ଧାରଣାରେ ବିଡ଼ିଓ ବସିଲେ ବୋଲି… ।  ୨୪ ଘଣ୍ଟାରେ ଘର କାମ ଆରମ୍ଭ କଲେ ହିତାଧିକାରୀ । 

578

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଯାଇଛି ହେଲେ ହିତାଧିକାରୀ ଘର ତିଆରି କରୁନଥିଲେ । ଆଉ ଏହାର ପ୍ରତିବାଦରେ ଗତକାଲି ଧାରଣା ଦେଇଥିଲେ ବିଡିଓ । ତେବେ ଏହାର ୨୪ ଘଂଟା ପରେ ହିତାଧିକାରୀ ଏବେ ଘର ତିଆରି କରିବା ଆରମ୍ଭ କରିଦେଇଛନ୍ତି ।

ବିଭିନ୍ନ ଦାବି ନେଇ ସରକାରୀ କାର୍ଯ୍ୟାଳୟ ଆଗରେ ହିତାଧିକାରୀ ଧାରଣା ଦେଉଥିବା ବେଳେ ପ୍ରଥମଥର ପାଇଁ ଧାରଣାରେ ବସିଥିଲେ ଜଣେ ବିଡିଓ । କାର୍ଯ୍ୟାଦେଶ ମିଳିବା ପରେ ବି ହିତାଧିକାରୀ ଘର ନିର୍ମାଣ କରିନଥିଲେ । ତେଣୁ ଏଭଳି ପ୍ରତିବାଦ ଜଣାଇଥିଲେ ବିଡିଓ ।

କାମାକ୍ଷାନଗର ତୁମୁସିଙ୍ଗା ପଂଚାୟତର ବାରୁଗାଁ । ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ମିଳିବାର ମାସ ମାସ ପରେ ଏବେ ଗାଁରେ ଘର ତିଆରି ଚାଲିଛି । ହିତାଧିକାରୀ ପକ୍କା ଘର କରୁଛନ୍ତି । ବିଡିଓ ଧାରଣା ଦେବାର ୨୪ ଘଣ୍ଟା ଭିତରେ ଗାଁରେ ଘର କାମ ଆରମ୍ଭ ହୋଇଯାଇଛି । କାର୍ଯ୍ୟାଦେଶ ମିଳିବା ପରେ ପଂଚାୟତରୁ ବ୍ଳକ୍ ଅଧିକାରୀ ଯାଏଁ, ସମସ୍ତେ ଗାଁକୁ ଆସି ହିତାଧିକାରୀଙ୍କୁ ବୁଝାଇଥିଲେ ଘର କରିବାକୁ । ହେଲେ ହିତାଧିକାରୀ କାହା କଥା ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ଧାରଣା ଦେଇଥିଲେ ବିଡିଓ । ଆଉ ଏବେ ଯେତେବେଳେ ହିତାଧିକାରୀ ଘର ତିଆରି କରୁଛନ୍ତି, ସେଥିରେ ଖୁସି ପ୍ରକାଶ କରିଛନ୍ତି ବିଡିଓ ବିକାଶ ମହାନ୍ତି ।

ବିଡିଓଙ୍କ ନିଆରା ଉଦ୍ୟମ ପରେ ଗାଁରେ ଘର ତିଆରି ଚାଲିଛି । ହିତାଧିକାରୀ ନିଜ ଭୁଲ ବୁଝିପାରିଛନ୍ତି । ଆଉ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା, ବିଡିଓ ହେବତ ଏମିତି ।