କନକ ବ୍ୟୁରୋ: ରାଜନୀତିର ବିକଳ ଚିତ୍ର । ପେଟ ପାଇଁ ପରପାଖରେ ମୂଲ ଲାଗିଲେ ମହିଳା ସମିତି ସଭ୍ୟା । ନିଜ ପିଲାଙ୍କ ମୁହଁରେ ଦୁଇଗଣ୍ଡା ଦାନା ଯୋଗାଇବା ପାଇଁ ନାରୀ ନେତ୍ରୀ କରୁଛନ୍ତି ଅହରହ ସଂଗ୍ରାମ । ରାଜ୍ୟରେ ଶାସକ ବିରୋଧୀଙ୍କ ଛକାପଞ୍ଝା ଭିତରେ ଗ୍ରାମାଞ୍ଚଳର ବିକାଶ ବିନାଶ ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି । ଏପରିକି ଜନପ୍ରତିନିଧି ମାନେ ଏବେ ବଞ୍ଚିବା ପାଇଁ ଦିନ ମଜୁରିଆ ସାଜିଛନ୍ତି ।
କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ନିଆଳି ପଞ୍ଚାୟତ ପୂର୍ବଖଣ୍ଡ ମୁଣ୍ଡାସାହି ଗାଁର ମମତା ଚାମ୍ପିଆ, ବୟସ ୪୦ ଛୁଇଁଲାଣି । ବିବାହର କିଛି ବର୍ଷ ପରେ ସ୍ମାମୀ ଭାଷ୍କର ଚାମ୍ପିଆଙ୍କର ଅକାଳ ବିୟୋଗ ହୋଇଗଲା । ଏହାପରେ ମମତା ନିଜ ଗୋଡ଼ରେ ଠିଆ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିବାର ପ୍ରତିଜ୍ଞା ନେଇ ସାଜିଛନ୍ତି ଦିନ ମଜୁରିଆ । ଘରୁ ଗୋଡ଼ କାଢି ଗାଁ ଗଣ୍ଡା ବୁଲି ବୁଲି ପରଘରେ ମୂଲ ଲାଗିବାକୁ ପଛେଇ ନାହାନ୍ତି । ଦିନ ତମାମ ଯାହା ରୋଜଗାର କରନ୍ତି ସେଇ ପଇସାରେ ତାଙ୍କ ଘର ଚଳେ । ହେଲେ ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପ୍ରାର୍ଥୀନୀ ପାଇଁ ନାମାଙ୍କନ ଭରିଥିଲେ ମମତା । ଲୋକଙ୍କ ଭଲ ପାଇବା ଓ ମମତାଙ୍କ ଦୃଢ ଇଛାଶକ୍ତି ପାଇଁ ମମତା ୧୩୦୦ ଶହ ଭୋଟରେ ବିଜୟଲାଭ କରିଥିଲେ । ମମତାଙ୍କ ଆଶା ଥିଲା ଲୋକଙ୍କ ସେବା କରିବା ସହିତ ନିଜ ପଞ୍ଚାୟତର ବିକାଶ କରିବେ । ହେଲେ ମମତା ଆଶା ଆଶାରେ ରହିଗଲା ।
ନୂତନ ସରକାର ଆସିବା ପରେ ସରକାରଙ୍କ ପାଖରୁ ମିଳୁଥିବା ସ୍ବଳ୍ପ ବେତନରେ ଚଳିବା କଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଆଉ ମମତାଙ୍କ ଭଳି ଅନେକ ଲୋକପ୍ରତିନି ଆଜି ନିଜର ମାନ,ସମ୍ମାନକୁ ପଛରେ ପକାଇ ବଞ୍ଚିବାକୁ ଅହରହ ସଂଗ୍ରାମ କରୁଛନ୍ତି । ସରକାର ଯଦି ଏମାନଙ୍କ ଭାଗ୍ୟ ଭବିଷ୍ୟତ କଥା ବିଚାର କରିବେ ତେବେ ଏମାନେ ମୁହଁରେ ହସ ଫୁଟିବ ବୋଲି ସାଧାରଣ ଲୋକେ ଆଶା ପ୍ରକଟ କରିଛନ୍ତି ।