କାମାକ୍ଷାନଗର କିଙ୍ଗ୍ କିଏ? ପଞ୍ଚମ ଥର ‘ଶଙ୍ଖ’ ଫୁଙ୍କିବାକୁ ବିଜେଡିର ପୁରୁଣା ସିପାହୀ ତୟାର, ଚେକ୍ ଦେବାକୁ ବିରୋଧୀଙ୍କ ରଣନୀତି ।

217

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ଅଣସଂରକ୍ଷିତ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଘମାସାନ୍ ପ୍ରଚାର ଚଳାଇଛନ୍ତି । ଅଞ୍ଚଳର ବିକାଶ ପ୍ରତି ସରକାରଙ୍କ ଅବହେଳା ବିରୋଧୀ ଦଳର ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶାସକ ଦଳ କିନ୍ତୁ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନା ଆଧାରରେ ନିର୍ବାଚନ ବୈତରଣୀ ପାର ହେବାପାଇଁ ଗୋଟିଚଳାଇଛି । ତେବେ ବିଶେଷ କରି ୩ ଥର ଲଗାତର ବିଜୟୀ ହେବା ସହ ରାଜ୍ୟ ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ବରେ ବିଜେଡି ପୁନର୍ବାର ସଫଳତା ଦୋହରାଇବାର ଆଶା ରଖିଛି।

ସେପଟେ, ପ୍ରତି ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଉଥିବା କଂଗ୍ରେସ ଏଥର ପୁଣି  ଭବାନୀ ଶଙ୍କର ମହାପାତ୍ରଙ୍କୁ ସିପାହୀଭାବେ ମୈଦାନକୁ ଓହ୍ଲାଇଛି । କାରଣ ୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲଙ୍କ ଠାରୁ ପରାଜିତ ହୋଇଥିଲେ ମଧ୍ୟ ଦଳର ଯୁବ ନେତା ତଥା ଦକ୍ଷ ସଂଗଠକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଦବଦବା ରଖିଛନ୍ତି । ତେବେ ଭବାନୀଙ୍କ ବାପା- ପୂର୍ବତନ ବିଧାୟକ ଭାବେ କଂଗ୍ରେସର ସଂଗଠନ ମଜଭୁତ ରଖିଥିଲେ । ତେବେ ଏହା ମଧ୍ୟ ଭବାନୀଙ୍କୁ ଚଳିତ ଥର ସହାୟକ ହୋଇପାରେ ବୋଲି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଶା ରହିଛି ।

ଅନ୍ୟପଟେ ବିଜେପି ମଧ୍ୟ ଚଳିତ ଥର ସ୍ଥାନୀୟ ଅଞ୍ଚଳର ବେଶ୍ ଜଣାଶୁଣା ଶତ୍ରୁଘ୍ନ ଜେନାଙ୍କୁ ପଦ୍ମ ଫୁଟାଇବାକୁ ଭାର ଦେଇଛି । ତେବେ ଶତ୍ରୁଘ୍ନଙ୍କ ରାଜନୀତି କ୍ୟାରିୟରକୁ ଯଦି ଅନୁଧ୍ୟାନ କରାଯାଏ ତେବେ, ଶତ୍ରୁଘ୍ନ ୩ଥର ଭୂବନ ବ୍ଳକ୍ ଅଧ୍ୟକ୍ଷ, ପୂର୍ବତନ ସମିତିସଭ୍ୟ ଭାବେ ନିଜର ପତିଆରା ଜାହିର କରିଛନ୍ତି । କଂଗ୍ରେସର ‘ହାତ’ ଛାଡ଼ି ବିଜେପିରେ ସାମିଲ ହୋଇ ବିଜେପି ପକ୍ଷରୁ ଚଳିତଥର ଟିକେଟ୍ ପାଇଛନ୍ତି । ଆଉ ମୋଦି ସରକାରଙ୍କ ଗୁଣଗାନ କରି ଉଭୟ ବିଜେଡି ଓ କଂଗ୍ରେସକୁ ଚେକ୍ ଦେବାକୁ ରଣନୀତି କରିଛନ୍ତି ଶତ୍ରୁଘ୍ନ ।

୧୬ଟି ପଞ୍ଚାୟତ, ଭୁବନର ୧୮, ଢେଙ୍କାନାଳ ସଦର ବ୍ଲକର ୯ଟି ପଞ୍ଚାୟତ ସହିତ କାମାକ୍ଷାନଗର ଓ ଭୁବନ ଏନଏସିକୁ ନେଇ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଗଠିତ। ଭୋଟର ସଂଖ୍ୟା ମୋଟ ୨ ଲକ୍ଷ ୭ହଜାର ୮ଶହ । ସେଥିରୁ ପୁରୁଷ ୧ଲକ୍ଷ ୯ହଜାର ୩୦୨, ମହିଳା ୯୮ହଜାର ୪୭୧ ଥିବାବେଳେ ତୃତୀୟ ଲିଙ୍ଗ ୯ ଜଣ । ୨୦୧୪ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ୬୪୧୬୩ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭବାନୀଶଙ୍କର ମହାପାତ୍ର ୪୭୨୮୨ଟି ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଓ ବିଜେପିର ପ୍ରସନ୍ନ ପଟ୍ଟନାୟକ ୨୫୯୨୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପ୍ରଫୁଲ୍ଲ କୁମାର ମଲ୍ଲିକ      ୬୪,୧୬୩

କଂଗ୍ରେସ   ଭବାନୀଶଙ୍କର ମହାପାତ୍ର  ୪୭,୨୮୨

ବିଜେପି    ପ୍ରସନ୍ନ ପଟ୍ଟନାୟକ         ୨୫,୯୨୭