କନକ ବ୍ୟୁରୋ: ଅକ୍ଟୋବର ନାଁ ଶୁଣିଲେ ଆତଙ୍କିତ ହୁଅନ୍ତି ଓଡ଼ିଶାବାସୀ, ଛାତିରେ ପଶିଥାଏ ଛନକା । ୧୯୯୯ ମହାବାତ୍ୟାଠୁ ଆରମ୍ଭ କରି ପୂର୍ବରୁ ଅନେକ ବାତ୍ୟା ଅକ୍ଟୋବର ମାସରେ ହିଁ ଓଡ଼ିଶାକୁ ପ୍ରଭାବିତ କରିଥିବାର ନଜିର ରହିଛି । ଆଉ ଏହାରି ଭିତରେ ପୁଣି ଅକ୍ଟୋବର ମାସ ପାଇଁ ଲା-ନିନା ବିପଦ ବୋଲି ଆକଳନ କରାଯାଉଛି । ବିଶ୍ୱ ପାଣିପାଗ ସଂସ୍ଥାନର ପୂର୍ବାନୁମାନ ମୁତାବକ, ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ । ପ୍ରଶାନ୍ତ ମହାସାଗରରେ ଲା-ନିନା ଯଦି ସଂଗଠିତ ହୁଏ ତା’ହେଲେ ଏହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ସହାୟକ ହେବ । ଯାହାକୁ ନେଇ ଏବେ ପାଣିପାଗ ବିଜ୍ଞାନୀଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Advertisment

ଲା-ନିନା ଏକ ସ୍ପାନିସ୍ ଶବ୍ଦ । ପ୍ରଶାନ୍ତ ମହାସାଗରରେ ଘଟୁଥିବା ଏକ ଋତୁକାଳୀନ ପରିବର୍ତ୍ତନକୁ ଲା-ଲିନା କୁହନ୍ତି । ଲା ନିନା ହେଉଛି ଏଲ୍ ନିନୋର ବିପରୀତ ଅର୍ଥ । ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ହାରାହାରି ଅପେକ୍ଷା ଅଧିକ ଥଣ୍ଡା ହୋଇଯାଏ । ଯେତେବେଳେ ଲା-ନିନା ଦୁର୍ବଳ ହୋଇଯାଏ, ସେତେବେଳେ ପ୍ରବଳ ଗରମ ହୋଇଥାଏ । ଲା-ନିନା ସମୁଦ୍ର ଗର୍ଭରେ ଅଧିକ ଥଣ୍ଡା ସୃଷ୍ଟି କରେ ଏବଂ ଅଧିକ ଉଷ୍ମ ହେବାର ସମ୍ଭାବନା କମ୍ ଥାଏ । କିନ୍ତୁ ଲା-ନିନା ଦୁର୍ବଳ ହେବା ଯୋଗୁଁ ଏହି ବର୍ଷ ଥଣ୍ଡା କମ୍ ହେବ ଏବଂ ରେକର୍ଡ ଭାଙ୍ଗିବା ଭଳି ତାତି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବଡ଼କଥା ହେଉଛି ଲା-ନିନା ପ୍ରଶାନ୍ତ ମହାସାଗରର ମଧ୍ୟ ଏବଂ ପୂର୍ବ ବିଷୁବ ଅଞ୍ଚଳର ସମୁଦ୍ର ପୃଷ୍ଠର ସଂଗଠିତ ହୋଇପାରେ । 

ଭାରତକୁ କାହିଁକି ଲା-ନିନା ଭୟ?

ଲା ନିନା ଦୁର୍ବଳ ହେଲେ ପ୍ରଭାବିତ ହେବାକୁ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ବିଷୁବରେଖା ନିକଟରେ ଅବସ୍ଥିତ । ଲା-ନିନା ଦୁର୍ବଳ ହେବା ଯୋଗୁଁ ଭାରତରେ ଅଧିକ ଗରମ ହେବ ଏବଂ ବର୍ଷା କମ୍ ହେବ । ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଲା-ନିନା ଯୋଗୁଁ ପ୍ରଭାବିତ ହୋଇଥାଏ । ଖାସ୍ କରି ଅକ୍ଟୋବର ଆସିଲେ ବଙ୍ଗୋପସାଗରରେ ସୃଷ୍ଟିହୁଏ ଘୂର୍ଣ୍ଣିଝଡ଼ । କାରଣ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ହୋଇଥାଏ ଅକ୍ଟୋବର ମାସ । ସେତେବେଳେ ସମୁଦ୍ରର ଉପର ଭାଗରେ ତାପମାତ୍ରା ଅଧିକ ଥାଏ, ସମୁଦ୍ର ଭିତରେ ପବନର ବେଗ କମ୍‌ ବେଶି ହୋଇଥାଏ । ପ୍ରଶାନ୍ତ ମହାସାଗରରେ ଲା-ନିନା ସଙ୍ଗଠିତ ହେଲେ ବାତ୍ୟା ଆଶଙ୍କା ବଢ଼ିବ ।