କନକ ବ୍ୟୁରୋ: ଅନ୍ଧାର ଉପରେ ଆଲୋକର ବିଜୟ ଭାବରେ ସାରା ଦେଶରେ ଦୀପାବଳି ପାଳନ କରାଯାଏ । ହେଲେ ଦେଶର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଏହି ପର୍ବ ଟିକିଏ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ । ସିକ୍କିମରେ ଏହାକୁ ତିହାର ଭାବରେ ପାଳନ କରି ପ୍ରକୃତି ପ୍ରେମ ଏବଂ ପ୍ରାଣୀମାନଙ୍କ ପ୍ରତି କୃତଜ୍ଞତା ଅର୍ପଣ କରି ଏହାକୁ ପାଳନ କରାଯାଏ ।
ବଡ଼ କଥା ହେଉଛି, ସିକ୍କିମରେ ଏହି ତିହାର ପାଞ୍ଚ ଦିନ ଧରି ଚାଲିଥାଏ । ଏହା ମୁଖ୍ୟତଃ ନେପାଳୀ ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଏ, ଯେଉଁମାନେ ଗୋର୍ଖା ଭାବରେ ବେଶ୍ ଜଣାଶୁଣା । ଏହି ପର୍ବ ମୃତ୍ୟୁର ଦେବତା ଯମ ଏବଂ ତାଙ୍କ ଭଉଣୀ ଯମୁନାଙ୍କ ସହ ଜଡିତ ବୋଲି ପୁରାଣଗାଥାରେ ବର୍ଣ୍ଣିତ ରହିଛି । ତିହାର ଉତ୍ସବକୁ ଦୀପାବଳି କିମ୍ବା ଯମ ପଞ୍ଚକ ମଧ୍ୟ ସିକ୍କିମବାସୀ କୁହନ୍ତି । ଏହା ଏକ ଏମିତି ପର୍ବ ଯେଉଁଥିରେ ମଣିଷ, ପ୍ରାଣୀ ଏବଂ ଦେବତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସମ୍ମାନ ଓ କୃତଜ୍ଞତା ଜଣାଇ ପାଳନ କରେ ।
ପ୍ରଥମ ଦିନ କାଉମାନଙ୍କୁ ପୂଜା କରାଯାଏ ଏବଂ ମିଠା ଏବଂ ଫଳ ଖୁଆଇ ଦିଆଯାଏ । ଦ୍ୱିତୀୟ ଦିନ କୁକୁରମାନଙ୍କୁ ସ୍ନାନ କରାଯାଏ, ମାଳ ପିନ୍ଧାଯାଏ ଏବଂ ପୂଜା କରାଯାଏ । ତୃତୀୟ ଦିନ ଗାଈମାନଙ୍କୁ ଗୋ’ ମାତା ଭାବରେ ପୂଜା କରାଯାଏ । ଚତୁର୍ଥ ଦିନ ଗୋବର୍ଦ୍ଧନ ତିହାର ଭାବେ ଷଣ୍ଢମାନଙ୍କୁ ପୂଜା କରାଯାଏ । ପ୍ରତ୍ୟେକ ଘରେ ଲୋକ ଗୀତ ଗାନ କରାଯାଏ । ପଞ୍ଚମ ଦିନ ଭଉଣୀମାନେ ସେମାନଙ୍କ ଭାଇମାନଙ୍କୁ ସାତ ରଙ୍ଗର ତିଳକ ଲଗାନ୍ତି ଏବଂ ସେମାନଙ୍କର ଦୀର୍ଘ ଜୀବନ କାମନା କରନ୍ତି । ଖାଲି ଏତିକି ନୁହେଁ ଭାଇମାନେ ଉପହାର ଦିଅନ୍ତି ଏବଂ ଭଉଣୀଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ।
ପୁରାଣଗାଥା ଅନୁସାରେ, ଯମୁନା ତାଙ୍କ ଭାଇ ଯମଙ୍କୁ ଘରକୁ ଡାକିବା ପାଇଁ କାଉ, କୁକୁର ଏବଂ ଗାଈମାନଙ୍କୁ ଦୂତ ଭାବରେ ପଠାଇଥିଲେ । ଏହି ପରମ୍ପରାର ଉତ୍ପତ୍ତି ସେହିଠାରୁ ହିଁ ହୋଇଥିଲା । ଗ୍ୟାଙ୍ଗଟକ୍ ପୂଜକ ସୋମେଶ୍ୱର ପୌଡ୍ୟାଲ ଏହାର ତିହାରର ମହାତ୍ମ୍ୟ ବାବଦରେ ବୁଝାଇ କହିଛନ୍ତି ଯେ ଯମୁନା ଯମଙ୍କୁ ଏକ ବର ମାଗିଥିଲେ ଯେ ତିଳକର ରଙ୍ଗ ଫିକା ନ ପଡ଼ିବା ପର୍ଯ୍ୟନ୍ତ ତାଙ୍କ ଭାଇ ମରିବେ ନାହିଁ । ଏହି ଆଶୀର୍ବାଦ ଭାଇ ଟିକାର ପରମ୍ପରାକୁ ଜନ୍ମ ଦେଇଥିଲା । ଖାଲି ସିକ୍କିମ ନୁହେଁ ଏହା ବ୍ୟତୀତ ଦାର୍ଜିଲିଂ ଏବଂ କାଲିମ୍ପୋଙ୍ଗରେ ମଧ୍ୟ ତିହାରକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ । ନେୱାର ସମ୍ପ୍ରଦାୟରେ ଏହାକୁ ସ୍ୱାନ୍ତି ପର୍ବ ବୋଲି କୁହାଯାଏ ।