ସ୍ୱଳ୍ପ ସମୟ ପାଇଁ କମଳା ହାରିସ ହେବେ ଆମେରିକା ରାଷ୍ଟ୍ରପତି: କଲୋନୋସ୍କୋପି ପାଇଁ ଆନାସ୍ଥେସିଆ ପ୍ରଭାବରେ ରହିବେ ବାଇଡେନ୍ 

337

କନକ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତିଙ୍କ କ୍ଷମତା । ସ୍ୱଳ୍ପ ସମୟ ପାଇଁ ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଟିନ୍ ଚେକ୍ଅପ୍ ପାଇଁ ୱାଲଟର ରିଡ୍ ମିଲିଟାରୀ ହସପିଟାଲରେ ବାଇଡେନ୍ଙ୍କ କଲୋନୋସ୍କୋପି କରାଯିବ । ସେଥିପାଇଁ ତାଙ୍କୁ ଆନାସ୍ଥେସିଆ ଦିଆଯିବ ।

ଆଉ ସେହି ସମୟରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ଉପ ରାଷ୍ଟ୍ରପତି କମଳା ହାରିସ । ଆମେରିକା ଇତିହାସରେ ପ୍ରଥମ ମହିଳା ଭାବେ ତାଙ୍କୁ ଏପରି କ୍ଷମତା ମିଳିବ । ୨୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ମହିଳାଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ମିଳିନି । ଆମେରିକାର ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରପତି ଆନାସ୍ଥେସିଆ ପ୍ରଭାବରେ ରହିଥିବା ବେଳେ ତାଙ୍କୁ ଉପରାଷ୍ଟ୍ରପତିକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡ଼ିବ । ପୂର୍ବରୁ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ଙ୍କ ସମୟରେ ଦୁଇ ଥର ଏପରି କରାଯାଇଛି ।

୨୦୦୨ ଓ ୨୦୦୭ରେ କଲୋନୋସ୍କୋପି ପାଇଁ ତାଙ୍କୁ ଆସ୍ଥେସିଆ ନେବାକୁ ପଡ଼ିଥିଲା ଏବଂ ସେ ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ । ତେବେ ଏହି ସମୟରେ କୌଣସି ମହିଳା ଉପରାଷ୍ଟ୍ରପତି ନଥିଲେ । ଏପଟେ ଶନିବାର ଦିନ ୭୯ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି ବାଇଡେନ୍ । ସେ ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ।