କନକ ବ୍ୟୁରୋ: ଗନ୍, ଗୁଳି ଓ ଗ୍ୟାଙ୍ଗଷ୍ଟର । ବଲିଉଡ୍ ଷ୍ଟାରଙ୍କ ଛାତିରେ ଏବେ ଏହି ୩ଟି ନାଁ ଛନକା ଭରିଛି । ସୁନେଲୀ ଦୁନିଆ ଭିତରେ ବଞ୍ଚୁଥିବା ବଡ଼ ବଡ଼ ସେଲିବ୍ରିଟି ଏବେ ଆଉ ସୁନେଲୀ ପରଦାର ସ୍ବପ୍ନ ଦେଖୁନାହାନ୍ତି । ଆଉ ରାତିରେ କଡ଼ ଲେଉଟାଇବାକୁ ବି ତାଙ୍କୁ ଡର ଲାଗୁଛି । କାହିଁକି ନା ତାଙ୍କ ସ୍ବପ୍ନକୁ ଭାଙ୍ଗିଦେଉଛି ଗ୍ୟାଙ୍ଗଷ୍ଟରଙ୍କ ଘନ ଘନ ଗୁଳି ଗର୍ଜନ । ପ୍ରଥମେ ସଲମାନ୍, କପିଲ୍ ଶର୍ମା, ଏଲଭିସ୍ ଆଉ ଏବେ ଦିଶା ପାଟନୀଙ୍କ ଘର ଆଗରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳି ମାଡ଼ ଘଟଣା, ସାରା ବଲିଉଡକୁ ଭୟଭୀତ କରିଦେଇଛି ।
ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଆଠ ମିନିଟ୍ ଧରି ଚାଲିଥିଲା ଗୁଳିକାଣ୍ଡ । ଖାଲି ଫାୟାରିଂ ନୁହେଁ ଏହାସହ ସୋସିଆଲ ମିଡିଆରେ ଦିଶାଙ୍କୁ ଧମକ ମଧ୍ୟ ଦିଆଯାଇଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି । ଦିଶା ସାଧୁସନ୍ଥଙ୍କୁ ଅପମାନ କରିଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଓ ତାଙ୍କ ସହ ଜଡ଼ିତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦିଆଯାଇଥିବା ସୂଚନା ମିଳିଛି ।
ଗତ ବର୍ଷ ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ଓ ନିକଟରେ କମେଡି କିଙ୍ଗ୍ କପିଲ୍ ଶର୍ମା ଓ ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଆଗରେ ଗ୍ୟାଙ୍ଗଷ୍ଟର ମାନେ ଫାୟାରିଂ କରିଥିଲେ । ସଲମାନ ଖାନଙ୍କୁ ବିଗତ କିଛି ବର୍ଷ ହେବ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ଟାର୍ଗେଟ୍ କରିଛି । ଅନେକ ସମୟରେ ତାଙ୍କ ସୁରକ୍ଷାକୁ ମଧ୍ୟ କଡ଼ା କଡ଼ି କରାଯାଇଥିବା ଦେଖିବାକୁ ମିଳିଥାଏ । ସେହିପରି କାନାଡାରେ କପିଲ୍ ଶର୍ମାଙ୍କ କାଫେ ଉପରେ ମାସକ ମଧ୍ୟରେ ଦୁଇ ଦୁଇ ଥର ଫାୟାରିଂ କରିଥିଲେ ଗ୍ୟାଙ୍ଗଷ୍ଟର । ଏହାପରେ ମୁମ୍ବାଇ ସ୍ଥିତ କପିଲ ଶର୍ମାଙ୍କ ଘର ବାହାରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଥିଲା ।
ଅନ୍ୟପଟେ ଅଗଷ୍ଟ ୧୭ରେ ଏଲଭିସ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘରକୁ ୧୦ରୁ ୨୦ ଥର ଫାୟାରିଂ କରିଥିଲେ ଦୁର୍ବୃତ୍ତ । ଏକ ଗ୍ୟାଙ୍ଗ୍ ଏହି ଗୁଳିକାଣ୍ଡ ଘଟାରେ ନିଜକୁ ଦାୟୀ କରିବା ସହ ଏଲଭିସଙ୍କୁ ବେଟିଂ ଆପର ପ୍ରମୋସନଠୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲା । ସିସିଟିଭି ଆଧାରରେ ଗୁରୁଗ୍ରାମ ପୁଲିସ ଏହାର ତଦନ୍ତ ଜାରି ରଖିଛି ।
କେତେବେଳେ ଲରେନ୍ସ ଗ୍ୟାଙ୍ଗ୍ ତ କେତେବେଳେ ଗୋଲ୍ଡି ବ୍ରାର ଗ୍ୟାଙ୍ଗ୍, ଉଭୟ ବଲିଉଡକୁ ଏବେ ବନ୍ଧୁକ ମୁନରେ ରଖିଛନ୍ତି । ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏବେ କେବଳ ଗନ୍, ଗୁଳି ଓ ଗ୍ୟାଙ୍ଗଷ୍ଟର ମାନେ ଆତଙ୍କ ଖେଳାଇଛନ୍ତି ।