କନକ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍ ୨୩ରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ସେଥିରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ତେବେ ଉକ୍ତ ଦିନରେ ଢେଙ୍କାନାଳ ଜିଲ୍ଲାର ଅଣସଂରକ୍ଷିତ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବାକୁଥିବାରୁ ଏବେଠୁ ସେଠାରେ ବଢ଼ିଲାଣି ରାଜନୀତି ପାରଦ । ଆଉ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଟିକେଟ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଛି ବୋଲି ଶୁଣିବାକୁ ମିଳିଛି । ଅଞ୍ଚଳର ବିକାଶ ପ୍ରତି ସରକାରଙ୍କ ଅବହେଳା ବିରୋଧୀ ଦଳର ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶାସକ ଦଳ କିନ୍ତୁ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନା ଆଧାରରେ ନିର୍ବାଚନ ବୈତରଣୀ ପାର ହେବା ଲାଗି ଲକ୍ଷ୍ୟ ରଖିଛି।

Advertisment

publive-imageମୁଖ୍ୟତଃ ୩ ଥର ଲଗାତର ବିଜୟୀ ହେବା ସହ ରାଜ୍ୟ ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ବରେ ବିଜେଡି ପୁନର୍ବାର ସଫଳତା ଦୋହରାଇବାର ଆଶା ରଖିଥିବା ଚର୍ଚ୍ଚା ହେଉଛି । କାରଣ ବିଜେଡି ଟିକେଟରେ ୨୦୦୪, ୨୦୦୯ ଓ ୨୦୧୪ରେ ପ୍ରଫୁଲ୍ଲ ଲଗାତର ବିଜୟୀ ହୋଇଛନ୍ତି । ତେବେ ପ୍ରଫୁଲ୍ଲ ମୁଖ୍ୟମନ୍ତ୍ରୀ ତଥା ତୃତୀୟ ମହଲାର ଅତ୍ୟନ୍ତ ବିଶ୍ବସ୍ତ ଥିବାରୁ ଏଥର ଟିକେଟ ମିଳିବା ନେଇ ସେ ଏକପ୍ରକାର ନିଶ୍ଚିତ ଅଛନ୍ତି । ଏହାସତ୍ତ୍ବେ ଦଳରେ ଆଶାୟୀଙ୍କ ସଂଖ୍ୟା କିନ୍ତୁ କମ୍ ନାହିଁ। ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଗିରିଜାପ୍ରସାଦ ମହାନ୍ତି , ବିଜେଡିରୁ କାମାକ୍ଷାନଗର ଓକିଲ ସଂଘ ସଭାପତି ରଞ୍ଜନ ରାଉତ, ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସତ୍ୟଜିତ ମିଶ୍ର, ଯୁବନେତା ତପନ ଦାସଙ୍କ ନାଁ ମଧ୍ୟ ଚର୍ଚାରେ ରହିଛି।

ସେପଟେ ୨୦୧୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ଏଥର ଟିକେଟ୍ ପାଇବା ପାଇଁ ଅଶାବାଦୀ ଅଛନ୍ତି । ସେହିଭଳି ଶିକ୍ଷକ ଓ କୃଷକ ନେତା ତଥା ରାଜ୍ୟ ସଂକୀର୍ତନ ମଣ୍ଡଳୀ ସଭାପତି ବିପ୍ରବର ସାହୁ , ଯୁବନେତା ପ୍ରଭୁଦତ୍ତ ଭଟ୍ଟ ମଧ୍ୟ କଂଗ୍ରେସ ଟିକେଟ ଆଶାୟୀଙ୍କ ତାଲିକାରେ ରହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ ଦଳୀୟ ନେତା ଶାନ୍ତନୁ ସାହୁ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବାରୁ ସେ ମଧ୍ୟ ଏଥର ଟିକେଟ ଦୌଡ଼ରେ ଅଛନ୍ତି। ସେହିପରି କାମାକ୍ଷାନଗରର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମହାରଣା ମଧ୍ୟ ଟିକେଟ ଆଶାୟୀ ଥିବା କୁହାଯାଉଛି।

ରାଜ୍ୟର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଏବେ ଦଳୀୟ ସଂଗଠନ ଆଧାରରେ ସେ ଟିକେଟ ପାଇଁ ଦାବି କରୁଛନ୍ତି। ଏଣେ ତାଙ୍କୁ ମାତ୍ ଦେଇ ବିଜେପି ଟିକେଟ୍ ହାତେଇବାକୁ ବରିଷ୍ଠ ନେତା ଶତ୍ରୁଘ୍ନ ଜେନା ମଧ୍ୟ ଜୋରସୋର ଲାଗିପଡ଼ିଥିବା କୁହାଯାଉଛି। ଏଥିସହିତ ଟିକେଟ ଦୌଡ଼ରେ ଯୁବନେତା ମାତୃପ୍ରସାଦ ନନ୍ଦ, ଦେବାଶିଷ ହୋତା, ଦେବଦତ୍ତ ପଟ୍ଟନାୟକ, ପବିତ୍ର ବିଶ୍ବାଳ, ରତ୍ନପ୍ରଭା ପଣ୍ଡା, ପ୍ରେମାନନ୍ଦ ଜେନାଙ୍କ ନାମ ଶୁଣିବାକୁ ମିଳୁଛି ।