ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା ପାଇଁ ମାଗଣାରେ ଟ୍ରେନିଂ ନେଉଛନ୍ତି ଯୁବକ ଯୁବତୀ

135

କନକ ବ୍ୟୁରୋ: ମୁଁ ଯବାନ ହେବି । ମାଟି ମା ପାଇଁ ଲଢିବି । ଶତ୍ରୁକୁ ଜବାବ ଦେବି । ଏଭଳି କିଛି ସ୍ୱପ୍ନ ଦେଖି ସେନାବାହିନୀରେ ଭର୍ତି ହେବାକୁ ଲକ୍ଷ୍ୟ ରଖିଥିବା ଯୁବକ ଯୁବତୀଙ୍କ ପାଇଁ ଏବେ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ଯୁବକ ଯୁବତୀମାନେ ଏଠି ସାମରିକ ଓ ଅଦ୍ଧସାମରିକ ବାହିନୀରେ ଯୋଗଦେବା ପାଇଁ ଟ୍ରେନିଂ ନେବା ସହିତ ନିଜ ସ୍ୱପ୍ନକୁ ସତ କରି ଦେଖାଉଛନ୍ତି । ଆଉ ତା ପୁଣି ବିଲକୁଲ୍ ମାଗଣାରେ ।

କେନ୍ଦ୍ରାପଡା ଜିଲ୍ଲା ରାଜଗଡ ପଂଚାୟତର ବୀଣାପାଣିଠାରେ ଗଢିଉଠିଛି ଏହି ମଣିଷ ତିଆରି କାରଖାନା । ଯେଉଁଠି ସକାଳ ପାଇଲେ ଯୁବକ ଯୁବତୀମାନେ ନିଜ ସ୍ୱପ୍ନକୁ ସାକାର କରିବାକୁ ଝାଳ ବୁହାନ୍ତି । ଆଉ ସେନାରେ ଭର୍ତି ହେବାକୁ କସରତ କରନ୍ତି । କେବଳ ସେତିକି ନୁହେଁ ଶାରିରୀକ ଅଭ୍ୟାସ ସହିତ ସେନାର ଲିଖିତ ପରୀକ୍ଷା ପାଇଁ ବି ଏଠାରେ ପିଲାମାନଙ୍କୁ ପାଠ ପଢାଯାଏ । ଗରିବ ପିଲାଟିିଏ ଯେଭଳି ପ୍ରଶିକ୍ଷଣ ଅଭାବରୁ ସେନାରେ ଭର୍ତି ହେବାରୁ ବଂଚିତ ନହୁଏ ତାହା ହିଁ ଏହି ଅନୁଷ୍ଠାନର ଲକ୍ଷ୍ୟ ।

୨୦୧୩ ମସିହାରେ ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ନେଇ ଏହି କଳ୍ପତରୁୁ ପ୍ରଶିକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ଯେଉଁଠି ସେନାରେ ଭର୍ତି ହେବାକୁ ଇଚ୍ଛା ରଖିଥିବା ପିଲାମାନେ ମାଗଣାରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଥିିଲେ । ଧିରେ ଧିରେ ଏଠାରୁ ଟ୍ରେନିଂ ନେଇଥିବା ପିଲାମାନେ ସେନାରେ ଭର୍ତି ମଧ୍ୟ ହୋଇଥିଲେ । ଏହି ଅନୁଷ୍ଠାନରୁ ଟ୍ରେନିଂ ନେଇ ଚାକିରି କରୁଥିବା ପିଲାଙ୍କ ସଂଖ୍ୟା ଆଜିସୁଦ୍ଧା ଶହେରୁ ଅଧିକ ହେବ । କେବଳ ସେତିକି ନୁହେଁ, ଚାକିରି ପାଇବା ପରେ ବି ଅନେକ ଯୁବକ ଏଠାକୁ ଆସି ନୂଆ ପିଲାଙ୍କୁ ଟ୍ରେନିଂ ଦେଇଥାନ୍ତି । ଯାହାଫଳରେ ମହାକାଳପଡା ଓ ମାର୍ଶାଘାଇ ଅଂଚଳର ଅନେକ ପିଲା ଆଜି ବି ଏଠି ଟ୍ରେନିଂ ନେଉଛନ୍ତି । କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର କେବଳ ଟ୍ରେନିଂ ନୁହଁ ବଂର ଗରିବ ପିଲାଙ୍କୁ ଆର୍ଥିକ ସାହାର୍ଯ୍ୟ ବି କରିଥାଏ । ଯେଉଁ ପିଲାଙ୍କର ଇଂଟରଭ୍ୟୁକୁ ଯିବାକୁ କିଛି ଅସୁବିଧା ଥାଏ ଏହି ଅନୁଷ୍ଠାନ ହି ସେମାନଙ୍କୁ ସହାୟତାର ହାତ ବଢାଏ । ଯାହା ଆଜି ଏହି ଅନୁଷ୍ଠାନକୁ ଏକ ମଣିଷ ତିିିଆରି କାରଖାନା ଭାବେ ପରିଚିତ କରିଛି ।