କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପିଏଚଡି ନାଁରେ ମନ୍ତ୍ରୀଙ୍କ ବୋହୂଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡିଛି । ଏନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପସା ପ୍ରଧାନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ।
ଅଭିଯୋଗ ଅନୁସାରେ, ମନ୍ତ୍ରୀଙ୍କ ବୋହୂ ଲିପସା କାମାକ୍ଷାନଗର କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଅଛନ୍ତି । ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପସାଙ୍କ ଉପସ୍ଥାନ ରେକର୍ଡ କଲେଜରେ ନାହିଁ, ହେଲେ ମାସକୁ ମାସ ଦରମା ଦିଆଯାଉଛି । ଏନେଇ କଲେଜ କର୍ତ୍ତୃପକ୍ଷ କହୁଛନ୍ତି ସେହି ସମୟରେ ଲିପସା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ । ଏପଟେ ବାଣୀବିହାରରେ ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପସା ନାଁରେ କେହି ପିଏଚଡି କରିନଥିବା ତଥ୍ୟ ଆରଟିଆଇରୁ ମିଳିଛି । ଏହାଛଡା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଅରବିନ୍ଦ କାନ୍ତ ରାୟଙ୍କ ପତ୍ନୀ ମଧୁମିତା ସାହୁଙ୍କ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି ।
ଅଭିଯୋଗରେ ଦର୍ଶାଯାଇଛି, ମଧୁମିତା ୧୯୯୬ ମସିହାରେ ନିଯୁକ୍ତି ପାଇଥିଲେ, କିନ୍ତୁ ନିଯୁକ୍ତିକୁ ୮ବର୍ଷ ପଛକୁ ଘୁଂଚାଇ ୧୯୮୮ ଦର୍ଶାଇ ବକେୟା ଦରମା ନିଆଯାଇଛି । ସେହିପରି ରୁସା ଯୋଜନାରେ କଲେଜର ଉନ୍ନୟନ ପାଇଁ ଆସିଥିବା ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ହୋଇଛି । ବିନା ଟେଣ୍ଡରରେ ଜଣେ କଲେଜ ଅଧ୍ୟାପକ ଠିକାଦାର ସାଜି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିଥିବା ଅଭିଯୋଗ ନେଇ ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ଓଡିଶା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇବା ପରେ ଲୋକାୟୁକ୍ତ ମନ୍ତ୍ରୀଙ୍କ ବୋହୂ ଲିପସା ପ୍ରଧାନ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ କରିଥିଲେ । ସମସ୍ତଙ୍କ ପକ୍ଷ ଶୁଣିବା ପରେ ତଦନ୍ତ ବିଭାଗର ନିର୍ଦ୍ଦେଶକଙ୍କୁ ପୁରା ଘଟଣାର ଯାଂଚ କରିବା ସହ ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।