ଆମେରିକାକୁ ଚୀନ୍ ରାଷ୍ଟ୍ରଦୂତଙ୍କ ତେରର୍ଚ୍ଛା ବାଣ; କହିଲେ, ଭାରତ-ଚୀନ୍ ଏସିଆର ଡବଲ୍ ଇଞ୍ଜିନ୍

ଭାରତ ଉପରେ ଟ୍ରମ୍ପ ପ୍ରଶାସନ ଲଗାଇଥିବା ୫୦ ପ୍ରତିଶତ ଟାରିଫକୁ ଚୀନ୍ ଦୃଢ଼ ବିରୋଧ କରିଛି ।

62

କନକ ବ୍ୟୁରୋ: ଭାରତକୁ ତାଚ୍ଛଲ୍ୟ କରିବାର କୌଣସି ସୁଯୋଗ ଛାଡୁ ନଥିବା ଆମେରିକାକୁ କଡ଼ା ସମାଲୋଚନା କରିଛି ଚୀନ୍ । ବାଣିଜ୍ୟ ରାଜିନାମା ଦ୍ବାରା ବହୁଦିନ ଲାଭବାନ ହେବା ପରେ ଆମେରିକା ଏବେ ଶୁଳ୍କକୁ ମୁଲଚାଲର ଏକ ମାଧ୍ୟମ ଭାବେ ବ୍ୟବହାର କରୁଛି । ଭାରତ ଉପରେ ଟ୍ରମ୍ପ ପ୍ରଶାସନ ଲଗାଇଥିବା ୫୦ ପ୍ରତିଶତ ଟାରିଫକୁ ଚୀନ୍ ଦୃଢ଼ ବିରୋଧ କରିଛି ।

ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇହଙ୍ଗ କହିଛନ୍ତି ଯେ ଆମେ ଚାହୁଛୁ ଅଧିକ ଭାରତୀୟ ଜିନିଷ ଚୀନ୍ ଆସୁ । ଆଇଟି, ସଫ୍ଟୱେୟାର ଓ ବାୟୋମେଡିସିନ୍‌ ରେ ଭାରତ ଆଗରେ ରହିଛି । ସେହି ସମୟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭିତ୍ତଭୂମି ନିର୍ମାଣ ଓ ନୂତନ ଶକ୍ତି କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ଚୀନ୍ ଚାହୁଛି । ଦୁଇ ଦେଶ ମିଳିତ ଭାବେ ବଡ଼ ପରିବର୍ତ୍ତନ ଆଣିପାରିବେ ବୋଲି ସେ କହିଛନ୍ତି ।

ଖାଲି ଏତିକି ନୁହେଁ ଭାରତୀୟ ବ୍ୟବସାୟୀମାନେ ଚୀନ୍‌ରେ ନିବେଶ କରନ୍ତୁ ବୋଲି ଆମେ ଚାହୁଛୁ । ସେହି ସମୟରେ ଚୀନ୍‌ର ନିବେଶକୁ ଭାରତରେ ଉଚିତ ପରିବେଶ ମିଳୁ ବୋଲି ମଧ୍ୟ ଆଶା କରୁଛୁ । ଉଲ୍ଲେଖଯୋଗ୍ୟ, ଭାରତ ଉପରେ ଆମେରିକା ପ୍ରଥମ ପର୍ଯ୍ୟାୟରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି । ରୁଷରୁ ତେଲ କିଣୁଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଛି । ଭାରତ ପ୍ରତି ଏଭଳି କଠୋର ଆଭିମୁଖ୍ୟ ପାଇଁ ଆମେରିକାକୁ କଡ଼ା ସମାଲୋଚନା କରାଯାଉଛି ।

ସବୁଠାରୁ ବଡ଼କଥା ହେଲା, ଆମେରିକା ଘୋଷଣା କରିଥିବା ଅତିରିକ୍ତ ଶୁଳ୍କ ଚଳିତ ମାସ ୨୭ରୁ ଲାଗୁ ହେବ । ଇତି ମଧ୍ୟରେ ଭାରତ ସହ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ଆମେରିକା ବନ୍ଦ କରିଦେଇଛି । ତେଣୁ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ କାରବାର ଆଗକୁ କେଉଁ ଦିଗରେ ଗତି କରିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe