କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ଧସିଲା ମାଟି ଅତଡା । କୂଅ ଭିତରେ ମାଟି ତଳେ ଚାପି ହୋଇ ରହି ଯାଇଛନ୍ତି ଜଣେ ଶ୍ରମିକ । ସୂଚନା ଅନୁସାରେ ମାଟି ତଳେ ଚାପି ହୋଇ ରହିଯାଇଥିବା ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନଂବର ୱାର୍ଡର ଶରଧାପୁର ଗାଁରେ ।
ଆଜି ସକାଳୁ କାମାକ୍ଷାନଗରର ଆଳତୁମା ଅଂଚଳରେ ଏକ କୁଅ ଖୋଳିବାକୁ ୫ ଜଣ ଶ୍ରମିକ କୂଅ ଖୋଳିବାକୁ ଆସିଥିଲେ । ଦେବରାଜ ମଲିକ, ଅଜୁ ମଲିକ, ରୋହିତ ମଲିକ ଓ ଟୁଲୁ ବାହାରେ ରହି ଥିବା ବେଳେ ଧୁଳିଆ ମଲିକ କୁଅ ଭିତରକୁ ଦଉଡି ଜରିଆରେ ଖସୁଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଆଜି ସକାଳ ସମୟରେ ଏହି ଅଘଟଣ ଘଟିଛି । ଖବର ପାଇ ୩ଟି ଜେସିବି ଓ ଦମକଳ ବାହିନୀ ପହଁଚି ଉଦ୍ଧାର କାମ ଜାରି ରଖିଛନ୍ତି । ଶେଷ ଖବର ସୁଦ୍ଧା କୁଅ ଭିତରେ ମାଟି ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।