କନକ ବ୍ୟୁରୋ: ମୁଁ ଭୁବନେଶ୍ୱର... ସ୍ୱପ୍ନ ସଜାଡୁଥିବା ସହର, ରୋଜଗାର ଦେଉଥିବା ରାଜଧାନୀ, ଭୋକକୁ ଚିହ୍ନି ଭୋକିଲାର ପେଟ ପୂରା କରୁଥିବା ଭରସା ଓ ଭିଡ଼ର ଭୁବନେଶ୍ୱର । ଆଜି ମୋର ଜନ୍ମଦିନ, ଆଉ ଗୋଟେ ବର୍ଷ ବୟସ୍କ ହେଇଗଲି ମୁଁ । ମୋତେ ପୂରିଛି ୭୭ ବର୍ଷ । ସ୍ୱାଧୀନତାର ବର୍ଷକ ପରେ ଜନ୍ମ ହୋଇ ଧିରେ ଧିରେ ବଢ଼ିଲା ମୋ ବୟସ । କୁନି ପିଲା ପରି ମୋତେ ବି ରାଜଧାନୀବାସୀ ସ୍ମାର୍ଟ କଲେ । ମୋ ମନର ମଲାଟରେ, ମୋ କାନ୍ଥର କାନଭାସରେ ଆଙ୍କି ଦେଲେ ଆଗାମୀ ଭବିଷ୍ୟତ । ପ୍ରାୟ ୬୦୦ ମନ୍ଦିରକୁ ଛାତିରେ ରଖି ସଂସ୍କୃତିର ସିଲଟରେ ନାଁ ମୋର ଅଛି ମନ୍ଦିରମାଳିନୀ  । ଆଉ ଏବେ ମୁଁ ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ଭାବେ ମଧ୍ୟ ଜଣାଶୁଣା ।

Advertisment

ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ବୋଲି ମୋ ନାଁ ଭୁବନେଶ୍ୱର ହୋଇଛି । ଆଉ ସେଥିପାଇଁ ତ ଏହି ଏକାମ୍ରକ୍ଷେତ୍ରର ରାଜା ହେଉଛନ୍ତି ସ୍ୱୟଂ ପ୍ରଭୁ ଲିଙ୍ଗରାଜ । ମୋର ଉଭୟ ପୁରାତନ ଏବଂ ଆଧୁନିକ ଇତିହାସ ରହିଛି । ପୁରାତନ ଇତିହାସ ୨ ହଜାର ବର୍ଷ ତଳର ଏବଂ ଆଧୁନିକ ସହରର ଇତିହାସ ୧୯୬୮ରୁ ଆରମ୍ଭ ହୋଇଛି । ଖ୍ରୀଷ୍ଟପୂର୍ବ ୩୦୦ରେ ହୋଇଥିବା କଳିଙ୍ଗ ଯୁଦ୍ଧରେ ଭୁବନେଶ୍ୱରର ନାମ ଉଲ୍ଲେଖ କରାଯାଇଥିଲା ଯାହାକି ପରେ ସ୍ଥାପିତ ହୋଇଥିବା ଧଉଳି ଶାନ୍ତିସ୍ତୁପ ନିକଟରେ ହୋଇଥିଲା । ଖାରବେଳଙ୍କଦ୍ୱାରା ଉଦୟଗିରି ଏବଂ ଖଣ୍ଡଗିରିରେ ହୋଇଥିବା କାରୁକାର୍ଯ୍ୟ ଦେଖିବାକୁ ମିଳେ । ଜୈନ ଏବଂ ବୁଦ୍ଧଙ୍କର ବିଭିନ୍ନ ଐତିହାସିକ ଚିହ୍ନ ଦେଖିବାକୁ ମିଳେ । କଳିଙ୍ଗ ରାଜୁତି କାଳରେ ଏହା ରାଜଧାନୀ ଥିଲା ।

ହଜାର ବର୍ଷର ଐତିହ୍ୟନଗରୀ କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନହେବାରୁ ଏକାମ୍ରକ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋକଏନ୍ସ ବର୍ଗର" । ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହିଦିନଠାରୁ ବୟସ ବଢ଼ିବା ସହ ନୂଆ ରାଜଧାନୀର କଳେବର ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି ।

https://www.facebook.com/share/v/12Fmsudkbdx/

ମୋ ବୟସ ବଢ଼ିବା ସହ ମୋ ଆକାର ବି ବଢ଼ିଛି । ରାଜଧାନୀ ଭୁବନେଶ୍ୱରରୁ ସ୍ମାର୍ଟସିଟି ଭୁବନେଶ୍ୱର ବି ହେଇଛି । ରାଜନୀତିକୁ ମୁଁ ଅତି ପାଖରୁ ଦେଖିଛି, ମେଣ୍ଟ ସରକାରଠୁ ଆରମ୍ଭ କରି ସରକାର ବଦଳିବା ଭଳି ପଲିଟିକ୍ସର ଫର୍ଦ୍ଦ ଲେଉଟିବା ବି ଦେଖିଛି । ହଁ ଭିତରେ ଖୁସି ଅଛି କାରଣ, ମୋ ଛାତି ଉପରେ ଛିଡ଼ା ହୋଇଛି ଆଖି ପାଉନଥିବା ଉଚ୍ଚ ଅଟ୍ଟାଳିକା, ଏଇଠୁ ବିଦେଶକୁ ଉଡ଼ିଯାଉଥିବା ସେ ମାନବଚାଳିତ ପକ୍ଷୀ, ଆଇଟି ହବ୍, ସ୍କିଲ୍ ସେଣ୍ଟର ଭଳି ଅନେକ କିଛି । ମୋ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ଆଧୁନିକତା ଆଇନା ଦେଖୁଛି ସତ, ହେଲେ ସେଦିନର ଭୁବନେଶ୍ୱର ଆଉ ଆଜିର ଭୁବନେଶ୍ୱର ଭିତରେ ଦେଖିପାରୁଛି ଆକାଶ ପାତାଳର ଫରକ୍ ।