କନକ ବ୍ୟୁରୋ: ‘ମିମିକ୍ରି’ ଗୋଟାଏ କଳା ଏବଂ ଧନଖଡ଼ଙ୍କ ମନରେ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନ ଥିଲା ବୋଲି ଆଜି ବିବାଦୀୟ ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି। ସଂସଦ ପରିସରରେ ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଠାଣି ଓ ନକଲ କରୁଥିବା ସମୟର ଭିଡିଓ ଭାଇରାଲ୍‌‌ ହେବା ପରେ ସାଂସଦ ବାନାର୍ଜୀ ବିବାଦୀୟ ହୋଇପଡ଼ିଛନ୍ତି।

Advertisment

ଆଜି ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ କଲ୍ୟାଣ ବାନାର୍ଜୀ କହିଛନ୍ତି, କାହାରି ମନରେ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନୁହେଁ। କିନ୍ତୁ, ମୁଁ ପଚାରୁଛି, ରାଜ୍ୟସଭାରେ କ’ଣ ସେ (ଧନଖଡ଼) ପ୍ରକୃତରେ ଏଭଳି ଆଚରଣ କରନ୍ତି? ଜାଣେନା, ସେ କାହିଁକି ଏକଥା ଦେହକୁ ନେଲେ? ‘ମିମିକ୍ରି’ ଗୋଟାଏ କଳା। ୨୦୧୪ ଓ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକସଭାରେ ‘ମିମିକ୍ରି’ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ରାଜ୍ୟସଭାରେ କି, ଲୋକସଭାରେ କିଛି କହିନାହିଁ। ‘ମକ୍‌’ ପାର୍ଲାମେଣ୍ଟ୍‌ରେ ମୁଁ ଏଭଳି କରିଛି। ଯଦି ଧନଖଡ଼ ଏକଥା ଧରି ବସିବେ ମୁଁ ବା କ’ଣ କରିପାରିବି? ତାଙ୍କ ପ୍ରତି ମୋର ଅଗାଧ ସମ୍ମାନ ରହିଛି। ପ୍ରଥମତଃ, ସେ ମୋର ବୃତ୍ତିର ବ୍ୟକ୍ତିବିଶେଷ। ଦ୍ବିତୀୟତଃ, ସେ ଥିଲେ ପଶ୍ଚିମବଙ୍ଗର ରାଜ୍ୟପାଳ। ତୃତୀୟତଃ, ସେ ଉପରା‌ଷ୍ଟ୍ରପତି ଓ ରାଜ୍ୟସଭାର ଅଧ୍ୟକ୍ଷ। ଆମ ବୃତ୍ତିରେ ଆମେ କାହାକୁ କଷ୍ଟ ଦେଇ ନ ଥାଉ। ତାଙ୍କ ମନରେ କଷ୍ଟ ଦେବା ବି ମୋର ଉଦ୍ଦେଶ୍ୟ ନ ଥିଲା।