କମଲ ହାସନଙ୍କ ବୟାନକୁ ନେଇ ବଢିଲା ବିବାଦ । ତାମିଲନାଡୁ ମନ୍ତ୍ରୀ କହିଲେ, କମଲ ହାସନଙ୍କ ଜିଭ କାଟ, ଦଳକୁ ବ୍ୟାନ୍ କର ।

244

କନକ ବ୍ୟୁରୋ : ଅଭିନେତାରୁ ନେତା ପାଲଟିଥିବା କମଲ ହାସନଙ୍କ ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ ତାମିଲନାଡୁ ରାଜନୀତିରେ ଝଡ ସୃ୍ଷ୍ଟି ହୋଇଛି । ତାମିଲନାଡୁ କଂଗ୍ରେସ ମୁଖ୍ୟ କେଏସ ଅଲାଗିରି କମଲ ହାସନଙ୍କ ବୟାନକୁ ସମର୍ଥନ କରୁଥିବା କହିଛନ୍ତି । ଏହାଛଡା କମଲ ହାସନଙ୍କ ବୟାନ ସହ ୧୦୦ ପ୍ରତିଶତ ନୁହେଁ ବରଂ ୧୦୦୦ ପ୍ରତିଶତ ସହମତ ବୋଲି କହିଛନ୍ତି ଅଲାଗିରି । ଏହାସହ ଆରଏସଏସ ଉପରେ ବର୍ଷିଛନ୍ତି ଅଲାଗିରି ।

ଆରଏସଏସର ତୁଳନା ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ କରିଛନ୍ତି ଅଲାଗିରି । ଆଇଏସ ଭଳି ଆରଏସଏସ ମଧ୍ୟ ସଂଘ ପରିବାରର ବିଚାରଧାରାକୁ ବିରୋଧ କରୁଥିବା ଲୋକଙ୍କୁ ଘୃଣା କରିଥାଏ ବୋଲି କହିଛନ୍ତି ଅଲାଗିରି । ଯେଉଁଭଳି ହିନ୍ଦୁ ଧର୍ମରେ ଆରଏସଏସ ସେହିଭଳି ଇସଲାମ ଧର୍ମରେ ଇସଲାମିକ ଷ୍ଟେଟ । ଆରଏସଏସ, ଜନସଂଘ ଓ ହିନ୍ଦୁ ମହାସଭାର ମାନିବା ହେଲା, ଯିଏ ତାଙ୍କ ବିଚାରଧାରା ବିରୋଧରେ ଯାଉଛି ତାଙ୍କୁ ହତ୍ୟା କରିଦିଅ । ଏଭଳି ବୟାନ ଦେଇ ତାମିଲନାଡୁ ରାଜନୀତିକୁ ଉଷ୍ମ କରିଛନ୍ତି ଅଲାଗିରି ।

ଅନ୍ୟପଟେ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ଏଆଇଏଡିଏମକେ ନେତା କେଟି ରାଜେନ୍ଦ୍ର ବାଲାଜୀ କମଲ ହାସନଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ହିନ୍ଦୁ ଆତଙ୍କବାଦୀ ବୟାନ ପାଇଁ କମଲ ହାସନଙ୍କ ଜିଭ କାଟିଦେବା ଆବଶ୍ୟକ ବୋଲି କହିଛନ୍ତି ରାଜେନ୍ଦ୍ର । ଅଳ୍ପସଂଖ୍ୟକ ଭୋଟ ହାତେଇବା ପାଇଁ ରାଜେନ୍ଦ୍ର ଏଭଳି ବୟାନ ଦେଇଛନ୍ତି । ନିର୍ବାଚନ ଆୟୋଗ ଏହା ଉପରେ ଦୃଷ୍ଟି ଦେବାସହ କମଲ ହାସନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛନ୍ତି ରାଜେନ୍ଦ୍ର ।  ଏପରିକି କମଲ ହାସନଙ୍କ ଦଳକୁ ବ୍ୟାନ କରିବା ଦରକାର ବୋଲି କହିଛନ୍ତି ରାଜେନ୍ଦ୍ର ।

ଏହାପୂର୍ବରୁ ଏକ ଜନସଭାରେ କମଲ ହାସନ କହିଥିଲେ, ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ । ଯାହାଙ୍କ ନାଁ ନାଥୁରାମ ଗଡସେ । କମଲ ହାସନ କହିଛନ୍ତି ଆତଙ୍କବାଦର ଆରମ୍ଭ ସେବେଠାରୁ ହୋଇଥିଲା ଯେବେ ନାଥୁରାମ ଗଡସେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲେ । ଆଉ କମଲଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।