କନକ ବ୍ୟୁରୋ: ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ଏଭଳି ଏକ ଆପ୍ତବାକ୍ୟକୁ ପ୍ରମାଣିତ କରିଛନ୍ତି ଦୁଇଭାଇ । ପ୍ରଚେଷ୍ଟା ଆଉ ସାଧନା ବଳରେ ଅସମ୍ଭବ ଲାଗୁଥିବା ଜିନିଷ କିଭଳି ସମ୍ଭବ ହୋଇପାରିଛି ତାହା ଏମାନଙ୍କ ପାଖରୁ ହିଁ ଶିଖିବା ଆବଶ୍ୟକ ।
କରୋନା ଶିଖାଇଲା ବଞ୍ଚିବାର କଳା
ଥିଲେ ଶ୍ରମିକ
ଏବେ ମାଲିକ
ଦାଦନ ଶ୍ରମିକ ସମସ୍ୟା କହିଲେ ଗଞ୍ଜାମ ଜିଲ୍ଲାର ନାଁ ପ୍ରଥମେ ସାମ୍ନାକୁ ଆସେ । ପ୍ରାୟ ୫ଲକ୍ଷ ଗଞ୍ଜାମ ଅଧିବାସୀ ସରକାରୀ ଭାବରେ ସୁରଟରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ଆମେ ଆଜି ଆପଣଙ୍କୁ ଏମିତି ଦୁଇଭାଇଙ୍କ କଥା କହିବୁ ଯେଉଁମାନେ ଦାଦନ ଶ୍ରମିକରୁ ମାଲିକ ପାଲଟିଛନ୍ତି । ଆଉ ଅନେକ ବେରୋଜଗାର ଲୋକଙ୍କୁ ବଞ୍ଚିବାର ନୂଆ ରାହା ଦେଖାଛନ୍ତି ।
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବିଞ୍ଚଣା ଗାଁର ଦୁଇଭାଇ ମୁନା ଗୌଡ଼ ଓ ସୂର୍ଯ୍ୟ ଗୌଡ଼ ଏଭଳି କରିବାରେ ସଫଳ ହୋଇଛନ୍ତି । ଦିନେ ପେଟ ପୋଷିବା ପାଇଁ ଭିଟାମାଟି ଛାଡ଼ି ସୁରଟ ଯାଇଥିଲେ । ଏବେ ନିଜ ଗାଁରେ ସୂତାକଳ ଖୋଲି ସ୍ବାବଲମ୍ବୀ ହୋଇ ପାରିଛନ୍ତି ଦୁଇଭାଇ । କରୋନା ମହାମାରୀ ପରେ ବନ୍ଦ ହୋଇଯାଇଥିଲା ସୂତାକଳ । ଏଭଳି ପରିସ୍ଥିତିରେ ଘରକୁ ଫେରି ଆସିଥିଲେ ଦୁଇଭାଇ । ସ୍ଥିତିରେ ସୁଧାର ଆସିବାରୁ ପୁଣି ଥରେ ସୁରଟ ଯାଇଥିଲେ ବି ଆଉ ଭଲ ରୋଜଗାର ହୋଇନଥିଲା । ସେଠାରୁ ଆରମ୍ଭ ହୋଇଥିଲା ନୂଆ କିଛି କରିବାରେ ଯୋଜନା ।
ଦ୍ବିତୀୟ ଥର ସୁରଟରୁ ଫେରିବା ପରେ ନିଜେ ଗାଁରେ ସୂତାକଳ ଖୋଲିବା ପାଇଁ କାମ ଆରମ୍ଭ କରିଥିଲେ ଦୁଇଭାଇ । ସଞ୍ଚିତ ଅର୍ଥରୁ ଆବଶ୍ୟକ ଯନ୍ତ୍ରାଂଶ କିଣି ଗାଁରେ ଏକ ଭଡ଼ା ଘରେ ଆରମ୍ଭ କରିଥିଲେ ନୂଆ ସ୍ବପ୍ନକୁ ପୂରଣ କରିବାର କାମ । ୧୨ ଲକ୍ଷ ଟଙ୍କାରେ ସୁରଟରୁ ୬ଟି ଛଞ୍ଚା ମେସିନ କିଣିଛନ୍ତି । ଆବଶ୍ୟକ କଞ୍ଚାମାଲ ସୁରଟରୁ ଅନଲାଇନ ଯୋଗେ ଆଣୁଛନ୍ତି । ଉତ୍ପାଦିତ ସାମଗ୍ରୀକୁ ଗୋଆ, କୋଲକାତା ଓ ମୁମ୍ବାଇକୁ ବିକ୍ରି ପାଇଁ ପଠାଉଛନ୍ତି । ଦିନକୁ ଆଠରୁ ନଅ ଘଣ୍ଟା ପରିଶ୍ରମ କରି ଦୈନିକ ଦୁଇରୁ ଅଢେଇ ହଜାର ରୋଜଗାର କରୁଛନ୍ତି । ଦୁଇ ଭାଇଙ୍କ ଏଭଳି ଉଦ୍ୟମ ବେରୋଜଗାରୀଙ୍କ ପାଇଁ ଉଦାହରଣ ।
( ଭଞ୍ଜନଗରରୁ ରବିନ୍ଦ୍ର ଗୌଡ଼ଙ୍କ ରିପୋର୍ଟ )