କନକ ବ୍ୟୁରୋ: ଧୀରେ ଧୀରେ ରାଜ୍ୟ ରାଜନୀତିର ରଣଭୂମିରେ ଶକ୍ତିଶାଳୀ ହେବାରେ ଲାଗିଛି ପ୍ରଦେଶ କଂଗ୍ରେସ । ଭକ୍ତ ଦାସଙ୍କ ଭରସାରେ ବଦଳିବାରେ ଲାଗିଛି କଂଗ୍ରେସର ଭାଗ୍ୟ, ଟାଣ ହେଉଛି ‘ହାତ’ ମୁଠା । ଆଉ ‘ହାତ’କୁ ବଳ ଦେଉଛି ମହିଳା କାର୍ଡ, ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ । ଏକଥା ଆମେ କହୁନୁ ବରଂ ଚା’ ଖଟିରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ଓଡ଼ିଶାରେ ନାରୀ ନିର୍ଯାତନା ଘଟଣା ବଢ଼ୁଥିବାବେଳେ ସେହି ଘଟଣା ଗୁଡ଼ିକୁ କାଉଣ୍ଟର କରି ବିଜେପି ସରକାରକୁ ଘେରିବାରେ ଲାଗିଛି ରାଜ୍ୟ କଂଗ୍ରେସ ।

Advertisment

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ପୂର୍ବରୁ କେନ୍ଦୁଝର ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଘଟଣାରେ ବିଜେପି ସରକାରଙ୍କୁ ଘେରିଥିଲା କଂଗ୍ରେସ । ଭକ୍ତ ଦାସ ପିସିସି ଭାର ନେବାର କିଛି ମାସ ଭିତରେ ହିଁ ଦଳର ନେତା ଓ କର୍ମୀଙ୍କୁ ସତେ ଯେମିତି ବୁଷ୍ଟର ଡୋଜ୍ ମିଳିଯାଇଛି । କେନ୍ଦୁଝର ଘଟଣାରେ ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲା କଂଗ୍ରେସ । ଆଉ ଏହାରି ପରେ ରାଜ୍ୟ ସରକାରକୁ ଘେରିବା ପାଇଁ କଂଗ୍ରେସକୁ ମିଳିଗଲା ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଭଳି ବ୍ରହ୍ମାସ୍ତ୍ର । କଂଗ୍ରେସର ରାଜ୍ୟ ନେତୃବୃନ୍ଦଙ୍କଠୁ ଆରମ୍ଭ କରି ଦିଲ୍ଲୀର ଶୀର୍ଷ ନେତୃତ୍ବ ମାନେ ନାରୀ ନିର୍ଯାତନା ଘଟଣାକୁ ରାଜନୈତିକ ମୁଦ୍ଦା କରି ମୋହନ ସରକାରଙ୍କ ମୁଣ୍ଡ ବିନ୍ଧା କରିବାରେ ଲାଗିଛନ୍ତି । ଏତିକି ବେଳେ ବିଲେଇ କପାଳକୁ ଶିକା ଛିଣ୍ଡିଲା ଭଳି ବଳଙ୍ଗା ଘଟଣା ‘ହାତ’କୁ ଆହୁରି ବଳ ଦେଇଛି । ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଞ୍ଚଳର ଘଟଣା ହୋଇଥିବାରୁ ସରକାରଙ୍କୁ ଚାରି ଆଡ଼ୁ ଘେରିବାରେ ଲାଗିଛି କଂଗ୍ରେସ ।

୧୦ ବର୍ଷ ତଳେ ଯେତେବେଳେ ରାଜ୍ୟରେ ବିଜେଡିର ରାଜ୍ ଚାଲୁଥିଲା ସେତେବେଳେ କଂଗ୍ରେସ ବିରୋଧୀ ଦଳ ଭାବେ ଗର୍ଜନ କରୁଥିଲା । ରାଜନୀତିର କ୍ୟାପିଟାଲ କହୁଥିବା ଭୁବନେଶ୍ୱରର ରାଜରାସ୍ତାରେ ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସର ଗର୍ଜନ ଦେଖିବାକୁ ମିଳୁଥିଲା । ପ୍ରତିଦିନ କିଛି ନା କିଛି ପ୍ରସଙ୍ଗ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ଦେଖୁଥିଲେ ଓଡ଼ିଶାବାସୀ । ଅଣ୍ଡା-ଟମାଟୋ ମାଡ଼, ରାସ୍ତାରେ ରାଲି, ମାଷ୍ଟରକ୍ୟାଣ୍ଟିନ୍ ଜାମ୍ ଭଳି ଚିତ୍ର ମଧ୍ୟ କାହାକୁ ଅଛପା ନାହିଁ । ବର୍ଷ ବଦଳିବା ସହ ରାଜ୍ୟରେ ଦ୍ୱିତୀୟ ଦଳ ସ୍ଥାନରୁ ତୃତୀୟକୁ ଖସି ଚାଲିଲା କଂଗ୍ରେସ । ଆଉ କେଉଁଠି ନା କେଉଁଠି କଂଗ୍ରେସର ଘରୋଇ କଳି ଦଳକୁ ଦୁର୍ବଳ ମଧ୍ୟ କଲା, ଏବେ କିନ୍ତୁ କଂଗ୍ରେସର ବିରୋଧ ପ୍ରଦର୍ଶନ ପୁରୁଣା କଂଗ୍ରେସ କଥା ମନେପକାଇ ଦେଇଛି । ହଁ ପ୍ରତିବାଦର ତରିକା ବଦଳିଛି, ହାତରେ ଗୋଲାପ ଓ ଚକଲେଟ୍ ଧରି ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରି ଲୋକଙ୍କ ନିକଟତର ହେବାକୁ ଚାହୁଛି କଂଗ୍ରେସ । 

ଦଶନ୍ଧି ପୂର୍ବେ କଂଗ୍ରେସ ଟିମ୍ ପାଖରେ ଯେଉଁ ଦମ୍ ଥିଲା ସେଭଳି କିଛି ଚିତ୍ର ଗତ କିଛି ଦିନରେ ରାଜଧାନୀରେ ହେଉଥିବା ରାଜନୀତିରୁ ବାରି ହୋଇପଡୁଛି । ଭକ୍ତଙ୍କ ଟିମ୍ ପୂରା ଏବେ ଆକ୍ରମଣାତ୍ମକ ଅନ୍ଦାଜରେ କହିଲେ କିଛି ଭୁଲ୍ ହେବନି । ପାଣିପାଗ ମୁଡ୍ ବଦଳିଲା ଭଳି ରାଜ୍ୟ ରାଜନୀତିର ପାରା ଏବେ ପୂରା ଓଡ଼ିଶାକୁ ଉଷ୍ମ କରିଛି । ବାଲେଶ୍ବରରୁ ବଳଙ୍ଗା ପ୍ରତିବାଦର ରାଜନୀତି ଦେଖି ଲାଗୁଛି ଯେମିତି କଂଗ୍ରେସ କମବ୍ୟାକ୍ କରୁଛି ।

ନାରୀ ନିର୍ଯାତନା ପ୍ରସଙ୍ଗରେ ସ୍ବର ଉଠାଇ ବିରୋଧୀ ଭାବେ ଏବେ ଦି’ପାଦ ଆଗରେ ରହିଛି କଂଗ୍ରେସ । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ଓଡ଼ିଶା ବନ୍ଦ ହେଉ ଅବା ଜିଏମ୍ ବିଶ୍ବବିଦ୍ୟାଳୟ ଅସଦାଚରଣ ଘଟଣା । ମହିଳାଙ୍କ ସୁରକ୍ଷାର ଦ୍ବାହି ଦେଇ ଏବେ ବିଜେଡିକୁ ପଛରେ ପକାଇ ବିଜେପିକୁ ବ୍ୟାକଫୁଟକୁ ନେଉଛି ଭକ୍ତଙ୍କ ଟିମ୍ । ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅଳକା ଲାମ୍ବାଙ୍କ ଭଳି ଦିଲ୍ଲୀର ହେଭିୱେଟଙ୍କ ବୟାନ ଏବେ ପ୍ରଦେଶ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରୁଥିବା ଖଟିରେ ଚର୍ଚ୍ଚା ହେଉଛି ।