କନକ ବ୍ୟୁରୋ: ଭୁବନେଶ୍ବର ନା ଡେଙ୍ଗୁଙ୍କ ଘର? ଦେଶ ଦୁନିଆ ଯେତେ ସ୍ମାର୍ଟ ହେଉ ପଛେ କିନ୍ତୁ ଆମ ରାଜଧାନୀ ଭୁବନେଶ୍ବର ଏବେ ନାମକୁ ମାତ୍ର ସ୍ମାର୍ଟ । ଏ କଥା ଆମେ କହୁନୁ, ବିଗତ କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଭୁବନେଶ୍ବରର ଭିତିରି ଚିତ୍ରକୁ ପୂରା ଗାଁ ଦାଣ୍ଡରେ ଆଣି ଦେଖାଇଛି । ଲୋକେ ଏ ଭିଡ଼ର ସହରକୁ ଭୋକ ମାରିବାକୁ ଆସିବା ପାଇଁ ଭାବୁଥିବାବେଳେ ଅସରାଏ ବର୍ଷା ତାଙ୍କ ସବୁ ସ୍ବପ୍ନକୁ ପାଣିପାଣି କରିଦେଉଛି ।
ସ୍ବପ୍ନର ସହର, ଜୀବନ-ଜୀବିକାର ସହର ଭୁବନେଶ୍ବର ଏବେ ‘ଭୁ-ଜଳେଶ୍ବର’ର ରୂପ ନେଉଥିବା ଦେଖୁଛନ୍ତି ଓଡ଼ିଶାବାସୀ । ସ୍ମାର୍ଟସିଟିର ବିଭିନ୍ନ ସ୍ମାର୍ଟ କଲୋନି କେଇ ମିନିଟର ବର୍ଷାରେ ପୂରା ବେହାଲ ହୋଇପଡ଼ୁଛି । ଯାହା ଫଳରେ ଫ୍ଲାଟ୍, ପାର୍କିଂ ଏରିଆ ସବୁ କିଛି କାଦୁଅ ବାଲି ମିଶା ପାଣିରେ ଉବୁଟୁବୁ ହେଉଛି । ଏପରିକି ବିଏମସିର ଉତ୍ତମ ଏବଂ ଅତ୍ୟାଧୁନିକ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଚକ୍ ଚକ୍ କରୁଥିବା ରାସ୍ତାଘାଟ ସବୁ ଅସରାଏ ବର୍ଷାରେ ଆଉ ନଜର ହିଁ ଆସୁନି । ବିଭିନ୍ନ କଲୋନିର ରାସ୍ତାଗୁଡ଼ିକ ଖାଲି କୃତ୍ରିମ କେନାଲ ଭଳି ଦିଶୁଛି ।
ବିଏମସିର ଏଭଳି ଅବଦାନ ପାଇଁ ଜମା ହେଉଥିବା ବର୍ଷା ପାଣିରେ ଜନ୍ମ ନେଉଛନ୍ତି ଭୁବନେଶ୍ବର ନୂଆ ଅତିଥି ଡେଙ୍ଗୁ । ସଫେଇ ଗାଡ଼ିରେ ସିନା ଅଳିଆ ଉଠେଇ ଦେଉଛି ବିଏମସି କିନ୍ତୁ ଡ୍ରେନେଜ୍ ସମସ୍ୟା ଦୂର କରିବାରେ ଯେମିତି ହାତରୁ ତା’ର ପଇସା ଖର୍ଚ୍ଚ ହେଲା ଭଳି କୁଣ୍ଠାବୋଧ କରୁଛି । ମଶା ତେଲ ବି ସହର ପାଇଁ ସତେ ଯେମିତି ଏକ ପ୍ରଦର୍ଶନୀ ମେଳା ଭଳି । ମାସେ, ଦୁଇମାସେ କିମ୍ବା ୩ ମାସର ଅନ୍ତରାଳରେ ମନହେଲେ ସ୍ପ୍ରେ କରିଦେଉଛି ବିଏମସି । ଆଉ ପୁଣି ଯୋଉ କଥାକୁ ସେଇ କଥା ।
ଡେଙ୍ଗୁ ହେଉ କି ମ୍ୟାଲେରିଆ କିମ୍ବା ଡାଇରିଆ ଯାହା କିଛି ହେଲେ ବି ବିଏମସିର ବଡ଼ ବଡ଼ ବାବୁଙ୍କୁ ଫରକ୍ ପଡ଼େନି । କାରଣ ସରକାର ବଦଳିବା ପୂର୍ବରୁ ଯେମିତି ସମସ୍ୟା ଭୋଗୁଥିଲେ ରାଜଧାନୀବାସୀ ଏବେ ସରକାର ବଦଳିବା ପରେ ବି ସମାନ ସ୍ଥିତି । ଖଟିରେ ବିଏମସିକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ଦେଖିବା କେବେ ଆମ ବାବୁଙ୍କର ନିଦ ଭାଙ୍ଗୁଛି ଆଉ ଭୁବନେଶ୍ବର ଡେଙ୍ଗୁ କବଳରୁ କେବେ ମୁକ୍ତି ପାଉଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/06/ddd-2025-07-06-15-03-06.jpeg)