କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀ...ଦେଶର ଦିଲ୍, ନୀତିର ନଗରୀ । ଯେଉଁଠି ନିଇତି ସାରା ଭାରତ ପାଇଁ ନୀତି, ଯୋଜନା ଓ ନିୟମକାନୁନ ତିଆରି ହୁଏ, ସେହି ସହରର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । କେତେବେଳେ ପାଣି, କେତେବେଳେ ପବନ, ଆଉ କେବେ ଟ୍ରାଫିକ୍ ସମସ୍ୟା ଦିଲ୍ଲୀର ଦିଲ୍ ରେ ଦୁଃଖ ଦେଇ ଚାଲିଛି ।
ବର୍ଷା ଦିନ ଆସିଲେ ଯମୁନାର ପାଣି ବଢ଼େ, ଆଉ ତା’ ସାଙ୍ଗେ ବଢ଼ିଥାଏ ଯନ୍ତ୍ରଣା । ଅବ୍ୟବସ୍ଥିତ ସହରୀକରଣ ଓ ଡ୍ରେନେଜ୍ ଅବହେଳା ଏବେ ଦିଲ୍ଲୀକୁ ସଙ୍କଟରେ ପକାଇଦେଉଛି । ବର୍ଷା ପାଣି ନିଷ୍କାସନ ହେବା ତ ଦୂରର କଥା, ଦିଲ୍ଳୀର ୬୦ରୁ ଅଧିକ ଭାଗ ସ୍ଥାନରେ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।
ଦେଶର ରାଜଧାନୀରୁ ରାଜନୀତିର ରୋଡ୍ ମ୍ୟାପ୍ ବେଶ୍ ଭଲ ଭାବେ ପ୍ରସ୍ତୁତ ହୁଏ କିନ୍ତୁ ରାଜଧାନୀ ହେବେ ସମସ୍ୟାର ରାଜଧାନୀ ଭାବେ ପରିଣତ ହେବାରେ ଲାଗିଛି । ଦିଲ୍ଲୀର ଛାତିରୁ ସାରା ଭାରତର ଶାସନ ବ୍ୟବସ୍ଥାର ଡୋରୀ ସରକାର ସମ୍ଭାଳୁଛନ୍ତି ହେଲେ ଜନଜୀବନ କେବେ ଜଳବନ୍ଦୀ ତ କେବେ ଅଣନିଶ୍ବାସୀ ହୋଇଯାଉଛନ୍ତି ।
ଖାଲି ପାଣି, ପବନରେ ପ୍ରାଣ ଯାଉନି ବରଂ ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥା ବି ଦୟଦୀୟ କହିଲେ ଭୁଲ୍ ହେବନି । ଅସରାଏ ବର୍ଷା ହେଲା ମାନେ ପାଣି ଜମେ ଆଉ ପ୍ରଭାବିତ ହୁଏ ଶିକ୍ଷା । ବନ୍ଦ ରୁହେ ବିଦ୍ୟାଳୟ ବନ୍ଦ, ଅନ୍ଧାରକୁ ଠେଲି ହୋଇଯାଏ ଭାରତର ଆଗାମୀ ଭବିଷ୍ୟତ । ଦିଲ୍ଲୀ ବାସିନ୍ଦାଙ୍କ କହିବା ଅନୁଯାୟୀ, ଠିକ୍ ସମୟରେ ଡ୍ରେନ୍ ସଫା ନହେବା । ବନ୍ୟା ମୁକାବିଲା ନେଇ ନୀତି ନିର୍ଦ୍ଧାରଣ ନକରିବା ଯୋଗୁଁ ଦିଲ୍ଲୀ ଆଜି ଦୁଃଖ ପାଉଛି ।
ବନ୍ୟା ସମସ୍ୟା ଏବେ ଦିଲ୍ଲୀ ପାଇଁ ଅଭିଶାପ ପାଲଟିଛି । ଯେଉଁଠାରୁ ସାରା ଦେଶର ପାଇଁ ଯୋଜନା ତିଆରି ହୁଏ, ସେଠି ପାଣି, ପବନର ସଙ୍କଟ ସରକାରୀ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନର ପାହାଡ଼ ଛିଡ଼ା କରିଛି ।