କନକ ବ୍ୟୁରୋ: କାଳୁ, ଖଣ୍ଡି, ଶେରୁ, ଟିପୁ, ଚିକୁ, ଏମିତି ଅନେକ ନାଁ ତାର... ଚାରିଗୋଡ଼ିଆ ହେଲେ ବି ଭାରି ଚତୁର ସେ, ଆମେ ଛାଡ଼ିଥିବା ଅଇଁଠା ତା ପାଇଁ ଅମୃତ ସମାନ, ସେହି ଅଇଁଠାକୁ ଆଦରି ନେଇ ଚାଟିଚୁଟି ସବୁ ସଫା କରିଦିଏ । ଖାଲି ଏତିକି ନୁହେଁ ଘରର ସବୁ ବାସି ଖାଦ୍ୟ ଖାଇ ବି ସେ ଭାରି ବଳବାନ ହୋଇଥାଏ । ରାତିରେ ଆମେ ଶୋଇଗଲା ପରେ ଆମ ଘରବାଡ଼ିର ଜଗୁଆଳି ସାଜିଥାଏ, ରାତି ଅଧରେ ଲୁଟେରାଙ୍କୁ ଘଉଡ଼ାଇଥାଏ, ସାହି ପଡ଼ିଶା ପିଲାଙ୍କ ସହ ସାଙ୍ଗସାଥୀ ଭଳି ଖେଳିଥାଏ । ଖଣ୍ଡେ ବିସ୍କୁଟ୍ ପାଇଁ ବାଇକ୍ ପଛରେ ଧାଉଁଥାଏ । ସେଥିପାଇଁ ତ ମଣିଷର ସବୁଠାରୁ ବିଶ୍ବାସୀ ବନ୍ଧୁ ସେ ବୋଲାଏ ।
ହେଲେ ଆଜି ସେ ନିରୁପାୟ... ଆମେ ସ୍ବାଧୀନତା ସ୍ବାଦ ଚାଖିଥିବା ବେଳେ ସେମାନେ ଏବେ ପରାଧୀନ । ସୁପ୍ରିମ ଫୈସଲା ପରେ ବଦଳିଯାଇଛି ବୁଲା କୁକୁରଙ୍କ ଭାଗ୍ୟ । ଛକ ଛକରେ ଆଉ ଦେଖାଯିବେନି କାଳୁ, ନାଳୁ, ଚିକୁ, ରାମୁ ଶେରୁ ଭଳି ଏମିତି ଅନେକ ପ୍ରିୟ ବୁଲା କୁକୁର । ନା ଖଣ୍ଡେ ବିସ୍କୁଟ୍ ଖାଇବାକୁ, ନା ଖଣ୍ଡେ ଅଇଁଠା ଇଡ଼ଲି, ଅଳିଆଗଦାରେ ସେସବୁ ପଡ଼ି ସିନା ହେଲେ ତାକୁ ଖାଇବାକୁ ଆଉ ଆପଣଙ୍କ ଚାରିପାଖେ ଲାଙ୍ଗୁଡ଼ ହଲାଉଥିବା ସେ ବୁଲା କୁକୁରଟିକୁ ଦେଖିବାକୁ ପାଇବେନି ।
ସତରେ ମଣିଷ କେତେ ନିଷ୍ଠୁର ଜୀବ କହିଲେ, ଯେଉଁ ପଶୁକୁ ମାରିକି ଖାଇ ପାରିବେନି ତା’ ଅଧିକାରକୁ ଖାଇବାକୁ ପଛାଉନାହାନ୍ତି । ସେମାନେ ତ ଆମ ଭଳି ଧର୍ମ କିମ୍ବା ଜାତି ଗୋତ୍ର ଦେଖିକି କଳି ଲାଗନ୍ତିନାହିଁ, ଲିଙ୍ଗଭେଦ ଭାବ ନଦେଖି ଭୁକିଥାନ୍ତି । ଆଜି ଆମେ ସ୍ବାଧୀନ ପକ୍ଷୀ ଭାବେ ମୁକ୍ତ ଆକାଶରେ ଉଡ଼ି ବୁଲୁଛେ କିନ୍ତୁ ସେମାନେ ସୁପ୍ରିମ ଫୈସଲା ପାଇଁ ପିଞ୍ଜରାରେ କଏଦ ହୋଇଯିବେ ।
ହଁ ପ୍ରତିଦିନ ଦେଶରେ ଅନେକ କୁକୁର କାମୁଡ଼ା କେସ୍ ସାମ୍ନାକୁ ଆସୁଛି । କେଉଁ ରାଜ୍ୟରେ ଅଧିକ ତ କେଉଁ ରାଜ୍ୟରେ କମ୍ ଘଟଣା ଦେଖିବାକୁ ମିଳୁଛି । ଯେମିତି ୫ ଆଙ୍ଗୁଠି ସମାନ ନୁହେଁ ସେମିତି ସବୁ ବୁଲା କୁକୁର ବି ସମାନ ନୁହନ୍ତି । କେଉଁଠି ବୁଲା କୁକୁର ହିଂସ୍ର ହୋଇଯାଆନ୍ତି ତ କେଉଁଠି ହୃଦୟ ଜିତନ୍ତି । କେବେ କେବେ ମାଲିକର ସୁରକ୍ଷା ପାଇଁ ସାପ ସହ ଲଢ଼େଇ କରି ଜୀବନ ହାରନ୍ତି ତ କେଉଁଠି ଖଣ୍ଡେ ବିସ୍କୁଟ୍ ପାଇଁ ଗାଡ଼ି ଚକା ତଳେ ଜୀବନ ଦିଅନ୍ତି । ଆମେ ସେହି ବୁଲା କୁକୁରକୁ ସବୁଠୁ ବିଶ୍ବାସୀ ବନ୍ଧୁ ବୋଲି କହିଥାଉ । ହେଲେ ଆଜି କେମିତି ସେମାନେ ଆମ ଶତ୍ରୁ ହୋଇଗଲେ? କେମିତି ସେମାନଙ୍କ ସ୍ବାଧୀନତାକୁ ପିଞ୍ଜରାରେ କଏଦ କରିବାକୁ ସମର୍ଥନ ଜଣାଉଛେ?
କଥା କହିପାରୁନଥିବା ପଶୁ ସେମାନେ ପରା, ଅଧିକାର ପାଇଁ ତ ଆନ୍ଦୋଳନ କରିପାରିବେନି, କି ଧାରଣା ବି ଦେଇପାରିବେନି । ଯଦି ସେମାନେ କଥା କହିପାରୁଥାନ୍ତେ ତା’ ହେଲେ ନିଶ୍ଚୟ ପଚାରିଥାନ୍ତେ? ଆମର କ’ଣ ଏ ଦେଶରେ ଖୋଲା ବୁଲିବାର ଅଧିକାର ନାହିଁ? ଡଗ୍ ବାଇଟ୍ କେସ୍ ଯଦି ରୋକିବାକୁ ଏତେ ଅଣ୍ଟା ଭିଡ଼ିଛ ତା’ ହେଲେ ଦୁଷ୍କର୍ମ, ଚୋରି, ଦୁର୍ନୀତି, ଦଙ୍ଗା-ହିଂସା ପାଇଁ କାହିଁକି ନୁହେଁ? ଆମ ଉପରେ ଲଗାମ ଲଗାଇବା ପୂର୍ବରୁ ଥରେ ଦେଶରେ ଦିନକୁ ଦିନ ବଢ଼ୁଥିବା ଆପରାଧିକ ମାମଲାକୁ ନେଇ କଟକଣା ଲଗାନ୍ତୁ, ଆମେ ତ ଜମିବାଡ଼ି ପାଇଁ ଲଢ଼େଇ କରୁନୁ ଖାଲି ବାହାରେ ବୁଲିବୁଲି ଅଇଁଠା ଖାଉଛୁ ବୋଲି ଏତେ ବଡ଼ ଦଣ୍ଡ ଆମକୁ ଦେଲ? କାହିଁକି ଏମିତି କଲ? କାହିଁକି?..