କନକ ବ୍ୟୁରୋ: ଚା’ ଆଉ ଚା’ବାଲାଙ୍କ କାହାଣୀ ଆପଣ ଅନେକ ସମୟରେ ଶୁଣିଥିବେ ଏବଂ ଦେଖିଥିବେ । ହେଲେ ଓଡ଼ିଶାର ଜଣେ ଦିବ୍ୟାଙ୍ଗ ଚା’ବାଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସେ ଶୁଣି ପାରନ୍ତିନି କି କଥା କହି ପାରନ୍ତିନି ହେଲେ ତାଙ୍କ କପେ ଚା’ କଥା କୁହେ ଆଉ ସେ ଇସାରାରେ ଦେଉଥିବା ଢୋକେ ଉଷୁମ ଚା’ରେ ଇସ୍କ ହୋଇଯାଏ ।
ଚା’ କାହାକୁ ପସନ୍ଦ ନୁହେଁ ଯେ? ପାଟିକୁ ଟିକେ ଉଷୁମ ଚା’ ମିଳିଗଲେ ଦିନଟା ପୂରା ମସ୍ତ ହୋଇଯାଏ । ସେମିତି ଏକ କପେ ଚା’ର କାହାଣୀ ଆସିଛି ବିରଜା କ୍ଷେତ୍ର ଯାଜପୁରରୁ । ଶାରୀରିକ ଅକ୍ଷମତା ଥାଇ ଆତ୍ମବିଶ୍ବାସରେ ହାରିନାହାନ୍ତି ସୀତାକାନ୍ତ ମହାଳାକ । ସୀତାକାନ୍ତ ପିଲାଦିନୁ କହିପାରନ୍ତିନି କିମ୍ବା ଶୁଣି ପାରନ୍ତିନି ହେଲେ ବି ଇସାରାରେ ବୁଝି ପାରନ୍ତି ସାମ୍ନାବାଲାର ମନକଥା । ଯାଜପୁର ସହରର କଳିମେଘା ଅଞ୍ଚଳରେ ଚା’ ଦୋକାନ ଚଳାଇ ସେ ଆତ୍ମନିର୍ଭର ଉଦାହରଣ ପାଲଟିଛନ୍ତି ।
ଆଖିରେ ଆଖିଏ ସ୍ଵପ୍ନ ଓ ହୃଦୟରେ ଅମାପ ଆତ୍ମବିଶ୍ଵାସ ନେଇ ନିଜ ପରିବାରର ପେଟ ପୋଷିବକୁ ସୀତାକାନ୍ତ ଚଳାଇଛନ୍ତି ଚା’ ଦୋକାନଟେ । ଛୋଟ ଚା’ ଦୋକାନଟିଏ ହେଲେ ବି ହସ ହସ ମୁହଁରେ ଚା’ କଫି ତିଆରି କରି ଦିଅନ୍ତି ସେ । ସୀତାକାନ୍ତଙ୍କ ହାତ ତିଆରି ଚା’ର ଟେଷ୍ଟ ଯେମିତି ବେଷ୍ଟ୍, ସେମିତି ତାଙ୍କ ବ୍ୟବହାର ମଧ୍ୟ ବହୁତ ବଢ଼ିଆ । ସେଥିପାଇଁ ତ ଖରା ହେଉ କି ବର୍ଷା ସବୁବେଳେ ସୀତାକାନ୍ତଙ୍କ ସୁଆଦିଆ ଚା’ ପାଇଁ ଜମିଥାଏ ଗ୍ରାହକଙ୍କ ଭିଡ଼ ।
ଜୀବନ ପାଇଛେ ମାନେ ସୁଃଖ ଦୁଃଖ ସବୁର ସାମ୍ନା କରିବାକୁ ପଡ଼ିବ । କିନ୍ତୁ ଯିଏ ନହାରି ଲଢ଼େଇ କରେ ସେ ହିଁ ସିକନ୍ଦର ପାଲଟେ । ଆଉ ଏହାର ଜଳ୍ବନ୍ତ ଉଦାହରଣ ହେଉଛନ୍ତି ଦିବ୍ୟାଙ୍ଗ ଚା’ ବାଲା ସୀତାକାନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/08/35-2025-09-08-15-36-06.jpg)