କନକ ବ୍ୟୁରୋ : କାମାକ୍ଷାନଗର ସହରର କିଛି ଦୂରରେ ଅଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ସହର ଠାରୁ ମାତ୍ର ଛଅ କିଲୋମିଟର ଦୂର କାନପୁରା ପଂଚାୟତ ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ଗୋଟିଏ ପଟେ ରାମିଆଳ ନଦୀର କୁଳୁକୁଳୁ ନାଦ ଓ ଅନ୍ୟପଟେ ପାହାଡ଼, ପର୍ବତ, ବଣ ଜଙ୍ଗଲ ଘେରା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ବର୍ଷର ପ୍ରତ୍ୟେକ ସମୟରେ ଗୁଣ୍ଡିଚାନାଳୀକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ବଣଭୋଜି କରିବା ସହ ସ୍ଥାନୀୟ ହନୁମାନ ମନ୍ଦିର ଭଳି ମନୋରମ ସ୍ଥାନ ବୁଲି ଦେଖନ୍ତି ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୁରୁଖୁରୁରେ ବଣଭୋଜି କରିବା ପାଇଁ ସରକାରୀ ସହାୟତାରେ ପିକନିକ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, କଟେଜ ଇତ୍ୟାଦି ନିର୍ମାଣ କରାଯାଇଛି । ଯାହା ଫଳରେ ପର୍ଯ୍ୟଟକମାନେ ସୁବିଧାରେ ବଣଭୋଜି କରିବା ସହ ଗୁଣ୍ଡିଚାନାଳୀର ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ।
ରାମିଆଳ ନଦୀ କୁଳରେ ଘଂଚ ଜଙ୍ଗଲ ଘେରା ଏହି ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ସହ ନଦୀର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରନ୍ତି ପର୍ଯ୍ୟଟକ । ଏଥିପାଇଁ ବିଭିନ୍ନ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବହୁତ ପୁରୁଣା ସାଙ୍ଗସାଥୀ, କ୍ଳବ ପିଲା, ଓ ଅନୁଷ୍ଠାନର ଲୋକମାନେ ଏଠାକୁ ଧାଇଁ ଆସିଥାନ୍ତି । ସହରର ବ୍ୟସ୍ତ ଜୀବନ ଶୈଳୀ, ଧାଁ ଦୌଡ଼ ଜୀବନରୁ ସମୟ ବାହାର କରି କିଏ ତାସ ଖେଳରେ ମାତିଥାଏ, ତ ଆଉ କିଏ ଭୋଜି ପ୍ରସ୍ତୁତିରେ । କଲେଜ ପିଲାମାନେ ନଦୀ ମଧ୍ୟରେ ଥିବା ପଥର ଉପରେ ବସି ସେଲ୍ଫି ନେବା ସହ ପ୍ରକୃତିର ଏହି ଅନ୍ୟନ୍ୟା ଅବଦାନକୁ ମନଭରି ଉପଭୋଗ କରିଥାନ୍ତି ।
ଶୀତ ଆସିଲେ ବଣଭୋଜୀ ଜମେ ଆଉ ଲୋକମାନେ ଗୁଣ୍ଡିଚାନାଳୀକୁ ବେଶ ଆସନ୍ତି ।