କନକ ବ୍ୟୁରୋ: ଓଡ଼ିଶାରେ ଅପରାଧ ଏବେ ଉପରମୁହାଁ ହେବାରେ ଲାଗିଛି । ଚୋରି, ଡକାୟତି, ହତ୍ୟା, ନାରୀ ନିର୍ଯାତନା, ସାଇବର ଠକେଇ ଭଳି ଘଟଣା ଦିନକୁ ବଢ଼ିବାରେ ଲାଗିଛି । ଖାସ୍ କରି ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ୮୬ ଜଣ ଶିକାର ହୋଇଥିବା ଏନ୍‌ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି । ଏନ୍‌ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି । କେବଳ ଅସଦାଚରଣ ମାମଲାରେ ଦେଶ ଏକ ନମ୍ବର ରାଜ୍ୟ ହେଉଛି ଓଡ଼ିଶା । ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ ।

Advertisment

ଖାଲି ଏତିକି ନୁହେଁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବାରେ ମଧ୍ୟ ଓଡ଼ିଶା ଦେଶର ୮ ନମ୍ବର ରାଜ୍ୟ । ଓଡ଼ିଶାରେ ୧୨ଟି ଘଟଣାରେ ୧୨ ଜଣ ମହିଳାଙ୍କ ଜୀବନ ଯାଇଛି । ଯୌତୁକ ଜନିତ ହତ୍ୟାରେ ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି । ଏସିଡ୍‌ ଆକ୍ରମଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଗତ ରିପୋର୍ଟରେ ଉଲ୍ଲେଖ ଥିଲା ରାଜ୍ୟରେ ୩ ଜଣ ମହିଳା ଏସିଡ୍‌ ଆକ୍ରମଣରେ ଶିକାର ହୋଇଥିଲେ । ବର୍ଷକରେ ୫୧୭୮ ମହିଳାଙ୍କୁ ଅପହରଣ କରାଯାଇଥିବା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ତା’ଛଡା ୨୧୫ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରିଥିବା ନେଇ ମାମଲା ରୁଜୁ ହୋଇଥିଲା । ୫୦ ଜଣ ନାବାଳିକା ମଧ୍ୟ ବଳପୂର୍ବକ ବିବାହର ଶିକାର ହୋଇଥିଲେ । ୯୬ ଜଣ ମହିଳାଙ୍କୁ ଚାଲାଣ କରାଯାଇଥିଲା ।

ଗତ ଜୁନ୍ ୨୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକୀୟ ନାଗରିକଙ୍କ ପାଇଁ ଭାରତର ଓଡ଼ିଶା ସମେତ ୬ ରାଜ୍ୟ ଭ୍ରମଣ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଏବଂ ମହିଳାମାନଙ୍କୁ ଏକୁଟିଆ ନଯିବାକୁ ଗାଇଡଲାଇନ୍ ଜାରି କରିଥିଲେ । ଏହାର ଠିକ୍ ୨୧ ଦିନ ପରେ ଏଫ୍‌ଏମ୍ କଲେଜ ଘଟଣା ଘଟିଥିବା ବେଳେ ଏବେ ବଳଙ୍ଗା ଘଟଣା ଘଟିଛି । ସବୁଠାରୁ ବଡ଼ କଥା ହେଲା ଆମେରିକା ସରକାର ଆମେରିକୀୟଙ୍କୁ ସତର୍କ କରାଇବାର କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୫ ତାରିଖରେ ଗଞ୍ଜାମର ଗୋପାଳପୁର ବେଳାଭୂମିରେ ଘଟିଥିବା ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ଦେଶ ସହିତ ବିଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିଲା । 

ଯେମିତି ୨୦୨୫ ଜାନୁଆରି ମାସ ଥିଲା ଅପରାଧର ମାସ । ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୧୧ ହତ୍ୟା, ୨୦ଟି ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ଟି ଅସଦାଚରଣ, ୭୯ଟି ଯୌନ ନିର୍ଯାତନା, ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ଟି ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିଲା । ଠିକ୍ ସେହିଭଳି ଜୁନ୍ ୨୧ରୁ ଜୁଲାଇ ୨୧ , ମାସକ ଭିତରେ ରାଜ୍ୟରେ ସବୁ ପ୍ରକାରର ଅପରାଧ ବଢ଼ିବାରେ ଲାଗିଛି ।