ଦିବ୍ୟାଙ୍ଗ ହୋଇ ମଧ୍ୟ ଦୁନିଆ ସାମ୍ନାରେ ଦେଖାଇଲେ ଦମ୍ । ହ୍ୱିଲ ଚେୟାର ଚଳାଇ ୨୧୫ କିମି ଅତିକ୍ରମ କଲେ କମଳାକାନ୍ତ ।

113

କନକ ବ୍ୟୁରୋ : ଦୁର୍ଘଟଣା ଶରୀରକୁ ଦୁର୍ବଳ କରି ଦେଇଥିଲା, ମେରୁଦଣ୍ଡକୁ ପ୍ରଭାବିତ କରି ଚାଲିବାକୁ ଅସମର୍ଥ କରିଦେଇଛି । ହେଲେ ଦୃଢଆତ୍ମବଳ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଛି । ଆଉ ହୁଇଲ୍ ଚେୟାରରୁ ରେକର୍ଡ ପରେ ରେକର୍ଡ ହାସଲ କରିବାରେ ସାହସ ଯୋଗାଇଛି । ଭୁବନେଶ୍ୱରରୁ ବିଶ୍ୱ ରେକର୍ଡ କରିବା ପାଇଁ ୨୪ ଘଣ୍ଟାରେ ୨୧୫ କିଲୋମିଟର ହୁଇଲ୍ ଚେୟାର ଯାତ୍ରା କରିଛନ୍ତି ୨୮ ବର୍ଷୀୟ ଯୁବକ କମଳାକାନ୍ତ ।

ହୁଇଲ୍ ଚେୟାରରୁ ବିଶ୍ୱ ରେକର୍ଡ ଆଶା । ୨୪ ଘଣ୍ଟାରେ ୨୧୫ କିଲୋମିଟର ଯାତ୍ରା । ହୁଇଲ ଚେୟାରରେ ୨୪ ଘଣ୍ଟାରେ ୨୧୫ କିଲୋମିଟର ୪୬୦ ମିଟର ରାସ୍ତା ଅତିକ୍ରମ କରି ଐତିହାସିକ ରେକର୍ଡ କରିବାକୁ ଆଶା ରଖିଛନ୍ତି ପୁରୀର କମଳାକାନ୍ତ ନାୟକ । ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟାରୁ ଆରମ୍ଭ ହୋଇଥିବା ଯାତ୍ରା ରବିବାର ସାଢେ ୪ଟାରେ ଶେଷ ହୋଇଛି । ଭୁବନେଶ୍ୱର ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ୧ କିଲୋମିଟର ୧୪୦ ମିଟର ରାସ୍ତାକୁ ବାରମ୍ବାର ଯିବା ଆସିବା କରି ବିଶ୍ୱ ରେକର୍ଡ ଆଶା ରଖିଛନ୍ତି ୨୮ ବର୍ଷୀୟ କମଳାକାନ୍ତ ।

ଭଲିବଲ ଖେଳିବା ବେଳର ଦୁର୍ଘଟଣା ବଦଳାଇ ଦେଇଥିଲା କମଳାକାନ୍ତଙ୍କ ଜୀବନର ଗତିପଥ । ହୁଇଲ ଚେୟାରରୁ ବିଶ୍ୱ ରେକର୍ଡ ପାଇଁ ୨୪ ଘଣ୍ଟାର ଯାତ୍ରା କରି ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡ, ଲିମକା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଲକ୍ଷ୍ୟ ରଖିଛନ୍ତି କମଳାକାନ୍ତ । ସେପଟେ ତାଙ୍କ ସଫଳତାରେ ଭାବ ବିହ୍ୱଳ ହୋଇପଡିଛନ୍ତି ଭଉଣୀ । କହିଛନ୍ତି, ଅଭ୍ୟାସ ବଳରେ କମଳାକାନ୍ତ ଏବେ ସାରା ଓଡିଶାର ପୁଅ ହୋଇଯାଇଛନ୍ତି ।

ଦୁର୍ଘଟଣାରେ ମେରୁଦଣ୍ଡ ଜନିତ ସମସ୍ୟା ବାହାରିବା ପରେ ବି ହାରିଯାଇନାହାନ୍ତି କମଳାକାନ୍ତ । ଅନେକ ଲୋକଙ୍କ ଟାହିଟାପରାକୁ ଖାତିର ନକରି ଆଗକୁ ବଢିଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି । ଏବଂ ତାଙ୍କର ଏହି ଦୁଃସାହସିକ ଯାତ୍ରା ଐତିହାସିକ ବିଶ୍ୱ ରେକର୍ଡ ହାସଲ ଲକ୍ଷ୍ୟ ପୂରଣ କରିବ ବୋଲି ଆଶା କରାଯାଉଛି ।