ଉତ୍କଳ-କଳିଙ୍ଗ ଏକ୍ସପ୍ରେସ ଦୁର୍ଘଟଣା : ଆସିଲା ଦୁର୍ଘଟଣା ପଛର ରିପୋର୍ଟ, ଆତଙ୍କବାଦୀ ଷଡଯନ୍ତ୍ର ନୁହେଁ, ରେଳବାଇ ଅବହେଳାରୁ ଘଟିଲା ଅଘଟଣ

35

କନକ ବ୍ୟୁରୋ: ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗତକାଲି ସନ୍ଧ୍ୟାରେ ଉତ୍ତରପ୍ରଦେଶର ମୁଜାଫରନଗର ନିକଟସ୍ଥ କତୌଲିଠାରେ ଭୟାବହ ଦୁର୍ଘଟଣାର ଶିକାର ହୋଇଛି । ଟ୍ରେନର ୧୭ଟି ବଗି ମଧ୍ୟରୁ ୧୪ଟି ବଗି ଲାଇନଚ୍ୟୁତ ହେବାରୁ ୨୦ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ବେଳକୁ ଟ୍ରେନଟି ପ୍ରାୟ ୧୦୦ କିଲୋମିଟର ବେଗରେ ଗତି କରୁଥିବାରୁ ବଗିଗୁଡ଼ିକ ଲାଇନଚ୍ୟୁତ ହୋଇ ଗୋଟିଏ ଉପରେ ଗୋଟିଏ ଚଢ଼ି ଯିବା ସହ ଟ୍ରେନ୍ ଲାଇନ୍ କଡ଼ରେ ଥିବା ରାସ୍ତା ଓ ଘର ଉପରକୁ ମାଡ଼ିଯାଇଛି । ଗୋଟିଏ ବଗି ଏକ ସ୍କୁଲ ଘରକୁ ପଶି ଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବାରୁ ଟ୍ରେନ୍ ଲାଇନ୍ କଡ଼ ରାସ୍ତାରେ ଯାଉଥିବା ଅନେକ ଲୋକ ବି ଦୁର୍ଘଟଣାଗ୍ରସ୍ତ ବଗି ତଳେ ଚାପି ହୋଇ ମୃତାହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ଆଜି ସକାଳୁ ସକାଳୁ ମଧ୍ୟ ଉଦ୍ଧାର କାମ ଆରମ୍ଭ ହୋଇଛି । ଟ୍ରେନ ଲାଇନ ଉପରେ ଥିବା ରାସ୍ତା ଓ ଘର ଉପରକୁ ମାଡିଯାଇଛି ଟ୍ରେନ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏବେ ବି ଦୁର୍ଘଟଣାସ୍ଥଳରେ ଅନେକ ଲୋକ ଚାପି ହୋଇରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଆଜି ଦୁର୍ଘଟଣାସ୍ଥଳକୁ ଯିବ ବିଜେଡି ଟିମ । ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଓଡିଶାରୁ ୯୯ ଜଣ ଯାତ୍ରୀ ଥିଲେ । ତେବେ କେତେ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ । କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକରୁ ଯାଇଥିବା ୩ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣା ଗତକାଲି ସନ୍ଧ୍ୟା ୫ଟା ୪୫ ମିନିଟରେ ଘଟିଛି । ତେବେ ଦୁର୍ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ରହିଛି କି । ସେନେଇ ତଦନ୍ତ କରିବାକୁ ଦୁର୍ଘଟଣାସ୍ଥଳରେ ପହଂଚିଛି ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ । ଉତ୍ତରପ୍ରଦେଶ ମୁଜାଫରନଗର କତୌଲିରେ ପ୍ରାଥମିକ ତଦନ୍ତ କରିବା ପରେ ଦୁର୍ଘଟଣାକୁ ମନୁଷ୍ୟକୃତ କହିଛି ଏଟିଏସ୍ । ଦୁର୍ଘଟଣା ପାଇଁ ରେଲବାଇ ମେନଟେନାନ୍ସ ଟିମକୁ ଏଟିଏସ ଦାୟୀ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଟ୍ରାକ ମରାମତି ଅଧାରେ ଛାଡି ଦେଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଆତଙ୍କବାଦୀ ଷଡଯନ୍ତ୍ରକୁ ଏଡାଇ ଦେଇହେବନି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଦିଗରେ ଥିବା ସମସ୍ତ ସମ୍ଭାବନାକୁ ଅନୁଧ୍ୟାନ କରିବା ସହ ଛାନଭିନ କରୁଛି ଏଟିଏସ ।

କଳିଙ୍ଗ-ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣା ମନୁଷ୍ୟକୃତ । ରେଳ ଦୁର୍ଘଟଣା ଘଟିଥିବା ରେଳ ଧାରଣାର ଦୃଶ୍ୟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ସ୍ପଷ୍ଟ ହେଉଛି । ଦୁର୍ଘଟଣାର କିଛି ସମୟ ଆଗରୁ ରେଲବାଇର ମେନଟେନାନ୍ସ ଟିମ ଆସି ଟ୍ରାକକୁ ଖୋଳି ମରାମତି କରୁଥିଲେ । ଏହି ସମୟରେ ବର୍ଷା ହେବାରୁ ମରାମତି କାମ ଅଧାରୁ ଛାଡି ଚାଲିଯାଇଥିଲେ । ତେବେ ଏନେଇ ଖୌତଲି ଷ୍ଟେସନକୁ ମଧ୍ୟ ସେମାନେ ଅବଗତ କରିନଥିବା ଜଣାପଡିଛି । ଯାହାକୁ ନେଇ ଏତେ ବଡ ଦୁର୍ଘଟଣା ଘଟି ଅକାଳରେ ୨୦ଜଣଙ୍କ ଜୀବନ ଯାଇଛି । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟ ସଚିବ ଅରବିନ୍ଦ କୁମାର କହିଛନ୍ତି, ଯେ ଏହି ଟ୍ରାକରେ କୌଣସି ସତର୍କ ସୂଚନା ନଥାଇ କାମ ଚାଲିଥିଲା । ଡ୍ରାଇଭର ଅଚାନକ ବ୍ରେକ ଦେବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣା ଘଟିବା ଆଗରୁ ଇଂଜିନ ଓ ଏହାର ପରବର୍ତି ୫ଟି ବଗି ନିରାପଦରେ ଅତିକ୍ରମ କରିଯାଇଥିଲା, ହେଲେ ଡ୍ରାଇଭର ବ୍ରେକ ଦେବାରୁ ପରବର୍ତି ୧୪ଟି ବଗି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।

ଅନ୍ୟପଟେ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଯୋଗୁ ଉତ୍ତରାଞ୍ଚଳର ଏହି ବ୍ୟସ୍ତ ମାର୍ଗରେ ଅନ୍ୟ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ ଯାତ୍ରା ଆରମ୍ଭ କରି ଉତ୍ତରାଖଣ୍ଡର ହରିଦ୍ୱାର ଅଭିମୁଖେ ଯାଉଥିଲା ଏବଂ ଏହା ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ହରିଦ୍ୱାରରେ ପହଞ୍ଚିଥାନ୍ତା । ଦୁର୍ଘଟଣା ପରେ ମିରଟ ଜିଲ୍ଲା ହସ୍ପିଟାଲ ଏବଂ ଏଲଏଲଆରଏମ୍ ମେଡିକାଲ କଲେଜ ପକ୍ଷରୁ ହେଲପଲାଇନ ନମ୍ବର ଘୋଷଣା କରାଯାଇଛି । ଜାରି ନମ୍ବରଗୁଡ଼ିକ ହେଲା ୯୪୫୩୩୫୫୧୮୩, ୯୪୧୦୬୦୯୪୩୪ ଏବଂ ୦୧୨୧-୨୬୦୪୯୭୭ । ରେଲେଓ୍ଵ ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବର ହେଉଛି ୯୭୬୦୫୩୪୦୫୪ ଏବଂ ୯୭୬୦୫୩୫୧୦୧ ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା, ଗୁରୁତର ଆହତଙ୍କୁ ୫୦ ହଜାର ଏବଂ ସାଧାରଣ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କ ମୃତକଙ୍କ ପାଇଁ ୨ ଲକ୍ଷ ଏବଂ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସେମାନେ ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଆହତଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ତତ୍ପରତାର ସହ କାର୍ୟ୍ୟ କରୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପୁରୀରୁ ସାଧାରଣତଃ ବହୁସଂଖ୍ୟକ ପର୍ୟ୍ୟଟକ ନେଇ ଯାତ୍ରା କରୁଥିବା ଏହି ଟ୍ରେନଟି ଓଡ଼ିଶା ସମେତ ପଶ୍ଚିମବଂଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାନା ଓ ଉତ୍ତରାଖଣ୍ଡ ରାଜ୍ୟ ଦେଇ ଯାଇଥାଏ। ହରିଦ୍ୱାର ଷ୍ଟେସନ୍ ମାଷ୍ଟରଙ୍କ କହିବା ଅନୁସାରେ ଦୁର୍ଘଟଣା ବେଳକୁ ଟ୍ରେନରେ ୫୪୦ ଜଣ ଯାତ୍ରୀ ରିଜର୍ଭେସନରେ ହରିଦ୍ୱାର ଓ ରୁରକୀ ଯାଉଥିଲେ । ଏହାଛଡ଼ା ଏଥିରେ କିଛି ସ୍ଥାନୀୟ ଯାତ୍ରୀ ବି ରହିଥିଲେ । ଖବର ଲେଖା ହେବା ବେଳକୁ ରେଳବାଇ ପକ୍ଷରୁ ଆହତ ଯାତ୍ରୀମାନଙ୍କ ସୂଚୀ ପ୍ରକାଶ ପାଇଁ ଯୋଜନା କରାଯାଉଥିଲା ।

• ଓଡ଼ିଶାରୁ ଯାଉଥିଲେ ୯୯

• ମୃତାହତଙ୍କ ସଂପର୍କରେ ତଥ୍ୟ ହସ୍ତଗତ ହୋଇନି

• ମୃତକଙ୍କୁ ୫ଲକ୍ଷ, ଆହତଙ୍କୁ ୫୦ ହଜାର ସହାୟତା ଦେବେ ରାଜ୍ୟ ସରକାର

• ପ୍ରଭୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

• ଉତ୍ତମ ଚିକିତ୍ସା ଯୋଗାଇବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

• ଦୁର୍ଘଟଣାସ୍ଥଳକୁ ଯିବ ବିଜେଡି, ବିଜେପି ଟିମ୍