ବିଜୟ ପରେ ଆମେରିକାର ଭାବି ଉପରାଷ୍ଟ୍ରପତି କମଳା ହାରିସ ମାଙ୍କୁ ଦେଲେ ସଫଳତାର ସବୁ ଶ୍ରେୟ । ଏପଟେ ତାମିଲନାଡୁରେ ଖୁସିର ପରିବେଶ, ଦୀପାବଳି ପୂର୍ବରୁ ଫୁଟିଲା ବାଣ, ମନ୍ଦିରରେ ପୂଜାର୍ଚ୍ଚନା ।

673

କନକ ବ୍ୟୁରୋ : ଆମେରିକାରେ ନିର୍ବାଚନ ବିଜୟ ଏପଟେ ତାମିଲାନୁଡରେ ଉତ୍ସବ । ଆମେରିକାରେ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ । ଏହାକୁ ନେଇ କମଳାଙ୍କ ମାଆଙ୍କ ଗାଁ ତାମିଲନାଡୁରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି ।

ଆମେରିକାରେ ବିଜୟ ଅଭିଭାଷଣ, ତାମିଲନାଡୁରେ ଉତ୍ସବ । ଦୀପାବଳି ପୂର୍ବରୁ ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳୁଛି ତାମିଲନାଡ଼ୁ । କମଳା ହାରିସ, ଏହି ନାଁ ଆମେରିକାରେ ଯେତିକି ଚର୍ଚ୍ଚା, ଭାରତ ଓ ଭାରତୀୟଙ୍କ ମନରେ ସେତିକି ଗର୍ବ ଆଣିଦେଇଛି କମଳାଙ୍କ ସଫଳତା । ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ମହିଳା ଓ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି କମଳା । ଯାହାଙ୍କ ପାରିବାରିକ ଚେର ଲମ୍ବିଛି ତାମିଲନାଡୁରେ । ଏହାକୁ ନେଇ ତାମିଲନାଡୁର ଥୁଲାସେନ୍ଦ୍ରାପୁରମ ଗାଁ ଉତ୍ସବମୁଖର ହୋଇଉଠିଛି ।

ତାମିଲନାଡୁର ଥୁଲାସେନ୍ଦ୍ରାପୁରମ ଗାଁ । ଏହି ଗାଁ ହେଉଛି କମଳା ହାରିସଙ୍କ ମାଆଙ୍କ ଗାଁ । ହାରିସଙ୍କ ମା ଶ୍ୟାମଳା ଗୋପାଳନ ଏହି ଗାଁରେ ରହୁଥିଲେ । କମଳାଙ୍କ ସଫଳତା ପରେ ଏହି ଗାଁରେ ରଙ୍ଗୋଲି ପକାଇ କମଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗାଁର ଘରେ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଅନ୍ୟପଟେ ତାମିଲନାଡୁ ରାଜ୍ୟ ମନ୍ତ୍ରୀ ଆର. କାମରାଜ କମଳା ହାରିସଙ୍କ ପୈତୃକ ଗାଁ ଥୁଲାସେନ୍ଦ୍ରପୁରମରେ ପହଂଚି ତାଙ୍କ ଗାଁ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବିଜୟ ପରେ ଆମେରିକାର ଭାବି ଉପ-ରାଷ୍ଟ୍ରପତି କମଳା ହାରିସ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଯେତେବେଳେ ତାଙ୍କ ମାଆ ଭାରତରୁ ଆମେରିକା ଆସିଥିଲେ, ଏ ବିଷୟରେ ସେ କେବେ ବି ଚିନ୍ତା ବି କରିନଥିଲେ । ତେବେ ଏହି ବିଜୟର ଶ୍ରେୟ ସେ ତାଙ୍କ ମାଙ୍କୁ ଦେଇଛନ୍ତି ।