କନକ ବ୍ୟୁରୋ: ବାହାଘର ତ ଅନେକ ଦେଖିଥିବେ, କିଏ ଡେଷ୍ଟିନେସନ୍ ୱେଡିଙ୍ଗ୍ କରନ୍ତି ତ କିଏ ବିଳାସପୂର୍ଣ୍ଣ ଭାବେ ବାହା ହୁଅନ୍ତି । ହେଲେ କେବେ ଶୁଣିଛନ୍ତି ଜେଲ୍ ଭିତରେ ବାହାଘର । କଥାଟା ଅଜବ ଲାଗୁଥିଲେ ବି ସତ… ଏମିତି ଏକ ଘଟଣା ବିହାରରୁ ଆସିଛି ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ବିବାହ ମଣ୍ଡପ ପାଲଟିଲା ବିହାରର ମଧୁବନୀ ଜେଲ୍ । ଜଣେ ଦୁଷ୍କର୍ମ ଅଭିଯୁକ୍ତ ଦିଅରକୁ ଜେଲ୍ ଭିତରେ ବିବାହ କରିଛନ୍ତି ବିଧବା ଭାଉଜ । ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆୟୋଜିତ ହୋଇଥିଲା ଏହି ବିବାହ କାର୍ଯ୍ୟ । କାରଣ ଅଭିଯୁକ୍ତଙ୍କୁ ଜାମିନ ପାଇଁ ବିବାହ ଆବଶ୍ୟକ ବୋଲି ସର୍ତ୍ତ ଦିଆଯାଇଥିଲା । ବିଚାରପତି ସୟଦ ମହମ୍ମଦ ଫଜଲୁଲ ବାରୀ ଏହି ବିବାହକୁ ଅନୁମୋଦନ କରିଥିଲେ । ଜେଲର ଏବଂ ଜେଲ୍ କର୍ମଚାରୀମାନେ ବିବାହର ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟ କଏଦୀ ମାନେ ବରଯାତ୍ରୀ ଭାବେ ସାମିଲ ହୋଇଥିଲେ । ଅଭିଯୁକ୍ତଙ୍କ ଓକିଲ ଗଗନ ଦେବ ଯାଦବ ଏହି ପ୍ରକ୍ରିୟାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏବଂ ଜେଲର କନ୍ୟାଦାନ କରି ବିବାହ ସମ୍ପନ୍ନ କରିଛନ୍ତି ।
ସୂଚନା ମୁତାବକ, ୨୦୨୨ରେ ପୀଡ଼ିତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ, ଉଭୟ ଦିଅର-ଭାଉଜ ଏକାଠି ରହୁଥିଲେ । ଆଉ ପୀଡ଼ିତା ଅଭିଯୋଗ କରିଥିଲେ ଯେ ଦିଅର ତାଙ୍କୁ ବାରମ୍ବାର ଯୌନ ଶୋଷଣ କରିଥିଲେ । ଯାହାଫଳରେ ମହିଳା ଜଣକ ଗର୍ଭବତୀ ହୋଇଥିଲା ଏବଂ ସେ ଔଷଧ ସାହାଯ୍ୟରେ ତାହା ନଷ୍ଟ କରିଥିଲେ । ପୁଣି ଥରେ ଗର୍ଭଧାରଣ କରିବା ପରେ ପୀଡ଼ିତା ନିଜର ଓ ଶିଶୁର ସୁରକ୍ଷା ପାଇଁ ମହିଳା ଥାନାରେ ଅଭିଯୋଗ ଦାୟର କରିଥିଲେ । ଘଟଣା ଏତେ ଜଟିଳ ଥିଲା ଯେ ମାମଲା ସ୍ଥାନୀୟ ଅଦାଲତରୁ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଉ ଜଜ୍ ଏନେଇ ରାୟ ମଧ୍ୟ ଦେଇଥିଲେ ।
ମଧୁବନୀ ଜେଲର ଓମ୍ ପ୍ରକାଶ ଶାନ୍ତି ଭୂଷଣ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି ଏବଂ ଏହା ସହ ଜଡ଼ିତ ସମସ୍ତ ପ୍ରମାଣ ଅଦାଲତରେ ଦାଖଲ କରାଯିବ । ଅଭିଯୁକ୍ତ ଓ ପୀଡ଼ିତା ବିବାହ ପରେ ଏକାଠି ରହିବାକୁ ନିବେଦନ କରିଥିବାରୁ କୋର୍ଟ ଏହାକୁ ଗ୍ରହଣ କରିଥିଲେ । ତେବେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ପାରସ୍ପରିକ ସହମତିରେ ସମ୍ପର୍କକୁ ବୈଧ କରିବା ପାଇଁ ଏହା ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଥିବା ବେଳେ ଅନ୍ୟପଟେ ସମାଜରେ ଭିନ୍ନ ଭିନ୍ନ ମତ ଦିଆଯାଉଛି ।