କନକ ବ୍ୟୁରୋ: ପରିବାରରେ ଯଦି ଝିଅଟିଏ ଜନ୍ମନେଲା କୁହନ୍ତି ଲକ୍ଷ୍ମୀ ମା’ ଘରକୁ ଆସିଲେ । ହେଲେ ଆଜି ବି ଦେଶରେ ଏମିତି ଅନେକ ପରିବାର ଅଛି ଯିଏ କନ୍ୟା ସନ୍ତାନ ଜନ୍ମ ପରେ ଖୁସି ନଥାନ୍ତି । ସେଭଳି କିଛି ହୀନ ମାନସିକତା ରଖିଥିବା ଲୋକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ପୁଣେର ଜଣେ ଡାକ୍ତର । ଏପରିକି ତାଙ୍କ କ୍ଲନିକରେ ଯଦି ଶିଶୁ କନ୍ୟା ଜନ୍ମ ହୁଏ ତା’ ହେଲେ ସେ ସମ୍ପୂର୍ଣ୍ଣ ଡେଲିଭରି ଖର୍ଚ୍ଚ ଛାଡ଼ କରିଦିଅନ୍ତି । ମାଗଣାରେ ପ୍ରସବ କରାଇ ସମସ୍ତଙ୍କ ମନ ଜିଣିଛନ୍ତି ପୁଣେ ଡାକ୍ତର ।

Advertisment

ପୁଣେର ମାତୃତ୍ବ-ସମ୍-ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଡାକ୍ତର ଗଣେଶ ରାଖ । ନିଜ ହସ୍ପିଟାଲରେ ଏପର୍ଯ୍ୟନ୍ତ ମାଗଣାରେ ୨ ହଜାର ଶିଶୁ କନ୍ୟାଙ୍କୁ ଜନ୍ମ କରାଇ ଚର୍ଚ୍ଚାକୁ ଆସିଛନ୍ତି । ଦେଶରେ ଆଜି ବି ଯେଉଁଠି ଶିଶୁ କନ୍ୟା ଜନ୍ମ ହେବ ପୂର୍ବରୁ ଭ୍ରୁଣ ହତ୍ୟା ଓ ଶିଶୁ କନ୍ୟାକୁ ମାରିଦେଉଛନ୍ତି ସେଭଳି ସମୟରେ ଜଣେ ଡାକ୍ତର ପ୍ରକୃତରେ ସାଜିଛନ୍ତି ଦ୍ବିତୀୟ ଭଗବାନ । ଆଉ ମାଗଣାରେ ପ୍ରସବ କରାଇ ସମାଜରେ ବେଟି ବଚାଓ ସ୍ଲୋଗାନକୁ ସତ କରିବାରେ ଲାଗିଛନ୍ତି । ଏପରିକି କନ୍ୟା ସନ୍ତାନକୁ ଘୃଣା କରୁଥିବା ଅନେକ ପରିବାର ମଧ୍ୟରେ ଏକ ସଚେତନା ମଧ୍ୟ କରାଉଛନ୍ତି ।

ଖାଲି ଏତିକି ନୁହେଁ, ଯେ କୌଣସି ଧର୍ମର ହୁଅନ୍ତୁ କି ନାହିଁ ତାଙ୍କ ହସ୍ପିଟାଲରେ ଯଦି କନ୍ୟା ରତ୍ନ ଟିଏ ଜନ୍ମ ନିଏ ତେବେ ଡକ୍ଟର ଗଣେଶ ରାଖ ଏବଂ ପୂରା ହସ୍ପିଟାଲ କର୍ତ୍ତୁପକ୍ଷ ଉତ୍ସବ ଭାବେ ପାଳନ କରିଥାନ୍ତି । କେକ୍ କାଟିବାଠୁ ଆରମ୍ଭ କରି ମିଠା ବାଣ୍ଟିବା ସହ ଶିଶୁ କନ୍ୟା ଏବଂ ତା’ର ପୂରା ପରିବାରକୁ ଫୁଲ ପକାଇ ବିଦାୟ ମଧ୍ୟ ଦେଇଥାନ୍ତି ।

ଏଭଳି ମହତ କାର୍ଯ୍ୟ କରୁଥିବା ଡାକ୍ତର ଗଣେଶ ରାଖ କୁହନ୍ତି, ଯେତେବେଳେ ମୁଁ ଏହି କ୍ଲିନିକ୍ କରିଥିଲି ସେବେ ଅନେକ ପରିବାର ପୁତ୍ର ସନ୍ତାନ ହେବା ପରେ ଉତ୍ସବ ପାଳନ କରୁଥିଲେ । ଆଉ ଶିଶୁ କନ୍ୟା ଜନ୍ମ ପରେ ଚିତ୍ର କିଛି ଓଲଟା ଥାଏ, ପ୍ରସବ ରୁମରେ ଶିଶୁ କନ୍ୟା ଜନ୍ମ କରିଥିବା ଅନେକ ମା’ର ଲୁହକୁ ମୁଁ ଦେଖି ସହି ପାରିଲିନି । ସେବେଠାରୁ ମୁଁ ପ୍ରତିଜ୍ଞା କଲି ଯେ ମୋ ହସ୍ପିଟାଲରେ ଯଦି ଶିଶୁ କନ୍ୟା ଜନ୍ମ ନିଅନ୍ତି ତା’ହେଲେ ଡେଲିଭରି ସମ୍ପୂର୍ଣ୍ଣ ମାଗଣାରେ କରିବି ।

ସବୁଠାରୁ ବଡ଼କଥା ହେଲା, ଡକ୍ଟର ଗଣେଶ ରାଖ ପିଲାଦିନୁ ଗରିବୀ ଦେଖିଛନ୍ତି । ତାଙ୍କ ବାପା ଜଣେ କୁଲି ଭାବେ ଅନ୍ୟର ବୋଝ ଉଠାନ୍ତି ହେଲେ ଆଜି ଡାକ୍ତର ଗଣେଶ ରାଖ ଅନେକ ପରିବାର ବୋଝକୁ ହାଲୁକା କରିଦେଉଛନ୍ତି । କନ୍ୟା ରତ୍ନଙ୍କୁ ଜନ୍ମ କରାଇ ପ୍ରକୃତରେ ଦ୍ବିତୀୟ ଭଗବାନ ପାଲଟିଛନ୍ତି ।