କନକ ବ୍ୟୁରୋ : ବିଏମ୍ସିର ଜୋନାଲ ଡେପୁଟି କମିସନରମାନେ ହାତରେ କଲ୍ୟାଣ ମଣ୍ଡପ ତାଲିକା ଧରି ସ୍କ୍ୱାଡ୍ ସହ ବିଭିନ୍ନ ଅଞ୍ଚଳ ବୁଲିଲେ । ୪ ଦିନରେ ୧୭ଟି କଲ୍ୟାଣ ମଣ୍ଡପ ସିଲ୍ କରିଦେଲେ । ବେଆଇନ କଲ୍ୟାଣ ମଣ୍ଡପ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଗଲା । ଯେଉଁମାନେ ବିବାହ/ବ୍ରତ ପାଇଁ କଲ୍ୟାଣ ମଣ୍ଡପ ବୁକିଂ କରିଥିଲେ ସେମାନଙ୍କ ନିଦ ହଜିଲା । ହେଲେ ବହୁ ଲୋକ କଲ୍ୟାଣମଣ୍ଡପ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଥିବାରୁ ବିଏମ୍ସିର ପଦକ୍ଷେପକୁ ପ୍ରଶଂସା କରିଥିଲେ । ବିଏମ୍ସି କମିସନର ବି କହିଥିଲେ, କୌଣସି ପରିସ୍ଥିତିରେ କଲ୍ୟାଣ ମଣ୍ଡପ ସିଲ୍ ବନ୍ଦ ହେବନି । ହେଲେ ୧୦ଦିନ ହେଲା ଆଉ କଲ୍ୟାଣ ମଣ୍ଡପ ସିଲ୍ ହେଉନି ।
ବିଏମ୍ସି ପକ୍ଷରୁ ଫେବ୍ରୁଆରି ୩ରୁ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ୮ଟି କଲ୍ୟାଣ ମଣ୍ଡପ ସିଲ୍ ହୋଇଥିବାବେଳେ ଦ୍ୱିତୀୟ ଦିନରେ ଦୁଇଟି, ତୃତୀୟ ଦିନରେ ଗୋଟିଏ ଏବଂ ଚତୁର୍ଥ ଦିନରେ ୬ଟି କଲ୍ୟାଣ ମଣ୍ଡପ ସିଲ୍ ହୋଇଥିଲା । ୪ଦିନରେ ମୋଟ୍ ୧୭ଟି କଲ୍ୟାଣ ମଣ୍ଡପ ସିଲ୍ ହେଲା । ରାଜଧାନୀରେ ମୋଟି ୯୪ଟି କଲ୍ୟାଣ ମଣ୍ଡପ ଥିବାବେଳେ ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାର ଯୋଜନା ଥିଲା । ହେଲେ ୧୭ଟି ମଣ୍ଡପ ସିଲ୍ ହେବା ପରେ ବିଏମ୍ସି କର୍ତ୍ତୃପକ୍ଷ ଚୁପ୍ ବସିପଡ଼ିଲେ । ବାକି ୬୩ଟି କଲ୍ୟାଣ ମଣ୍ଡପ କାହିଁକି ସିଲ୍ ହେଲାନି ସେନେଇ କାହା ପାଖରେ କିଛି ଜବାବ୍ ନାହିଁ । ହଠାତ୍ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ବନ୍ଦ ହେବା ନେଇ ବିଏମ୍ସିର ଜୋନାଲ ଡେପୁଟି କମିସନରମାନେ ବି ମୁହଁ ଖୋଲୁନାହାନ୍ତି । ପଚାରିଲେ କହୁଛନ୍ତି ଆଗକୁ ହେବ । ହେଲେ କେବେ ହେବ ସେ ଉତ୍ତର ନାହିଁ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୋନାଲ ଡେପୁଟି କମିସନରମାନେ ସେମାନଙ୍କ ପଦବିର ଅପବ୍ୟବହାର କରିବା ଭଳି ଅଭିଯୋଗ ଆସିଥିଲା । ଏପରିକି ଉତ୍ତର ଜୋନ୍ ଡେପୁଟି କମିସନର ଗୋଟିଏ ମଣ୍ଡପରୁ ଆଗୁଆ ୫ଦିନ ପାଇଁ ଜରିମାନା ଆଦାୟ କରି ମଣ୍ଡପ ସିଲ୍ କରିନଥିଲେ । ସେହିପରି ଦକ୍ଷିଣ-ପୂର୍ବ ଜୋନ୍ ଡେପୁଟି କମିସନର ଗୋଟିଏ ମଣ୍ଡପକୁ ସକାଳେ ସିଲ୍ କରିବା ପରେ ସଂଧ୍ୟାରେ ଖୋଲି ଦେଇଥିଲେ । ଏହି ଦୁଇଟି ଅଭିଯୋଗ ଯେଉଁ ଦିନ ଆସିଲା ସେହି ଦିନ ଠାରୁ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ବନ୍ଦ ହୋଇଗଲା । କେବଳ ଏତିକି ନୁହେଁ କଲ୍ୟାଣମଣ୍ଡପ ମାଲିକମାନେ ବିଏମ୍ସି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ହାଇକୋର୍ଟ ବି କଲ୍ୟାଣ ମଣ୍ଡପ ସିଲ୍ ନକରିବା ନେଇ କିଛି ନିର୍ଦ୍ଦେଶ ଦେଇନାହାନ୍ତି । କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ କାହା ଚାପରେ ଚୁପ୍ ବସିପଡ଼ିଲେ ସେ ନେଇ ପ୍ରଶ୍ନ ଉଠିଲାଣି । ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୯୪ଟି ଯାକ କଲ୍ୟାଣ ମଣ୍ଡପକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ଜାନୁଆରି ୩୧ତାରିଖ ସୁଦ୍ଧା ୧୪ଟି କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଉତ୍ତର ରଖିଥିଲେ । ଏହାପରେ ୩୦ରୁ ଅଧିକ କଲ୍ୟାଣ ମଣ୍ଡପ ସେମାନଙ୍କ ଉତ୍ତର ରଖିଛନ୍ତି । ସେମାନଙ୍କର କ’ଣ ଅସୁବିଧା ଅଛି, କ’ଣ ପାଇଁ ଆବେଦନ କରିଛନ୍ତି, କେତେ ଦିନରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବେ ସେନେଇ ଲେଖିକି ଜଣାଇଛନ୍ତି । ଏହାକୁ ସ୍କ୍ରୁଟିନି କମିଟିରେ ପକାଯିବ । କମିଟି ଯାହା ନିଷ୍ପତ୍ତି ନେବ ସେନେଇ କାର୍ଯ୍ୟାନୁଷ୍ଠାନ ହେବ ।
ହେଲେ ଏହି କମିଟି କେବେ ବସିବ କାହାକୁ ଜଣାନାହିଁ । ବିଏମ୍ସି କମିସନର ଓଡ଼ିଶା ବାହାରେ ଥିବାରୁ ଆସିବା ପରେ ସ୍କ୍ରୁଟିନି କମିଟି ବୈଠକ ବସିବା ନେଇ ଆଲୋଚନା ହେବ । ଏହି କମିଟିରେ ବିଡିଏର ପ୍ଲାନିଂ ମେମ୍ବର, ବିଏମ୍ସିର ଅତିରିକ୍ତ କମିସନର, ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ), ବିଏମ୍ସିର ପ୍ଲାନିଂ ଅଧିକାରୀ, ବିଡିଏର ଏନଫୋର୍ସମେଣ୍ଟ ଅଧିକାରୀ, ବିଏମ୍ସିର ସିଟି ଇଞ୍ଜିନିୟର, ବିଏମ୍ସିର ଡେପୁଟି କମିସନର (ରାଜସ୍ୱ) ପ୍ରମୁଖ ସଦସ୍ୟ ଅଛନ୍ତି ।