କନକ ବ୍ୟୁରୋ: ବନ୍ଧୁ ସାଜିଲା ବଇରି । ଯେଉଁ ବନ୍ଧୁତ୍ବର ବାଃ ବାଃ କରିବାକୁ ଦିନେ ‘ହାଓଡି ମୋଦୀ’ ଭଳି ବିଶ୍ବର ବଡ଼ ଇଭେଣ୍ଟ ଆୟୋଜନ କରିଥିଲେ ଟ୍ରମ୍ପ୍ ଆଜି ସେଇ ଟ୍ରମ୍ପ୍ ଭାରତକୁ ଏବେ ଦେଇଛନ୍ତି ଟାରିଫ୍ ଟେନସନ୍ । ଏମିତି କି ମୋଦୀଙ୍କ ସହ ଥିବା ବର୍ଷ ବର୍ଷର ବନ୍ଧୁତାକୁ ନେଇ ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ । ଭାରତର ଭଲ ବନ୍ଧୁ ବୋଲାଉଥିବା ଟ୍ରମ୍ପ୍ ଏମିତି କାହିଁକି କଲେ? ମୋଦୀ ମୋଦୀ କହି ପାଣି ପିଉନଥିବା ଟ୍ରମ୍ପ୍ ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇ ଭାରତ-ଆମେରିକା ସମ୍ପର୍କ ମଝିରେ ଟାଣିଦେଇଛନ୍ତି ଲକ୍ଷ୍ମଣରେଖା । ଯାହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିପାରେ ବୋଲି ବୈଦେଶିକ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ।

Advertisment

୨୦୧୯ ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ହୋଇଥିଲା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ । ଯେଉଁଥିରେ ବିଶ୍ବର ଦୁଇ ଶକ୍ତିଶାଳୀ ନେତା ତଥା ଦୁଇ ଭଲ ବନ୍ଧୁଙ୍କ ବନ୍ଧୁତ୍ବକୁ ଦେଖିଥିଲା ବିଶ୍ବ । ଏନ୍‌ଆର୍‌ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ । ମୋଦୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ସମୟରେ ‘ହାଓଡି ମୋଦୀ’ ଉତ୍ତରରେ ବିଭିନ୍ନ ଭାଷା ସମେତ ଓଡ଼ିଆରେ ମଧ୍ୟ ପଦେ କହିଥିଲେ । ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’ । କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।

ବିଦେଶର କୌଣସି ନିର୍ବାଚିତ ରାଜନେତାଙ୍କ ପକ୍ଷରୁ ଆମେରିକା ମାଟିରେ‌ ଏଭଳି ଶକ୍ତି ପ୍ରଦର୍ଶନ କେବେ ଦେଖିବାକୁ ମିଳିନଥିଲା । ଟ୍ରମ୍ପ ଭାରତ ଏବଂ ମୋଦୀଙ୍କ ସହ ଭଲ ସମ୍ପର୍କ ଥିବା ସାରା ବିଶ୍ବରେ ଚର୍ଚ୍ଚା ହୁଏ । ଏବେ କିନ୍ତୁ ଏହା ପୂରା ଓଲଟା ପ୍ରମାଣ ହେବାରେ ଲାଗିଛି । ଯେଉଁ ଦେଶ ସହ ଆମେରିକାର ପଡ଼ୁନାହିଁ ସେ ଦେଶ ଗୁଡ଼ିକ ସହ ଭାରତର ସମ୍ପର୍କ ଭଲ ଦେଖି ସହିପାରୁନାହାନ୍ତି ଟ୍ରମ୍ପ୍ । ସେଥିପାଇଁ ଅନ୍ୟ ଦେଶ ଉପରେ ରାଗ ସୁଝାଇବାକୁ ଏବେ ଆମେରିକା ଭାରତକୁ ଟାରିଫ୍ ଜାଲରେ ବାନ୍ଧିଛି ।

ନିକଟରେ ଅପରେସନ୍ ସିନ୍ଦୂର ବେଳେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଦାବି କରୁଥିଲେ ଟ୍ରମ୍ପ୍ । ପରେ କେତେବେଳେ ମୁଁ ମଧ୍ୟସ୍ଥତା କରିନି, ହଁ କରିଛି କହି କହି ଅନ୍ତର୍ଜାତୀୟ ସ୍ତରରେ ଟ୍ରୋଲ୍ ମଧ୍ୟ ହୋଇଥିଲେ । ଏବେ ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଲଗାମ୍ ଲଗାଇବା ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତାକୁ କେଉଁ ବାଟକୁ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।