କନକ ବ୍ୟୁରୋ: ମଣିଷଙ୍କ ଭଳି ସେମାନେ କଥା କହିପାରନ୍ତିନି, କି ଆମଭଳି ସଂସ୍କାର, ଶିକ୍ଷିତ ସମାଜରେ ସେମାନେ ରୁହନ୍ତିନାହିଁ । ଜଙ୍ଗଲ ଭିତରେ ଜନ୍ମ-ମୃତ୍ୟର ଜୀବନ ଜିଉଁଥିବା ଜଙ୍ଗଲୀ ପଶୁ ହେଉଛନ୍ତି ସେମାନେ । ସେଥିପାଇଁ ତ ଭୟଙ୍କର ବନ୍ୟା ପାଣିରେ ବୁଡ଼ିଯିବ ଭାବି କୂଳକୁ ପହଁରି ପହଁରି ଆସୁଥିଲା । ହେଲେ କୂଳରେ ତ ଦେଖାଣିଆ ପଶୁପ୍ରେମୀ ପିଶାଚମାନେ ରୁଣ୍ଡ ହୋଇଥିଲେ । ଆଉ ତା’ପରେ ଓଡ଼ିଶା ଯାହା ଦେଖିଲା ତାହା ଗତ ବର୍ଷର ପଶ୍ଚିମବଙ୍ଗ ଘଟଣାକୁ ପୁଣି ମନେକାଇଦେଲା ।
ସେ ଦନ୍ତାହାତୀର ଭୁଲ ଏତିକି ଯେ, ଘୁ ଘୁ ଗର୍ଜନ କରୁଥିବା ବଢ଼ିପାଣିରୁ ନିଜକୁ ବଞ୍ଚାଇବା ପାଇଁ ନଦୀକୂଳକୁ ଭାସି ଭାସି ଆସୁଥିଲା । ଜୀବନକୁ କାହାର ବା ଲୋଭ ନାହିଁ! ପଶୁଟିଏ ହେଲେ ବି ଜଙ୍ଗଲରେ ତା’ର ବି ପରିବାର ଅଛି, ହୃଦୟର କଥା ବୁଝୁଥିବା ସାଙ୍ଗସାଥୀ ଭରା ହାତୀପଲ ବି ଅଛି । ସେଥିପାଇଁ ତ ଜୀବନ ବଞ୍ଚାଇବାକୁ ବିକଳ ହୋଇ କୂଳକୁ ଆସିବାବେଳେ ସୈତାନରୂପୀ ମଣିଷମାନେ ତା’ ଉପରକୁ ଫିଙ୍ଗି ଚାଲିଲେ ନିଆଁ ଗୋଳା ପରେ ନିଆଁ ଗୋଳା । ସେପଟେ ପାଣିର ପ୍ରଳୟ ଏପଟେ ପିଶାଚଙ୍କ ଭୟ, ଶେଷରେ ନିରୁପାୟ ହୋଇ ବନ୍ୟାପାଣିର ପ୍ରଖର ସ୍ରୋତରେ ଥଳକୂଳ ନପାଇ ଭାସିଗଲା ଦନ୍ତାହାତୀ । ଢେଙ୍କାନାଳ କାମାକ୍ଷାନଗର ବ୍ରାହ୍ମଣୀ ନଦୀରୁ ଆସିଥିବା ଅଭାବନୀୟ ଘଟଣା ସାରା ମଣିଷ ସମାଜକୁ ବ୍ୟଥିତ କରିଛି ।
ହଁ ଗଜରାଜ ନିଆଁ ଗୋଳା ଦେଖି ଭୟ କରନ୍ତି । ହୁଡ଼େଇଲେ, ଚିଲ୍ଲାଇଲେ ସେମାନେ ଚିତ୍କାର କରି ପଳାନ୍ତି । ହେଲେ ଓଡ଼ିଶାରେ କେରଳ ଓ ପଶ୍ଚିମବଙ୍ଗ ଭଳି ଘଟଣା ବି ଦେଖିବାକୁ ମିଳିବ କେହି କେବେ କଳ୍ପନା କରିନଥିଲେ । ଆଜକୁ ଠିକ୍ ବର୍ଷେ ତଳେ ପଶ୍ଚିମବଙ୍ଗ ଝାଡ଼ଗ୍ରାମରେ ହୋଇଥିବା ଗର୍ଭବତୀ ହାତୀ ହତ୍ୟାକାଣ୍ଡ ହେଉ କିମ୍ବା ୫ ବର୍ଷ ପୂର୍ବେ କେରଳର ମାଈ ହାତୀକୁ ବିସ୍ଫୋରକ ଖୁଆଇ ମାରିଦେବା ଘଟଣା । ସବୁଠି ମଣିଷମାନେ ହିଁ ପଶୁ ପାଲଟିଯାଇଛନ୍ତି, ବିଶ୍ୱାସରେ ବିଷ ଦେଇଛନ୍ତି ।
ଏପଟେ ଆମେ ତାଙ୍କ ଜଙ୍ଗଲଆଡକୁ ଧିରେ ଧିରେ ମାଡ଼ି ଯାଉଛେ, ଆଉ ସେମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି । ଆଉ ସେତିକିବେଳେ ଯିଏ ତାଙ୍କ ସାମ୍ନାରେ ବିପଦ ଲାଗୁଛି ତାଙ୍କ ଉପରକୁ ଆକ୍ରମଣ କରିଦେଉଛନ୍ତି, କେହି କିଛି ବୁଝିବା ପୂର୍ବରୁ ମଣିଷ-ପଶୁ ଭିତରେ ହେଉଛି ମହାଯୁଦ୍ଧ, ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ପଶୁର ପ୍ରାଣ ଯାଉଛି ।
ସବୁଠାରୁ ଦୁଃଖଦ କଥା ହେଲା, ଆଉ ଦେଢ଼ମାସ ପରେ ଆମେ ଗଜାନନଙ୍କ ଆବାହନ କରିବା କିନ୍ତୁ ତା’ପୂର୍ବରୁ ଗଜରାଜଙ୍କୁ ହିଁ ଏକାଠି ହୋଇ ଆକ୍ରମଣ କରିବାକୁ ପଛାଉନାହାନ୍ତି । ସୋସିଆଲ ମିଡିଆରେ ପଶୁପ୍ରେମୀଠୁ ଆରମ୍ଭ କରି ସଭିଏଁ ଏଭଳି ଘଟଣାକୁ ନେଇ କଡ଼ା ନିନ୍ଦା କରୁଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି କିନ୍ତୁ ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ଭଳି ମଣିଷ ପଶୁ ପାଲଟିବାକୁ ପଛାଉନି ।