କନକ ବ୍ୟୁରୋ: ହକି ଏସିଆ କପ୍ ଚାମ୍ପିୟନ ହୋଇ ବିଜୟ ବାନା ଉଡ଼ାଇଛି ଭାରତୀୟ ଟିମ୍ । ଆଉ ଏହି ବିଜୟ ପଛରେ ରହିଛି ଦୁଇ ଓଡ଼ିଶା ଖେଳାଳିଙ୍କ ଅବଦାନ । ଭାରତୀୟ ଟିମ୍ ପାଇଁ ଫରୱାର୍ଡରେ ଖେଳୁଥିବା ଶିଳାନନ୍ଦ ଲାକ୍ରା ଏବଂ ଅଭିଜ୍ଞ ଅଲିମ୍ପିଆନ୍‌ ଅମିତ ରୋହିଦାସ ଏଥର ବି ହକି ଷ୍ଟିକରେ କମାଲ କରିଛନ୍ତି ।

Advertisment

ହକି ଏସିଆ କପ୍ ଆରମ୍ଭରୁ ହିଁ ଭାରତୀୟ ଟିମ୍ ଏସିଆ କଣ୍ଟିନେଣ୍ଟର ସମସ୍ତ ହକି ଦଳ ଉପରେ ଭାରୀ ପଡ଼ିଥିଲା । ବିଶ୍ବକପ୍‌ର ଯୋଗ୍ୟତାକୁ ନଜରରେ ରଖି ଭାରତୀୟ ଦଳ ପ୍ରତିଟି ମ୍ୟାଚ୍ ରେ ସଙ୍କଳ୍ପବଦ୍ଧ କରି ପଡ଼ିଆକୁ ଓହ୍ଲାଇଥିଲା । ଚୀନ୍, ଜାପାନ, କୋଆ ଭଳି ଏମିତି ଅନେକ ଶକ୍ତିଶାଳୀ ଟିମକୁ ମାତ୍ ଦେଇ ଏସିଆ ଚାମ୍ପିୟନର ଟାଇଟେଲ୍ ହାତେଇଛି ଟିମ୍ ଇଣ୍ଡିଆ ।  

ବଡ଼କଥା ହେଲା, ଶିଳାନନ୍ଦ ପ୍ରଥମ ଥର ଏବଂ ଅମିତ ତୃତୀୟ ଥର ଏସିଆ କପ୍‌ ପଦକ ଜିତିଛନ୍ତି । ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ବିଜୟୀ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି ।

ଏପଟେ ଏସିଆ କପ୍‌ ମୁକୁଟ ସହ ଭାରତୀୟ ହକି ଦଳ ସିଧାସଳଖ ୨୦୨୬ ପୁରୁଷ ହକି ବିଶ୍ବକପ୍‌ ଟିକେଟ୍ ହାତେଇଛି । ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍‌ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଏହି ମହାଦେଶୀୟ ମୁକୁଟ ଅର୍ଜନ କରିଛି । ପୂର୍ବରୁ ଭାରତ ୨୦୦୩ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୪-୨ରେ, ୨୦୦୭ରେ ପ୍ରବୋଧ ତିର୍କିଙ୍କ ଦଳ ୭-୨ରେ କୋରିଆକୁ ଏବଂ ୨୦୧୭ରେ ମାଲେସିଆକୁ ୨-୧ରେ ହରାଇ ବିଜେତା ହୋଇଥିଲା । ଏବେ ହର୍ମନପ୍ରୀତ୍ ସିଂହଙ୍କ ଦଳ ୮ ବର୍ଷ ପରେ ଭାରତକୁ ପୁଣି ଏସିଆ କପ୍‌ ବିଜୟର ସଫଳତା ଦେଇଛି ।