ରୋହିତଙ୍କୁ ପ୍ରଂଶସା କଲେ ପାକିସ୍ତାନ କ୍ରିକେଟର । କହିଲେ, ବରିଷ୍ଠ ଖେଳାଳୀଙ୍କ ବିନା ଟିମକୁ ସିରିଜ ଜିତାଇଲେ ରୋହିତ ।

265

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ କ୍ଲିନ୍ ସୁଇପ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଟି-୨୦ ଅଧିନାୟକ ଭାବେ ଦାୟିତ୍ୱ ନେବା ପରେ ସିରିଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ରୋହିତଙ୍କ ନେତୃତ୍ୱ ନେବାର ଷ୍ଟାଇଲକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି । କେବଳ ଦେଶରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ରୋହିତଙ୍କ ଅଧିନାୟକତ୍ୱକୁ ପ୍ରଂଶସା କରାଯାଇଛି । ଖାସକରି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନରୁ ମଧ୍ୟ ରୋହିତଙ୍କୁ ଶୁଭେଚ୍ଛା ସହ ପ୍ରଂଶସା ମିଳିଛି । ପାକିସ୍ତାନ କ୍ରିକେଟର କମରାନ ଆକମଲ ରୋହିତଙ୍କର ପ୍ରଂଶସା କରିବାକୁ ପଛାଇ ନାହାନ୍ତି ।

ନିଜ ୟୁଟ୍ୟୁବ ଚ୍ୟାନେଲରେ ଆକମଲ କହିଛନ୍ତି, ଭାରତ ଏବେ ଜବରଦସ୍ତ କମବ୍ୟାକ୍ କରିଛି । ସିରିଜରେ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ଦଳ ଭାବେ ଏଣ୍ଟ୍ରି କରିଥିଲା କିନ୍ତୁ ଟିମ୍ ଇଣ୍ଡିଆ ଦମଦାର କ୍ରିକେଟ ଖେଳିଛି । ଖାସକରି ରୋହିତ ଶର୍ମାଙ୍କ ନେତୃତ୍ୱକୁ ପସନ୍ଦ କରିବା ସହ ଆକମଲ କହିଛନ୍ତି, କୌଣସି ବଡ ଚେହେରା ବିନା ସିରିଜ ଜିତିଛି ଟିମ୍ ଇଣ୍ଡିଆ । ଆଉ ଏହା କେବଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ପାଇଁ ।

ଏହାଛଡା ଶେଷ ମ୍ୟାଚରେ କେଏଲ ରାହୁଲଙ୍କୁ ବିଶ୍ରାମ ଦେଇ ଇଶାନ କିଷାନଙ୍କୁ ସୁଯୋଗ ଦିଆଯାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଆକମଲ । ଏହା ଏକ ଭଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି । ଏହାବାଦ ରୋହିତଙ୍କ ଉପରେ ଅଧିନାୟକ ଭାବେ ସେଭଳି ଚାପ ଦେଖିବାକୁ ମିଳିନଥିଲା । ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିଲେ ରୋହିତ । ଆଉ ସେମିତିରେ ରୋହିତଙ୍କ ବ୍ୟାଟିଂ ଦେଖିବାକୁ ବେଶ ଭଲ ଲାଗେ ବୋଲି କହିଛନ୍ତି ଆକମଲ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ କ୍ଲିନ୍ ସୁଇପ କରିଛି ଟିମ୍ ଇଣ୍ଡିଆ । ଆଉ ଏହାସହ ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି । ଉଭୟ ମୁଖ୍ୟ କୋଚ ରାହୁଲ ଓ ଅଧିନାୟକ ଭାବେ ରୋହିତଙ୍କର ଏହା ପ୍ରଥମ ସିରିଜ ହୋଇଥିବା ବେଳେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଏହାସହ ରୋହିତଙ୍କ ପାଇଁ ଏହି ସିରିଜ ସ୍ମରଣୀୟ ହୋଇ ରହିବ । କାରଣ ଅଧିନାୟକ ଭାବେ ସିରିଜ ଜିତିବା ସହ ମ୍ୟାନ୍ ଅଫ୍ ଦ ସିରିଜ ଟାଇଟଲ ହାତେଇଛନ୍ତି ରୋହିତ ।