କନକ ବ୍ୟୁରୋ: ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ନିଭାଉଛି ଯାଜପୁର ଜିଲ୍ଳା ଚଣ୍ଡିଖୋଲର ବାରୁଣାବନ୍ତ ପାହାଡ଼ । ପର୍ବତରେ ରହିଛି ଶହଶହର ଔଷଧୀୟ ବୃକ୍ଷରାଜି । ଏହାର ସବୁଜମୟ ପରିବେଶ ସାଙ୍ଗକୁ ଶୁଦ୍ଧ ଝରଣା ପାଣିର ଆକର୍ଷଣରେ ପର୍ଯ୍ୟଟକ ଟାଣି ହୋଇଆସୁଛନ୍ତି ।
ଚଣ୍ଡିଖୋଲର ବାରୁଣାବନ୍ତ ପର୍ବତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ । ସବୁଜ ବନାନୀ, ଘଞ୍ଚ ଜଙ୍ଗଲ, ପ୍ରାକୃତିକ ଝରଣା ଦେଖିଲେ କେହି ବି ମନ୍ତ୍ରମୁଗ୍ଧ ହୋଇଯିବେ । ସେଥିପାଇଁ ତ ଚଣ୍ଡିଖୋଲକୁ ଓଡ଼ିଶାର ଶୈଳ ନିବାସ ବୋଲି କୁହାଯାଏ । ଏହି ପର୍ବତରେ ଏକ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଥିବା ଗବେଷଣାରୁ ଜଣାପଡ଼େ । ଖାଲି ସେତିକି ନୁହେଁ, ବାରୁଣାବନ୍ତ ପର୍ବତକୁ ଏକ ଅଭୟାରଣ୍ୟ କହିଲେ ଭୁଲ ହେବ ନାହିଁ । ହରିଣ, ବାର୍ହା, ମୟୂର, ଖୁରିଙ୍ଗ, ଅଜଗର, ବିଭିନ୍ନ ପ୍ରଜାତିର ଶୁଆଙ୍କୁ ଦେଖିବାକୁ ମିଳେ ।
ଜୈବ ବିବିଧତା ପରିପୂର୍ଣ୍ଣ ପର୍ବତର ଅନ୍ୟତମ ଆକର୍ଷଣ ଏଠାରେ ଥିବା ପ୍ରସିଦ୍ଧ ମନ୍ଦିର । ପର୍ବତ ଗୁମ୍ଫାରେ ରହିଛି ପଞ୍ଚଦେବଙ୍କ ପ୍ରସିଦ୍ଧକ୍ଷେତ୍ର ମହାବିନାୟକ ମନ୍ଦିର, ଚଣ୍ଡିଖୋଲର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡିଙ୍କ ମନ୍ଦିର ଓ ପର୍ବତର ଶିଖରରେ ରହିଛି ମା’ ବନଦୁର୍ଗାଙ୍କ ମନ୍ଦିର । ବର୍ଷ ତମାମ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ପର୍ବତର ଶୀର୍ଷ ଦେଶରୁ ବହିଆସୁଥିବା ଝରଣାର ଶୁଦ୍ଧ ଜଳ ପିଇଲେ ରୋଗରୁ ମୁକ୍ତି ମିଳେ ବୋଲି ରହିଛି ବିଶ୍ୱାସ ।
୧୭୭୯ ଏକର ପରିମିତ ଏହି ପର୍ବତ ସୁରକ୍ଷିତ ପରିବେଶ ସାଙ୍ଗକୁ ସୁଶୀତଳ ପବନ, ଶୁଦ୍ଧ ଔଷଧୀୟ ଝରଣା ପାଣି ନିରନ୍ତର ଭାବେ ଯୋଗାଇ ଆସୁଛି । ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଏହି ପର୍ବତର ଭୂମିକା ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ।