କନକ ବ୍ୟୁରୋ: ଭାରତ ଋଷ ଠାରୁ ଯେବେଠୁ ତେଲ କିଣିବା ଆରମ୍ଭ କରିଛି ସେବେଠାରୁ ହିଁ ରକ୍ତ ଚାଉଳ ଚୋବାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍  । ରାଗ ସୁଝାଇବା ପାଇଁ ଗୋଟିଏ ପରେ ଗୋଟିଏ ଜିନିଷ ଉପରେ ଟିକସ ଲଗାଇ ଚାଲିଛି ଆମେରିକ ପ୍ରଶାସନ । ହେଲେ ଏଥର ସବୁ ସୀମା ଟପିଯାଇ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆବଶ୍ୟକୀୟ ଜିନିଷ ମାନେ ମେଡିସିନ ଉପରେ ଟ୍ୟାକ୍ସ ଲଗାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । 

Advertisment

ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରିବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛି । ଟ୍ରମ୍ ଚାହୁଛନ୍ତି ସେ, ଅଟୋ ଏବଂ ଷ୍ଟିଲ୍ ଭଳି ଔଷଧ ଉପରେ ମଧ୍ୟ ଟିକସ ଲାଗୁ କରିବାକୁ । ଏହାର ପ୍ରଭାବ ଭାରତ ଉପରେ ପଡ଼ିପାରେ ବୋଲି ଆଶଙ୍କା କରୁଛନ୍ତି ବୈଦେଶିକ ବିଶ୍ଳେଷକ । ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, ଟିକସ ଲାଗୁ ହେଲେ ଔଷଧର ମୂଲ୍ୟ ବୃଦ୍ଧି ପାଇବ ଏବଂ ଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହେବ ।

ଖାଲି ଏତିକି ନୁହେଁ ବିଭିନ୍ନ ଔଷଧର ଅଭାବ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ସୂଚନା ମୁତାବକ, ଔଷଧ ଉପରେ ୨୦୦ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ୍ ୧୯୬୨ର ବାଣିଜ୍ୟ ପ୍ରସାରଣ ଆଇନର ଧାରା ୨୩୨ର ଲାଗୁ କରିବାକୁ ଯୋଜନା କରୁଛନ୍ତି । ଟ୍ରମ୍ପ ପ୍ରଶାସନର ଯୁକ୍ତି ଯେ କରୋନା ମହାମାରୀ ସମୟରେ ଔଷଧର ଅଭାବ ଥିଲା ତେଣୁ ଏବେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଆବଶ୍ୟକ । ଆମେରିକା ଏବଂ ୟୁରୋପ ମଧ୍ୟରେ ହୋଇଥିବା ଏକ ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିରେ, ଔଷଧ ସମେତ କିଛି ୟୁରୋପୀୟ ସାମଗ୍ରୀ ଉପରେ ୧୫% ଟିକସ ଲାଗୁ ହୋଇଛି । ହେଲେ ଟ୍ରମ୍ପ୍ ପ୍ରଶାସନ ଅନ୍ୟ ଦେଶରୁ ଆସୁଥିବା ଔଷଧ ଉପରେ ଆହୁରି ଅଧିକ ଟିକସ ଲାଗୁ କରିବାକୁ ଧମକ ଦେଉଛି ।

ଆନଜିର ଡିଡ୍ରେକ୍ ଷ୍ଟାଡିଗ୍ କହିଛନ୍ତି, ଔଷଧ ଉପରେ ଟିକସ ଲାଗୁ ହେଲେ ମଧ୍ୟ ଆମେରିକାରେ ଔଷଧର ମୂଲ୍ୟ ୧୦ ରୁ ୧୪% ବୃଦ୍ଧି ପାଇପାରେ । କାରଣ ଟିକସର ପ୍ରଭାବ ଔଷଧ ଷ୍ଟକ୍ ଉପରେ ଦେଖିବାକୁ ମିଳିପାରେ । ଯାହା ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିବ । ବଡ଼ କଥା ହେଲଶ ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଔଷଧ ଜେନେରିକ୍ । ତେଣୁ ଜେନେରିକ୍ ଔଷଧ ନିର୍ମାତାମାନେ କମ୍ ଦାମରେ କାରବାର କରିଥନ୍ତି ଏବଂ ଅଧିକ ଟିକସ ଦେଇପାରିବେ ନାହିଁ । ଯଦି ଏପରି ହୁଏ ତେବେ କିଛି କମ୍ପାନି ଆମେରିକା ଛାଡ଼ିପାରନ୍ତି ।  

ଭାରତ ବିଶ୍ବର ବଡ଼ ଜେନେରିକ୍ ବିତରଣକାରୀ ଦେଶ । ଭାରତରୁ ଆସୁଥିବା ଔଷଧ ଶସ୍ତା ହୋଇଥିବାରୁ ଟ୍ରମ୍ପ୍ ଭାରତୀୟ ଔଷଧ କମ୍ପାନିଗୁଡି଼କୁ ଟିକସ ଲଗାଇନାହାନ୍ତି । ବିଶେଷଜ୍ଞ କୁହନ୍ତି କି, ଆମେରିକା ଔଷଧ ବାବଦରେ ଭାରତ ଉପରେ ନିର୍ଭରଶୀଳ । ତେଣୁ ଯଦି ଟ୍ରମ୍ପ ଭାରତୀୟ ମେଡିସିନ ଉପରେ ଟିକସ ଲଗାନ୍ତି ତା’ହେଲେ ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ ।