ କାହିଁକି କରୁଛନ୍ତି ? ନବ ବାବୁ ହସି ହସି ଉତ୍ତର ଦେଇଥିଲେ - ଏଇଟା ହିଁ ତ ମୋର ଅସଲ ପରିଚୟ । ମୁଁ ଜଣେ ଚାଷୀର ପୁଅ, ଆଉ ମାଟି ସହ ମିଶି ରହିବା ମୋର ଧର୍ମ । କ୍ଷମତା ଆଜି ଅଛି କାଲି ନାହିଁ, କିନ୍ତୁ କର୍ମ ଆଉ ପରିଚୟ ହିଁ ସବୁକିଛି ।

ହଁ ନବକୃଷ୍ଣ ଚୌଧୁରୀ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ଏହି କାହାଣୀ ଆଜିର ପିଢ଼ିର ରାଜନେତାଙ୍କ ପାଇଁ ଏକ ବଡ଼ ଶିକ୍ଷା । ସେ ଥିଲେ ଏମିତି ଜଣେ ନେତା ଯିଏ "ଜନସେବା" ଶବ୍ଦର ପ୍ରକୃତ ଅର୍ଥ ବୁଝିଥିଲେ । କ୍ଷମତା କେବେ ବି ତାଙ୍କୁ ପ୍ରଭାବିତ କରିପାରିନଥିଲା ବରଂ ସେ କ୍ଷମତାକୁ ମାଟିରେ ମାଖି ମାଟିର ମଣିଷ ହୋଇ ରହିଗଲେ ।