କନକ ବ୍ୟୁରୋ: ପଲକ ପଡ଼ୁନଥିବା ଯାହାର ବିଶାଳ ଆଖିରେ ସାରା ବିଶ୍ବ ସମାହିତ ହୁଏ । ଯାହାର ନାଲି ଅଧରରୁ କେବଳ ଖିଲିଖିଲି ହସ ଝରୁଥାଏ, କାନ ନଥାଇ ବି ଭକ୍ତର ଦୁଃଖ ବେଶ୍ ଭଲସେ ଶୁଣେ ସେ , ତା’ ହାତ-ଗୋଡ଼ ନାହିଁ ବୋଲି ସେ ଅଧାଗଢ଼ା କିନ୍ତୁ ଗୁହାରି କଲେ ସବୁ ସମସ୍ୟାକୁ ଦୂର କରିବାକୁ କେଜାଣି କେମିତି ଦୌଡ଼ି ଆସେ । ଛୁଆଁ, ଅଛୁଆଁ ଭେଦ ଭାବ କିଛି ଦେଖେନି ସେଥିପାଇଁ ତ ସାରା ଜଗତ ପାଇଁ ସେ ସାଆନ୍ତ ବୋଲାଏ ।

Advertisment
GudeABEakAAo-6Mhh
kanaknews Photograph: (dd)

‘କାଳିଆ’ରେ.. ତୁ ଏମିତି ଏକ କଷ୍ଟସାଧ୍ୟ ଅଙ୍କ ଯାହାକୁ କେହି କେବେ କଷି ପାରିନି । ତୁ ମୋ ଜୀବନର ଜ୍ୟାମିତି ଭଳି, ତୋତେ ଯେତେ ବୁଝିବାକୁ ଚେଷ୍ଟା କରୁଛି ତୋ ସହ ସେତେ ନୂଆ ନୂଆ ସମ୍ପର୍କର ସୂତ୍ର ଯୋଡ଼ି ହୋଇଯାଉଛିରେ ଜଗା । ତୋର ସେ ଚକା ଚକା ଆଖିରେ ତୁ ଚାରିଆଡ଼େ ଚାହୁଁଥାଉ ଆଉ ମୁଁ ଯୁଆଡ଼େ, ଯେମିତି ଦେଖିଲେ ଲାଗେ ତୁ ଖାଲି ମୋତେ ଚାହିଁଛୁ । ଏମିତି କେମିତିରେ କାଳିଆ ? ଓଃ ତୁ ସେଇଥିପାଇଁ ଚକାନୟନ ବୋଲାଉଛୁ...

 

Gub-oBobgAAnL7Odd
kanaknews

ତୋ ପାଖରେ ଅଳି ଅର୍ଦ୍ଦଳି କିଛି କରିବାକୁ ପଡ଼େନି । ତୁ ଭକ୍ତର ଭାବନାକୁ ବୁଝିଯାଉ । ସେଥିପାଇଁ କିଏ ତୋତେ ଭାବବିନୋଦିଆ କୁହେ ତ ଆଉ କିଏ ପ୍ରେମରେ କଳା କଳେବର କହ୍ନେଇ ଡାକେ । ପତିତଜନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ନାଁ ତୋର । ଘୋଷଯାତ୍ରାରେ ଘରଘର ନାଦ କରି ଗଡ଼ୁଥିବା ତୋ ରଥକୁ ଛୁଇଁଦେଲେ ଜୀବନ ଧନ୍ୟ ହୋଇଯାଏ ବୋଲି ସାତ ଦରିଆ ପାରି ହୋଇ ମୁଁ ଆସିଛି । ତୋର ସେ ଚୋରା ଚାହାଣୀରେ ମୋ ଚିତ୍ତ ଚୋରି କରିନେଇଛୁରେ କାଳିଆ ।

GucqdBLaoAAq4Bx
kanak news

ମୁଁ ତୋ ପାଇଁ ଦାସିଆ ବାଉରୀ କି ସୁଦାମା ନହୋଇପାରେ କିନ୍ତୁ ବିଶ୍ବର ଏ ବଡ଼ଦାଣ୍ଡରେ ବରଷକୁ ଥରେ ଗଡ଼ୁଥିବା ରଥର ଦଉଡ଼ିକୁ ଛୁଇଁ ତୋ ମୋ ଭିତରେ ଦୂରତାକୁ କମାଇଦେବାକୁ ଚାହେରେ ଜଗା । ହଁ ତୁ ମୋତେ କୋଳେଇ ନେବୁ ମୁଁ ଜାଣିଛି କାରଣ ତୋ ପାଖକୁ ଯିବା ପାଇଁ ମୋତେ କୌଣସି ଧର୍ମର ଆଇକାର୍ଡର ଆବଶ୍ୟକତା ନାହିଁ କିମ୍ବା କୌଣସି ଜାତିର ପରିଚୟ ବି ଲୋଡ଼ା ନାହିଁ ।

GucZOMSaYAAePXM
kanak news

ତୁ ରତ୍ନବେଦିରୁ ତୋ ମାନବୀୟ ଲୀଳାଖେଳା କରିବାକୁ ଆସିଛୁ । ହେଲେ ସତ କହିବୁ ତୁ ମୋ ପାଇଁ ଆସିଛୁ ନା ! ମୁଁ ଜାଣିଛି ତୁ ମୋତେ ମିଛ କହିବୁନି କି ନିରାଶ କରିବୁନି, ତୋତେ ଏତିକି ଗୁହାରି ତୋର ସେ ବିଶାଳ ବାହୁରେ ମୋତେ ଟିକେ ଜାବୁଡ଼ି ଧରିବୁ । ରଥ ଉପରେ ତୁ, ରଥ ଦଉଡ଼ି ଧରି ତୋ ପାଖେ ପାଖେ ମୁଁ । ଜଗାରେ ତୋର ଏ ନଅ ଦିନର ଯାତ୍ରା ମୋ ଜୀବନର ବହୁ ଅପେକ୍ଷା ଓ ଆବେଗର ଯାତ୍ରା ଭଳି । ତୋର ସେ ଅସୀମ ମେରୁ ଭିତରେ ମୋତେ ସମାହିତ କରିନେବୁରେ କାଳିଆ ସୁନା...