କନକ ବ୍ୟୁରୋ: ଫକୀର ମୋହନଙ୍କ ରେବତୀ ଶତାବ୍ଦୀ ପୂର୍ବରୁ ନିଜ ଶିକ୍ଷା ପାଇଁ ସମାଜ ଓ ପରିବାର ସହ ଯେମିତି ଲଢ଼େଇ କରିଥିଲା । ଠିକ ସେମିତି ଆଜି ବି ଓଡ଼ିଶାର ଅନେକ ରେବତୀ ଶିକ୍ଷିତ ହେବାକୁ ସମାଜରେ ସଂଘର୍ଷ କରୁଛନ୍ତି... 'ବ୍ୟାସେ'ଙ୍କ ନାଁରେ ଥିବା ବଡ଼ କଲେଜର ଛାତ୍ରୀ ଜଣକ ଆତ୍ମାହୂତି ଦେବାପରେ ଏଵେ ଛାତିପିଟି କାନ୍ଦୁଛି ଫକୀର ମୋହନ କଲେଜ ଓ ବ୍ୟାସେଙ୍କୁ ବୁଝିଥିବା ଆଜିର ଯୁବପିଢ଼ି...

Advertisment

ବାଲେଶ୍ୱରର ସୌମ୍ୟାଶ୍ରୀ, ବାପା ମାଆଙ୍କ ନାଁ ରଖିବାକୁ କେତେ ଯେ ସଂକଳ୍ପ ନେଇଥିଲା, କେତେ କଷ୍ଟରେ ଫକୀର ମୋହନଙ୍କ କଲେଜରେ ଆଡମିସନ ବି ପାଇଥିଲା । ହେଲେ ସେ କଣ ଜାଣିଥିଲା ତାକୁ ବି ଏହି ଯୁଗର ରେବତୀ ହେବାକୁ ପଡ଼ିବ! ଶିକ୍ଷିତ ହେବାକୁ ସମାଜରେ ସଂଘର୍ଷ କରିବାକୁ ପଡ଼ିବ! ଶିକ୍ଷକ ବେଶରେ ଲୁଚିଥିବା ଏ ସୈତାନଙ୍କ ସହ ଲଢ଼େଇ କରିବାକୁ ହେବ! ଏ ସବୁକିଛି ବୁଝିବା ପୂର୍ବରୁ ନିଜ କପାଳକୁ ପୋଡ଼ା କପାଳରେ ପରିଣତ କରିଦେଇଛି ଏ ଯୁବର ରେବତୀ ସୌମ୍ୟାଶ୍ରୀ ।

କମିଟି ପରେ କମିଟି ଗଠନ ହେଉଛି ହେଲେ ସୌମ୍ୟାଶ୍ରୀଙ୍କ ଭଳି ଅନେକ ଝିଅ ଆଜିବି ଏ ଶିକ୍ଷିତ ସମାଜରେ ଶୋଷଣର ଶିକାର ହେଉଛନ୍ତି । ଫକୀର ମୋହନଙ୍କ ନାଁରେ ଫରଫର ହେଇ ମହାବିଦ୍ୟାଳୟର ଧ୍ବଜା ଉଡୁଛି ସତ ହେଲେ ତା ଚାରି କାନ୍ଥ ଭିତରେ ଚାପି ହୋଇଯାଉଛି ଅନେକ ରେବତୀଙ୍କ ସ୍ୱର.... ଫକୀର ମୋହନଙ୍କ ଗପ ଦୁନିଆର ରେବତୀ ସେତେବେଳେ ସମାଜ ସହ ଲଢ଼େଇ କରିଥିଲେ ହେଲେ ଏ ଯୁଗର ରେବତୀର ସ୍ୱର ଶୁଣିବାକୁ କେହି ନାହିଁ । ହଁ ସେ ପେଟ୍ରୋଲ ନିଆଁରେ ଜଳିଲା ବୋଲି ତାକୁ ଆଜି ପଚାରୁଛନ୍ତି, କିନ୍ତୁ ଯେତେବେଳେ ସେ ସ୍ୱର ଉଠାଇଥିଲା, ଲଢ଼ିବାକୁ ଆଗକୁ ଆସିଥିଲା ସେତେବେଳେ ଆମ ସମାଜ, ଆମ ପ୍ରଶାସନ, ଆମ ବ୍ୟବସ୍ଥା 'ମୌନାମୌନି' ଭଳି ମୌନ ରହିଥିଲେ ।

ହଁ ,ଏ ରେବତୀ ଗାଁରୁ ଆସିଥିଲେ ସତ, ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ।  କିନ୍ତୁ 'ବାଲେଶ୍ୱର ପଙ୍ଗାଲୁଣ' ଭଳି ଅନେକ ତାଙ୍କ ଚରିତ୍ରର ଚୋରା ଚାଲାଣ କରିବାକୁ ପଛାଇଲେନି, ସବୁଠାରୁ ଦୁଃଖର କଥା ହେଲା ଏ ଯୁଗର ରେବତୀର ମନର ଯନ୍ତ୍ରଣା କେହି ବି ବୁଝିପାରିଲେନି ? ମାନସିକ ଚାପ, ଅସୁରକ୍ଷିତ ବାତାବରଣ ଏବଂ ସାମାଜିକ ଉପେକ୍ଷାର ଓଜନ ତାଙ୍କୁ ନିଆଁର ଆଁକୁ ଡାକିନେଲା ।

ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଗପରେ ଥିବା ଫକୀର ମୋହନଙ୍କ ରେବତୀ ବଞ୍ଚିଯାଇଥିଲେ ହେଲେ ଏ ଯୁଗର ରେବତୀ ଭେଣ୍ଟିଲେଟରରେ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛି । ସରକାର ପରେ ସରକାର ବଦଳୁଛି ହେଲେ ଓଡ଼ିଶାର ରେବତୀଙ୍କୁ ନ୍ୟାୟ ଦେବାପାଇଁ ଫକୀର ମୋହନଙ୍କ ଛାତିରେ ଉଠୁଥିବା ହଜାରେ ପ୍ରଶ୍ନର ଉତ୍ତର ଦେଇପାରିବେ କି ସରକାର? ରେବତୀର ସୁରକ୍ଷା ପାଇଁ ସ୍ୱର ଉଠାଇବ ନା ଏମିତି ବ୍ୟାସେ ଶୁଣୁଛ ଡାକିଦେଇ ଚୁପ୍‌ଚାପ ରହିଯିବ ଏ ସମାଜ?