କନକ ବ୍ୟୁରୋ: କାଲି ସକାଳର କଥା... ସେ ହସୁଥିଲା, ଗାଁ ଦାଣ୍ଡ ନୁହେଁ ହଷ୍ଟେଲରେ ସହପାଠୀଙ୍କ ସହ ଖେଳୁଥିଲା । ଦେଖିବାକୁ ଭାରି ସାଦାସିଧା, ଶାନ୍ତ-ସରଳ ସ୍ବଭାବ ଝିଅଟିଏ । ହଁ ଗରିବ ପରିବାର ଜିଦ୍ଦିଆ ଝିଅଟିଏ ଥିଲା, କାରଣ ଅଭାବ ଅନଟନ ଆଗରେ ପାଠ ପଢ଼ିବାର ଜିଦ୍ ପାଇଁ ହଷ୍ଟେଲ ଛାତରେ ଦେଖୁଥିଲା ହଜାରେ ସ୍ବପ୍ନ । ବାପା-ମା କହିଥିଲେ ପରା ସେ ପଢ଼ିଲେ ମୋ ଘରର ଅନ୍ଧାରକୁ ଦୂର କରି ଆଲୋକ ଆଣିବ । ଉପାନ୍ତ ଇଲାକାର ନାଁକୁ ଉଜ୍ଜ୍ବଳ କରିବ । ହେଲେ ସେ ବି କେଇ ଘଣ୍ଟା ଭିତରେ ନ୍ୟାୟର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଲା । ସକାଳରୁ ମଧ୍ୟାହ୍ନ ଯାଏ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ପରପାରିକୁ ଚାଲିଗଲା ପଦ୍ମପୁରର ନାବାଳିକା । ହଁ ସେ ଜଳି ପୋଡ଼ିଗଲା, ତା’ ପୋଡ଼ା ଶରୀର ସହ ଜଳିଗଲା ଅନେକ ସ୍ଵପ୍ନ, ଭସ୍ମ ହୋଇଗଲା ପରିବାରର ସବୁ ଭରସା ।

Advertisment

ଏ ଦୁନିଆ କେଡ଼େ ବିଚିତ୍ର କହିଲେ, ଆଜି ତା’ର ଶବ ପାଖରେ ସବୁ କିଛି ଅଛି । ପୁଲିସ ତା’ ଶବକୁ ନେଇ ତଦନ୍ତ କରୁଛି, ସରକାର-ବିରୋଧୀ ସଉତୁଣୀ ଭଳି କଳି ଝଗଡ଼ା ଲାଗୁଛନ୍ତି । ସମବେଦନାଠୁ ଆରମ୍ଭ କରି ଜନସମର୍ଥନର ସମୁଦ୍ର ତା’ ଶବ ଆଗରେ ଦେଖିବାକୁ ମିଳୁଛି । ତା ଘର ଆଗରେ ଭିଡ଼ ଲାଗିଛି, ତା ଗାଁ ଦାଣ୍ଡରେ ପୁଲିସଠୁ ଆରମ୍ଭ କରି ରାଜନେତାଙ୍କ ଗହଳି ବଢ଼ୁଛି । ତା’ ମଲା ଖବର ଉପରେ ଚିଲ ଭଳି ଏ ସମାଜର ଆଖି ବି ଅଛି । ଟିଭି ରିମୋଟରୁ ହାତ ହଟୁନି, ସୋସିଆଲ ମିଡିଆରୁ ଲୋକଙ୍କ ନଜର ହଟୁନି । ଏ ଭିଡ଼, ଏ କୋଳାହଳ, ସମର୍ଥନର ସମୁଦ୍ର ସବୁ କିଛି ଅଛି ହେଲେ ଖାଲି ନାହିଁ ଯଦି, ସେ ନାହିଁ...ତା ଜୀବନ ନାହିଁ... ମାତ୍ର ୧୩ ବର୍ଷର ଝିଅଟିଏ, ଆୟୁଷର ଅୟମାରମ୍ଭରୁ ଅଗ୍ନିର ଆଁରେ ଆଖି ବୁଜିଦେଇଛି । 

ଆଜିର ଏ ଶିକ୍ଷିତ ସମାଜକୁ ଦେଖି ତା’ ଶବ ବି ଉପରୁ ହସୁଥିବ । ପଚାରୁଥିବ, ଏ ଦଗାଦିଆ, ବେଇମାନ ଲୋକ ବଞ୍ଚିଥିଲାବେଳେ ପଚାରିଲେନି, ଶବ ହୋଇଗଲା ପରେ ସମବେଦନା ଜଣାଇ ଆହାଃ ପଦେ କହିବାକୁ ଚାଲିଆସିଛନ୍ତି । ମୋ ପୋଡ଼ା ଦେହକୁ ନେଇ ପଲିଟିକ୍ସ କରିବାକୁ ବି ଏମାନେ ଟିକେ ହେଲେ ବି ସୁଯୋଗ ଛାଡ଼ୁନାହାନ୍ତି । ମୁଁ କ’ଣ ପାଇଁ ଜଳିଲି? କାହିଁକି ଜଳି ଜଳି ଯାତନାର ଜୁଇରେ ଜୀବନ ହାରିଲି? କିଏ ମୋତେ, କେମିତି ଜାଳିଦେଲା ଏସବୁ କେବଳ ଟିଭିର ହେଡଲାଇନ୍, ମୋବାଇଲର ରିଲ୍ସ ଆଉ ଖବର କାଗଜର ପ୍ରଥମ ପୃଷ୍ଠାରେ ହିଁ ରହିଯିବ । ଏବେ ଖାଲି ବାଲେଶ୍ବରରୁ ବଳଙ୍ଗା, ପଟ୍ଟାମୁଣ୍ଡାଇରୁ ପଦ୍ମପୁର ପୋଡ଼ା ପୋଡ଼ା ଗନ୍ଧାଉଛି । ସରକାର ଆଉ ଏ ସମାଜ ଯଦି ସତର୍କ ନହୁଅନ୍ତି ତା’ହେଲେ ଦିନ ଆସିବ ଓଡ଼ିଶା ଛାତ୍ରୀ ପୋଡ଼ି ଅପବାଦର ମୁକୁଟ ପିନ୍ଧିବ ।