ଦୁର୍ଗାପୂଜା ଭଳି ସମ୍ପୁର୍ଣ୍ଣ କୋଭିଡ କଟକଣା ଭିତରେ କଟକରେ ପାଳନ କରାଯିବ କାଳୀପୂଜା । ୧୫ ପ୍ଲାଟୁନ୍ ଫୋର୍ସ ସହ ୫୦ ଜଣ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ରହିବେ

102

କନକ ବ୍ୟୁରୋ : କରୋନା କାଳରେ ପୂଜା ପର୍ବାଣିକୁ ନେଇ ଚିନ୍ତାରେ ସରକାର । ବିଭିନ୍ନ ବାଦ ବିବାଦ ଭିତରେ ଦୁର୍ଗାପୂଜା ପାଳନ କରାଯାଇଥିବା ବେଳେ ଏବେ କାଳୀ ପୂଜାକୁ ନେଇ କଟକ ଡିସିପି ପ୍ରତୀକ ସିଂ କଟକଣା ଜାରି କରିଛନ୍ତି । ଡିସିପିଙ୍କ ସୂଚନା ମୁତାବକ କଟକରେ ଦୁର୍ଗାପୂଜା ଭଳି କଟକଣା ଭିତରେ ପାଳିତ ହେବ କାଳୀପୂଜା । କାଳୀପୂଜା ବେଳେ ଗହଳୀକୁ କଣ୍ଟ୍ରୋଲ କରିବାକୁ ପୋଲିସ ପାଟ୍ରୋଲିଂକୁ କଡା କଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ରହିବ । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟସରକାର କଟକଣା ଜାରି କରାଯାଇଥିବାରୁ ଏଥି ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୂଜା ବେଳେ ସହର ଭିତରେ ୧୫ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ସେମାନଙ୍କୁ ଗାଇଡ କରିବାକୁ ୫୦ ଜଣ ଅଫିସର ମୁତୟନ ରହିବେ । ଏହାସହ ଏସଆରସି ଯାହା ଗାଇଡ ଲାଇନ ଦେଇଛନ୍ତି ସେହି ଗାଇଡ ଲାଇନ ମୁତାବକ ପୂଜା ହେବ ବୋଲି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି । ଅନ୍ୟପଟେ ପୂଜା ଠାରୁ ଭଷାଣୀ ବେଳେ ଅଧିକ ଗହଳି ହେଉଥିବାରୁ ଏହା ଉପରେ ପୋଲିସର ସ୍ୱତନ୍ତ୍ର ନଜର ରହିବ । ମୂର୍ତ୍ତିଗୁଡିକର ବିଷର୍ଜନ ପାଇଁ ୧୧ ଟି ସ୍ୱତନ୍ତ୍ର ପୋଖରୀର ବ୍ୟବସ୍ଥା ହୋଇଥିବା କଥା କହିଛନ୍ତି ଡିସିପି ।