କନକ ବ୍ୟୁରୋ : ପ୍ରସିଦ୍ଧ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଆଜି ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛିଦିନ ହେବ ସେ କଂଗ୍ରେସରେ ଯୋଗଦେବା ନେଇ ଆଲୋଚନା ଚାଲୁଥିବା ବେଳେ ଆଜି ଏହି ଆଲୋଚନାର ପରିସମାପ୍ତି ଘଟିଛି ଓ ଅଫିସିଆଲି ମୋହର ଲାଗିଛି । କାମ୍ୟା କଂଗ୍ରେସରେ ଯୋଗଦେବା ପରେ ଅତ୍ୟନ୍ତ ଖୁସିଥିବା ଦେଖିବାକୁ ମିଳିଛି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କଂଗ୍ରେସରେ ଯୋଗଦେବା କଥା ଲେଖିଛନ୍ତି ।
କାମ୍ୟା ପଞ୍ଜାବୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି କି “ଏବେ ମୋ ଜୀବନର ନୂଆଯାତ୍ରା ଆରମ୍ଭ ହେଲା, ମୋତେ ସ୍ୱାଗତ କରିବାକୁ ଆସିଥିବାରୁ ଜଗତାପ ଭାଇ, ତହସୀନ ପୁନାୱାଲା, ଆଇଏନସି ଇଣ୍ଡିଆ ଓ ଆଇନସି ମୁମ୍ବାଇକୁ ଧନ୍ୟବାଦ ଦେଉଛି ”
କାମ୍ୟା ପଞ୍ଜାବୀଙ୍କ କ୍ୟାରିଅରକୁ ନେଇ ଯଦି କହିବା ତେବେ ସେ ବିଶେଷ ଭାବେ ଟେଲିଭିଜନ ଦୁନିଆରେ ବେସ୍ ପରିଚିତ । ଜଣେ ପ୍ରସିଦ୍ଧ କଳାକାର ଭାବେ ସେ ଅନେକ ଟିିଭି ସିରିଅଲରେ କାମ କରିଛନ୍ତି । କହିରଖୁ କି ୨୦୧୪ ରୁ ନିଜର ଅସ୍ତିତ୍ୱ ହରାଇଥିବା କଂଗ୍ରେସ ଏବେ ପ୍ରିୟଙ୍କାଙ୍କ ନେତୃତ୍ୱରେ ମୁଣ୍ଡଟେକିଛି । ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରିୟଙ୍କାଙ୍କ ନାରା ‘ଲେଡକି ହୁଁ ଲଡ ସକତା ହୁଁ’ ଏବେ ଅନେକ ମହିଳାଙ୍କୁ ଆକୃଷ୍ଟ କରିଛି । ୟୁପି ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଯେଉଁ ମହିଳା କାର୍ଡ ଖେଳିଛନ୍ତି ତାହା ଏବେ ଅନ୍ୟ ଦଳମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିନ୍ତୁ ଏହା କେତେ ଫଳପ୍ରଦ ହେବ ତାହା ୟୁପି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅନୁମାନ କରାଯାଇ ପାରିବ ।