କନକ ବ୍ୟୁରୋ: ଶବ ବ୍ୟବଚ୍ଛେଦ ଗୃହ ବାହାରେ ଶହ ଶହ ଲୋକଙ୍କ ଲାଇନ୍ । ଗେଟ୍ ସେପଟେ ମୃତଦେହ ଆଉ ଗେଟ୍ ଏପଟେ ଶବକୁ ଅପେକ୍ଷା କରି ରହିଛନ୍ତି ଅନେକ ପରିବାର । ସୁପରଷ୍ଟାରଙ୍କ ରାଲି ଯେ କାହାର ଶେଷଯାତ୍ରା ହୋଇଯିବ ତାହା କେହି କେବେ କଳ୍ପନା କରିନଥିଲେ । କରୁର ଦଳାଚକଟା ଘଟଣା ପରେ ଏବେ ଆଖିରୁ ଶୁଖୁନି ଲୁହ ।
ଶବ ଉପରେ ମଥା ପିଟି କାନ୍ଦୁଛି ସ୍ତ୍ରୀ, ଲୁହ ଝରାଉଛି ମା’, ତୁନି ପଡ଼ିଯାଉଛି ଗେହ୍ଲୀ ଭଉଣୀ । ବାପା-ଭାଇ, ସାଙ୍ଗସାଥୀ ସଭିଏଁ ନିର୍ବାକ୍ । କେମିତି ବା ବିଶ୍ବାସ କରିବେ! କାଲି ସକାଳେ ଯିଏ ଥାଲାପତି ଥାଲାପତି କହି ଖୁସିରେ ନାଚୁଥିଲେ ସେ ସନ୍ଧ୍ୟାର ‘ବିଜୟ’ ରାଲି ପରେ ସବୁଦିନ ପାଇଁ ଶୋଇଯିବେ । ନିଜ ପ୍ରିୟ ଷ୍ଟାରର ରାଜନୈତିକ ରୋଡ୍ ସୋ’ରେ ସାମିଲ ହେବାକୁ ଯାଇ କାହାର ନିଶ୍ବାସ ଅଟକି ଗଲା ତ କିଏ ଦଳାଚକଟାର ଶିକାର ହୋଇ ଆଖିବୁଜିଦେଲା ।
ଏଠି ଭୂତାଣୁରେ ନୁହେଁ ଭିଡ଼ରେ ବି ଜୀବନ ଯାଏ, ଦଳାଚକଟାରେ ବି କାହାର ସୁହାଗ-ସଂସାର ଉଜୁଡ଼ିଯାଏ । ଏ ଛାତିଥରା ଚିତ୍ର ସବୁ ବୟାନ କରୁଛି ଭାରତରେ ଜୀବନର ମୂଲ୍ୟ କେତେ ଶସ୍ତା । କେବେ ଫିଲ୍ମର ଟ୍ରେଲର ରିଲିଜ୍ ବେଳେ ଜୀବନ ଯାଉଛି ତ କେବେ ଟଫ୍ରି ଜିତିବାର ଖୁସିରେ ଦଳାଚକଟା ବି ହେଉଛି । ଆଉ ଏବେ ସୁପରଷ୍ଟାର ବିଜୟଙ୍କ ପଲିଟିକାଲ୍ ରୋଡ୍ ସୋ’ ପାଇଁ ଚାଲିଯାଇଛି ଅନେକଙ୍କ ପ୍ରାଣ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏ ପ୍ରାଣ ନେଉଥିବା ପରେଡ୍ ପଛରେ ଠିକାଦାର ସାଜି ମୃତ୍ୟୁକୁ ନିମନ୍ତ୍ରଣ ଦେଇଥାଆନ୍ତି ସରକାର ଓ ସ୍ଥାନୀୟ ପ୍ରଶାସନ । ପରେ ଉପରକୁ ହାତ ଟେକିଦେଲା ଭଳି ଆଇନ-କାନୁନର ଦ୍ବାହି ଦେଇ ତଦନ୍ତ କମିଟି ବସାଇ ମୁଣ୍ଡରୁ ଦୋଷ ଖସାଇ ଦିଅନ୍ତି ଦୋମୁହାଁ ନେତା ।
ଏତେ ସବୁ ପରେ ସାଧାରଣରେ ପ୍ରଶ୍ନ ଉଠୁଛି... ଆମେ ଅତୀତର ଦୁର୍ଘଟଣାରୁ କିଛି ଶିଖିପାରିଲୁନି । କାରଣ ଭାରତରେ ଯେବେ ଯେବେ ବଡ଼ ସମାବେଶ ହୋଇଛି ସେବେ ସେବେ ବଡ଼ ବଡ଼ ଦୁର୍ଘଟଣା ମଧ୍ୟ ହୋଇଛି । ମହାକୁମ୍ଭ ମେଳାଠାରୁ ଆରମ୍ଭ କରି ପୁଷ୍ପା-୨ ପ୍ରିମିୟର, ଆରସିବିର ବିଜୟ ଟ୍ରଫି ପରେଡ୍ ଏବେ ଟିଭିକେ ରାଲିରେ ଗଲା ନିରୀହ ଲୋକଙ୍କ ଜୀବନ । ଏବେ ପୁଣି ସେଇ ଡ୍ରାମା, ସେଇ ପୁରୁଣା ପାଠର ପୁନରାବୃତ୍ତି ହେବ, ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଫ୍ୟାନ୍ସଙ୍କ ପାଗଳାମିକୁ କାବୁ କରିବାରେ ପ୍ରକୃତରେ କିଏ ବିଫଳ ହେଲା ତାହା ତଦନ୍ତ ହେଲେ ହିଁ ଜଣାପଡ଼ିବ ।