ସବୁଦିନ ବଢ଼ିଚାଲିଛି ଅପରାଧ; ବିଶ୍ବସ୍ତରରେ ଓଡ଼ିଶା ଲଜ୍ଜିତ

ସବୁଠାରୁ ବଡ଼ କଥା ହେଲା ଆମେରିକା ସରକାର ଆମେରିକୀୟଙ୍କୁ ସତର୍କ କରାଇବାର କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୫ ତାରିଖରେ ଗଞ୍ଜାମର ଗୋପାଳପୁର ବେଳାଭୂମିରେ ଘଟିଥିବା ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ଦେଶ ସହିତ ବିଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିଲା । 

313

odisha

କନକ ବ୍ୟୁରୋ: ଓଡ଼ିଶାରେ ଅପରାଧ ଏବେ ଉପରମୁହାଁ ହେବାରେ ଲାଗିଛି । ଚୋରି, ଡକାୟତି, ହତ୍ୟା, ନାରୀ ନିର୍ଯାତନା, ସାଇବର ଠକେଇ ଭଳି ଘଟଣା ଦିନକୁ ବଢ଼ିବାରେ ଲାଗିଛି । ଖାସ୍ କରି ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ୮୬ ଜଣ ଶିକାର ହୋଇଥିବା ଏନ୍‌ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି । ଏନ୍‌ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି । କେବଳ ଅସଦାଚରଣ ମାମଲାରେ ଦେଶ ଏକ ନମ୍ବର ରାଜ୍ୟ ହେଉଛି ଓଡ଼ିଶା । ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ ।

ଖାଲି ଏତିକି ନୁହେଁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବାରେ ମଧ୍ୟ ଓଡ଼ିଶା ଦେଶର ୮ ନମ୍ବର ରାଜ୍ୟ । ଓଡ଼ିଶାରେ ୧୨ଟି ଘଟଣାରେ ୧୨ ଜଣ ମହିଳାଙ୍କ ଜୀବନ ଯାଇଛି । ଯୌତୁକ ଜନିତ ହତ୍ୟାରେ ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି । ଏସିଡ୍‌ ଆକ୍ରମଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଗତ ରିପୋର୍ଟରେ ଉଲ୍ଲେଖ ଥିଲା ରାଜ୍ୟରେ ୩ ଜଣ ମହିଳା ଏସିଡ୍‌ ଆକ୍ରମଣରେ ଶିକାର ହୋଇଥିଲେ । ବର୍ଷକରେ ୫୧୭୮ ମହିଳାଙ୍କୁ ଅପହରଣ କରାଯାଇଥିବା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ତା’ଛଡା ୨୧୫ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରିଥିବା ନେଇ ମାମଲା ରୁଜୁ ହୋଇଥିଲା । ୫୦ ଜଣ ନାବାଳିକା ମଧ୍ୟ ବଳପୂର୍ବକ ବିବାହର ଶିକାର ହୋଇଥିଲେ । ୯୬ ଜଣ ମହିଳାଙ୍କୁ ଚାଲାଣ କରାଯାଇଥିଲା ।

ଗତ ଜୁନ୍ ୨୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକୀୟ ନାଗରିକଙ୍କ ପାଇଁ ଭାରତର ଓଡ଼ିଶା ସମେତ ୬ ରାଜ୍ୟ ଭ୍ରମଣ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଏବଂ ମହିଳାମାନଙ୍କୁ ଏକୁଟିଆ ନଯିବାକୁ ଗାଇଡଲାଇନ୍ ଜାରି କରିଥିଲେ । ଏହାର ଠିକ୍ ୨୧ ଦିନ ପରେ ଏଫ୍‌ଏମ୍ କଲେଜ ଘଟଣା ଘଟିଥିବା ବେଳେ ଏବେ ବଳଙ୍ଗା ଘଟଣା ଘଟିଛି । ସବୁଠାରୁ ବଡ଼ କଥା ହେଲା ଆମେରିକା ସରକାର ଆମେରିକୀୟଙ୍କୁ ସତର୍କ କରାଇବାର କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୫ ତାରିଖରେ ଗଞ୍ଜାମର ଗୋପାଳପୁର ବେଳାଭୂମିରେ ଘଟିଥିବା ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ଦେଶ ସହିତ ବିଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିଲା । 

ଯେମିତି ୨୦୨୫ ଜାନୁଆରି ମାସ ଥିଲା ଅପରାଧର ମାସ । ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୧୧ ହତ୍ୟା, ୨୦ଟି ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ଟି ଅସଦାଚରଣ, ୭୯ଟି ଯୌନ ନିର୍ଯାତନା, ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ଟି ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିଲା । ଠିକ୍ ସେହିଭଳି ଜୁନ୍ ୨୧ରୁ ଜୁଲାଇ ୨୧ , ମାସକ ଭିତରେ ରାଜ୍ୟରେ ସବୁ ପ୍ରକାରର ଅପରାଧ ବଢ଼ିବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe