କନକ ବ୍ୟୁରୋ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ହଙ୍ଗାମା । ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ବିକ୍ଷୋଭ ପ୍ରଦର୍ଶନ । ଜୟଶ୍ରୀରାମ ନାରା ଦେଇ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଛନ୍ତି । ଖୋର୍ଦ୍ଧା ଅଂଚଳରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ନଦେବାକୁ ଦାବି କରି ବିରୋଧ କରିଛନ୍ତି ବିଜେପି କର୍ମୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଲେ ହଜାର ହଜାର ବିଜେପି କର୍ମୀ ଦଳରୁ ଅସ୍ତଫା ଦେବେ ବୋଲି କହିଛନ୍ତି । ଗତକାଲି ରାତିରେ ଖୋର୍ଦ୍ଧା ଉପକଣ୍ଠ ମଳିପଡା ସ୍ଥିତ ବିଜେପି ପାର୍ଟି ଅଫିସରେ ହଙ୍ଗାମା କରିଥିଲେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତ ରାୟଙ୍କ ସମର୍ଥକ । ସେପଟେ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସି ଉତେଜନାକୁ ଶାନ୍ତ କଲେ ପ୍ରଶାନ୍ତ ଜଗଦେବ । କହିଲେ, ନିର୍ବାଚନ ଲଢିବାକୁ ସେ ବିଜେପିରେ ସାମିଲ ହୋଇନାହାନ୍ତି । ଜଣେ ସୈନିକ ଭାବେ କାମ କରିବେ । କାଳୁ ଖଣ୍ଡାୟତଙ୍କୁ ସଂପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି । କିନ୍ତୁ ଯଦି ଦଳ ତାଙ୍କୁ ପ୍ରାର୍ଥୀ କରେ ତେବେ ସେ ନିର୍ବାଚନ ଲଢିବେ ।