ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ଲକ୍ଷ୍ମୀସାଗର ଥାନାରେ ଏତଲା । ପୋଲିସର ତଦନ୍ତ ଜାରି

160

କନକ ବ୍ୟୁରୋ: ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ । ମଉକା ପାଇଲେ ଘରେ କାମ କରୁଥିବା କାମବାଲୀ ଆପଣଙ୍କ ଘରେ କଳା କନା ବୁଲାଇ ଦେଇପାରେ । ସତର୍କ ନ ରହିଲେ, ଯାହାକୁ ଆପଣ ଘରର ସଦସ୍ୟ ଭଳି ଭାବୁଛନ୍ତି ସୁଯୋଗ ପାଇଲେ ସେ ଆପଣଙ୍କୁ ଚୁନା ଲଗାଇ ଦେଇପାରେ । ଭୁବନେଶ୍ୱର ଝାରପଡାର ଜଗନ୍ନାଥ ନଗରରେ ଘଟିଛି ଏଭଳି ଘଟଣା । ଘରେ କେହିନଥିବା ସୁଯୋଗରେ କେମିତି କାମବାଲୀ ଆଲମିରାରରୁ ନଗଦ ଏକ ଲକ୍ଷ ଟଙ୍କା ଚୋରି କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଜଗନ୍ନାଥ ନଗର ରୋଡ ନମ୍ବର ୪ରେ ରହନ୍ତି ବିଭୁ ପ୍ରସାଦ ମହାପାତ୍ରଙ୍କ ପରିବାର । ଘରୋଇ କାମରେ ସହାୟତା କରିବାକୁ ସେ ମାମି ପାତ୍ର ନାମକ ଜଣେ ମହିଳାଙ୍କୁ ରଖିଥିଲେ । ମାମି ମାସିକ ୪ ହଜାର ଟଙ୍କା ଦରମା ପାଉଥିଲେ । ବିଭୁ ପ୍ରସାଦଙ୍କ ଘର କାମ ଚାଲୁଥିବାରୁ ଘରେ ସବୁବେଳେ ନଗଦ ଟଙ୍କା ରହୁଥିଲେ । ସମୟ ଓ ସୁଯୋଗ ଦେଖି ବେଡରୁମର ଆଲମିରାରୁ ୧ ଲକ୍ଷ ଟଙ୍କା ଚୋରି କରିଥିଲେ ମାମି । ଆଉ ଚୋରି ସମୟର ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି । ପୋଲିସି ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି ।